ଇବ୍ଥର୍ମାଲ/ଝାରସୁଗୁଡ଼ା: ବନହରପାଲି ଥାନା ଅନ୍ତର୍ଗତ ଏମ୍ସିଏଲ୍ର ଲଖନପୁର କ୍ଷେତ୍ର କାର୍ଯ୍ୟାଳୟରେ ଆଜି ପ୍ରବେଶ କରି ୪ ଜଣ ମହିଳା ଜିଏମ୍ ସଞ୍ଜୟ ଝା’ଙ୍କୁ ଦାଦାବଟି ମାଗିବା ସହିତ ସେମାନଙ୍କ ପିଲାଙ୍କୁ ଚାକିରି ଦେବାକୁ ଦାବି କରିଥିବା ଅଭିଯୋଗ ହୋଇଛି। ଆଲୋଚନା ଜାରି ରହିଥିବା ସମୟରେ ଲଖନପୁର ବ୍ଲକ୍ ସରଣ୍ଡାମାଲର ପୂର୍ବତନ ସରପଞ୍ଚ ପାର୍ବତୀ ବେହେରା ଶ୍ରୀ ଝା’ଙ୍କୁ ଚପଲରେ ପିଟିଥିଲେ। ଅନ୍ୟ ୩ ମହିଳା ଏହି ଘଟଣାର ଭିଡିଓ ଉତ୍ତୋଳନ କରିଥିବାବେଳେ ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏହି ଘଟଣାରେ ବନହରପାଲି ଥାନା ପୁଲିସ୍ ଏକ ମାମଲା ରୁଜୁ କରି ପାର୍ବତୀ ବେହେରା(୪୨), ବ୍ରଜରାଜନଗର ଥାନା ଗଙ୍ଗାନଗରର ବିୟୁଟି ଶ୍ରୀବାସ୍ତବ(୩୭), ଲକ୍ଷ୍ମୀ ଦାସ(୩୦), ଓରିଏଣ୍ଟ ଥାନା ଦୁର୍ଗାନଗରର ବିନି ଦାଶ(୪୨)ଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଶ୍ରୀ ଝା’ଙ୍କ ଅଭିଯୋଗ ଅନୁସାରେ, ଆଜି ଦିନ ପ୍ରାୟ ୧୨ଟା ସମୟରେ ଜିଏମ୍ କାର୍ଯ୍ୟାଳୟରେ ବୃକ୍ଷରୋପଣ ସଂପର୍କିତ ମନ୍ତ୍ରୀଙ୍କ ଆଭାସୀ ବୈଠକ ଚାଲିଥିଲା। ଏହି ସମୟରେ ସଂପୃକ୍ତ ୪ ଜଣ ମହିଳା ତାଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଥିଲେ। ଶ୍ରୀ ଝା’ ସେମାନଙ୍କୁ ପଚାରିବା ପରେ ସେମାନେ ଦାଦାବଟି ମାଗିବା ସହିତ ସେମାନଙ୍କ ପିଲାଙ୍କୁ ଚାକିରିରେ ଲଗାଇ ଦେବାକୁ କହିଥିଲେ। ତେବେ ଆଲୋଚନା କରିବା ପାଇଁ ଶ୍ରୀ ଝା’ ସେମାନଙ୍କୁ ନିଜ ଚାମ୍ବରକୁ ଡାକିଥିଲେ। ଶ୍ରୀ ଝା’ ଆଗେ ଆଗେ ଯାଇ ନିଜ ଚଉକିରେ ବସିବାକୁ ଯାଉଥିବା ବେଳେ ପଛରୁ ଶ୍ରୀମତୀ ବେହେରା ଆସି ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଚପଲରେ ଆକ୍ରମଣ କରିଥିଲେ। ମହିଳାମାନେ ଉଦ୍ଦେଶ୍ୟମୂଳକ ଭାବେ ଆସି ତାଙ୍କ ଉପରେ ଆକ୍ରମଣ କରିଥିବା ନେଇ ଶ୍ରୀ ଝା’ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ବନହରପାଲି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ସହିତ ଅଭିଯୁକ୍ତଙ୍କୁ ଅଟକ ରଖିଥିଲା।
ଅଭିଯୁକ୍ତମାନେ ବେକାର ଯୁବକଯୁବତୀଙ୍କଠାରୁ ଅର୍ଥ ସଂଗ୍ରହ କରି ନିଯୁକ୍ତି ଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି ଓ ଉକ୍ତ ଯୁବକଯୁବତୀଙ୍କ ନିଯୁକ୍ତି ପାଇଁ ଚାପ ସୃଷ୍ଟି କରିବାକୁ ଏହି ଆକ୍ରମଣ ହୋଇଥାଇପାରେ ବୋଲି ଶ୍ରୀ ଝା’ ଅଭିଯୋଗ କରିଛନ୍ତି। ବେଆଇନ ଭାବେ ନିଯୁକ୍ତିକୁ ସେ ସମର୍ଥନ କରୁନଥିବାରୁ ଅନେକ ଲୋକ ଅସନ୍ତୁଷ୍ଟ ଅଛନ୍ତି। ତେଣୁ ଆକ୍ରମଣକାରୀମାନେ ସେମାନଙ୍କ ମଧ୍ୟରୁ ହୋଇଥିବାର ଆଶଙ୍କା କରାଯାଉଥିବା ସେ କହିଛନ୍ତି। ସେପଟେ, ଭାଇରାଲ୍ ହେଉଥିବା ଭିଡିଓରେ ଅଭିଯୁକ୍ତ ପାର୍ବତୀ ବେହେରା, ତାଙ୍କ ଜମି ଯାଇଥିବା ନେଇ କହୁଥିବା ବେଳେ ବାରମ୍ବାର ସେ ଗିରଫ ହେବା ପାଇଁ ପ୍ରସ୍ତୁତ ବୋଲି କହୁଥିବା ଶୁଣିବାକୁ ମିଳିଛି।