କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପରୀକ୍ଷା ଓ ମୂଲ୍ୟାୟନ ସ୍ଥଗିତ

ମାଟ୍ରିକ ଓ ଯୁକ୍ତ୨ ମୂଲ୍ୟାୟନ ସ୍ଥଗିତ
ଆଇସିଏସ୍‌ଇ ପରୀକ୍ଷା ବାତିଲ୍‌
୨୩ରୁ ଯୁକ୍ତ ୨ ପରୀକ୍ଷା ବାତିଲ
ବଢ଼ିଲା ଓଜେଇଇ ଆବେଦନ ତାରିଖ

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗ (ୟୁଜିସି) ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ଅଧୀ‌ନରେ ଥିବା ମହାବିଦ୍ୟାଳୟଗୁଡ଼ିକ ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। କରୋନା ପାଇଁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ପରୀକ୍ଷା ଘୁଞ୍ଚାଯିବା ସହ ୩୧ ମାର୍ଚ୍ଚ ପରେ ନୂତନ ତାରିଖ ଘୋଷଣା କରାଯିବ। ସେହିପରି ପରୀକ୍ଷା ଖାତା ମୂଲ୍ୟାୟନ ମଧ୍ୟ ୩୧ ତାରିଖ ପରେ ପୁନଃ ନିର୍ଦ୍ଧାରଣ କରାଯିବ। ସମସ୍ତ ଶିକ୍ଷାନୁଷ୍ଠାନ ବୈଦ୍ୟୁତିକ ଗଣମାମାଧ୍ୟମ ଜରିଆରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଯୋଗାଯୋଗ ରଖିବେ। ସେମାନଙ୍କୁ ଶିକ୍ଷାନୁଷ୍ଠାନର ପରୀକ୍ଷା ପରିଚାଳନା, ପାଠପଢ଼ା ଭଳି ସମସ୍ତ ବିଷୟରେ ନିୟମିତ ସୂଚନା ପ୍ରଦାନ କରିବେ। ଫଳରେ ପିଲାମାନଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ। ସବୁ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ସହାୟତା ନମ୍ବର ଓ ଇ-ମେଲ୍‌ ବ୍ୟବସ୍ଥା ଉପଲବ୍ଧ କରିବାକୁ କୁହାଯାଇଛି। ଅନ୍ୟପକ୍ଷରେ ରାଜ୍ୟ ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସମସ୍ତ ବିଶ୍ୱବିଦ୍ୟାଳୟ ଓ ଏହା ଅଧୀନ ସରକାରୀ, ଘରୋଇ କଲେଜର ପରୀକ୍ଷା ଓ ମୂଲ୍ୟାୟନକୁ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାନୁ ନିର୍ଦ୍ଦେଶ ଦିଆଯାଇଛି।

‌‌‌ସେହିପରି ସଂକ୍ରମଣକୁ ଦୃଷ୍ଟିରେ ରଖି କାଉନସିଲ୍‌ ଫର୍ ଦି ଇଣ୍ଡିଆନ୍‌ ସ୍କୁଲ୍ ସାର୍ଟିଫିକେଟ୍‌ ଏକଜାମିନେସନ୍‌ (ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଦଶମ (ଆଇଇସିଏସ୍ଇ) ଓ ଦ୍ୱାଦଶ(ଆଇଏସ୍‌ସି) ଶ୍ରେଣୀ ପରୀକ୍ଷା ବାତିଲ ହୋଇଛି। ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଇ ମାର୍ଚ୍ଚ ୧୯ରୁ ୩୧ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଉଭୟ ଶ୍ରେଣୀର ପରୀକ୍ଷା ବାତିଲ ହୋଇଛି। ବାତିଲ ହୋଇଥିବା ପରୀକ୍ଷାଗୁଡ଼ିକ କେବେ ହେବ, ସେନେଇ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ଏନେଇ ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷକଙ୍କୁ ଅବଗତ କରାଇବା ପାଇଁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ଆଜିଠୁ ଆରମ୍ଭ ହୋଇଥିବା ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। କରୋନା ଭୂତାଣୁ ବ୍ୟାପିବାକୁ ହ୍ରାସ ନିମନ୍ତେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥିସହ ଚଳିତ ମାସ ଶେଷ ସପ୍ତାହରେ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ପରୀକ୍ଷା ଖାତା ମୂଲ୍ୟାୟନକୁ ବି ସ୍ଥଗିତ ରଖାଯାଇଛି। କେବେଠୁ ପୁଣିଥରେ ଏହା ଆରମ୍ଭ ହେବ, ତାହା ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତି‌ରେ କୁହାଯାଇଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଆସନ୍ତା ୨୩ ତାରିଖଠାରୁ ବାତିଲ ହେବ। ତେବେ ୨୦ ଓ ୨୧ ତାରିଖରେ ହେବାକୁ ଥିବା ବିଭିନ୍ନ ବିଷୟର ପରୀକ୍ଷା ଯଥାରୀତି ଅନୁଷ୍ଠିତ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଛାତ୍ରଛାତ୍ରୀ ଓ ପରୀକ୍ଷା ପରିଚାଳକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି। ବାତିଲ ହୋଇଥିବା ବିଷୟର ପରୀକ୍ଷା ପୁଣି କେବେ ହେବ, ସେନେଇ ପରେ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଗତ ମାର୍ଚ୍ଚ ୩ରୁ ଆରମ୍ଭ ହୋଇଥିବା ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୨୮ ତାରିଖରେ ଶେଷ ହେବାର ଥିଲା।

ଓଜେଇଇ ଆବେଦନ ଅବଧିକୁ ମଧ୍ୟ ବଢ଼ାଇ ଦିଆଯାଇଛି। ମେ’ ପ୍ରଥମ ସପ୍ତାହରେ ଓଜେଇଇ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ଆବେଦନ ପ୍ରକ୍ରିୟା ଶୁକ୍ରବାର ବା ମାର୍ଚ୍ଚ ୨୦ରେ ଶେଷ ହେଉଥିଲା। ଏବେ ଏହି ଅବଧିକୁ ଘୁଞ୍ଚାଇ ଦିଆଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ମାର୍ଚ୍ଚ ୩୧ମଧ୍ୟରେ ଅନ୍‌ଲାଇନ୍‌ରେ ଫି’ ଦାଖଲ କରିପାରି‌ବେ। ଏପ୍ରିଲ୍‌ ୨୦ ଠାରୁ ପରୀକ୍ଷାର୍ଥୀମାନେ ଆଡ୍‌ମିଟ୍‌ କାର୍ଡ ଡାଉନଲୋଡ୍‌ କରିପାରିବେ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି। ଓଡ଼ିଶାରେ ଥିବା ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ଓ କଲେଜର ବି.ଫର୍ମା, ଏମ୍‌ବିଏ, ଏମ୍‌ସିଏ, ଏମ୍.ଟେକ୍, ଏମ୍. ଟେକ୍ ପାର୍ଟଟାଇମ୍, ଏମ୍. ଆର୍କିଟେକ୍‌, ଏମ୍ ଫାର୍ମା, ଇଣ୍ଟିଗ୍ରେଟେଡ୍ ଏମ୍‌ବିଏ, ଲାଟେରାଲ ଏଣ୍ଟ୍ରି ବି.ଟେକ୍/ବି.ଫାର୍ମାରେ ନାମ ଲେଖାଇବା ଲାଗି ଓଜେଇଇ ଅନୁଷ୍ଠିତ ହେବ। ଏହି ପରୀକ୍ଷାକୁ କମ୍ପ୍ୟୁଟର୍‌ ବେସଡ୍‌ ଟେଷ୍ଟ (ସିବିଟି) ଫର୍ମାଟ୍‌ରେ କରାଯିବ। ଅଧିକ ବିବରଣୀ ପାଇଁ ଛାତ୍ରଛାତ୍ରୀମାନେ www.ojee.nic.in/www.odishajee.com ୱେବ୍‌ସାଇଟ୍‌ ଦେଖିବାକୁ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି।

ସମ୍ବନ୍ଧିତ ଖବର