ରେଭେନ୍ସା ବିଶ୍ବବିଦ୍ୟାଳୟର ସବୁ ପରୀକ୍ଷା ବାତିଲ୍, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ

କଟକ: ବାତିଲ ହେଲା ରେଭେନ୍ସାର ସବୁ ପରୀକ୍ଷା । ରେଭେନ୍ସାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ କର୍ତ୍ତୃପକ୍ଷଙ୍କ ପଦକ୍ଷେପ । ସ୍ଥିତି ସ୍ୱାଭାବିକ ନହେବା ଯାଏଁ ସବୁ ପରୀକ୍ଷା ବାତିଲ ହୋଇଛି । ଆଜିଠୁ ଅଫଲାଇନ ଶିକ୍ଷାଦାନ ବନ୍ଦ ରହିଥିବାବେଳେ ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ ହେବ । ରେଭେନ୍ସାରେ ପ୍ରଥମେ ଗୋଟିଏ ବିଭାଗରୁ ଜଣେ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ହଷ୍ଟେଲରେ ଦୁଇ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ଯାହାକି ଏବେ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ହଷ୍ଟେଲରେ ରହୁଥିବା ଅନ୍ୟ ଛାତ୍ରୀଙ୍କୁ ଆସନ୍ତା ଦୁଇଦିନ ମଧ୍ୟରେ ହଷ୍ଟେଲ ଛାଡିବାକୁ ପରାମର୍ଶ ଦିଆଯାଇଛି। ଆକ୍ରାନ୍ତ ହୋଇଥିବା ଦୁଇଜଣ ଛାତ୍ରୀ ଷ୍ଟଡିରୁମ ସହ ଶୌଚାଳୟ ବି ବ୍ୟବହାର କରିଥିଲେ ।

ତେଣୁ ସେମାନଙ୍କ ସହ ମିଶିଥିବା ସହପାଠୀ ଆଶଙ୍କା ମଧ୍ୟରେ ଅଛନ୍ତି । ଚଳିତ ମାସର ୨୪ ଦିନ ମଧ୍ୟରେ କେବଳ ୨ ତାରିଖ, ୫ ତାରିଖ ଓ ୮ ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ଶୂନ ରହିଥିବା ବେଳେ ଅନ୍ୟ ସବୁ ଦିନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଧିକ ଲୋକ କଟକ ବାହାରୁ ଆସିଛନ୍ତି। ଏବେ ନିଗମ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଓ ଟେଷ୍ଟିଂକୁ ଅଧିକ ଗୁରୁତ୍ବ ଦିଆଯଉଛି।

ସିଏମସି ରାପିଡ ରେସ୍ପନ୍ସ ଟିମ ଓ କଣ୍ଟ୍ରୋଲ ରୁମକୁ ଅଧିକ ଆକ୍ଟିଭ୍ କରାଯାଇଛି। ଆସନ୍ତା ଦିନରେ କୋଭିଡ ନିୟମକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ସିଏମସି କମିସନର ଅନନ୍ୟା ଦାସ କହିଛନ୍ତି।

ସମ୍ବନ୍ଧିତ ଖବର