୧୨ କିଲୋମିଟର ଦୂରରେ ପରୀକ୍ଷା କେନ୍ଦ୍ର

ନଠୁଆବର: ରସୁଲପୁର ବ୍ଲକ୍‌ ଗନ୍ଧଣ ପଞ୍ଚାୟତରେ ୧୨ କିଲୋମିଟର ଦୂରରେ ମାଟ୍ରିକ୍‌ ପରୀକ୍ଷାକେନ୍ଦ୍ର କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ମାଟ୍ରିକ୍‌ ସମେଟିଭ୍‌-୧ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଆଜି ଆଡମିଟ୍‌ କାର୍ଡ ଡାଉନଲୋଡ କରିବା ପରେ ଏହା ଜଣାପଡ଼ିଥି‌ଲା। ଗନ୍ଧଣ ଦ୍ବୀପାଞ୍ଚଳ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷାକେନ୍ଦ୍ର ବିଦ୍ୟାଳୟରୁ ୧୨ କିଲୋମିଟର ଦୂର ଓଡ଼ଙ୍ଗ ସରକାରୀ ଉଚ୍ଚବିଦ୍ୟାଳୟରେ ହୋଇଛି। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଯୋଗ୍ୟ ଯେ, ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ନଭେମ୍ବର ୨୩ ତାରିଖରୁ ସମେଟିଭ-୧ ପରୀକ୍ଷା କରାଯିବ। ପୂର୍ବରୁ ଦ୍ବୀପାଞ୍ଚଳ ଉଚ୍ଚ ବିଦ୍ୟାଳୟର ମାଟ୍ରିକ୍‌ ପରୀକ୍ଷାକେନ୍ଦ୍ର ୪ କିଲୋମିଟର ଦୂରରେ ଥିବା ଆଦମପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ହେଉଥିଲା। ଏଥର ୧୨ କିଲୋମିଟର ଦୂର ଏବଂ ଛାତ୍ରଛାତ୍ରୀମାନେ ୧୬ ନମ୍ବର ଜାତୀୟ ରାଜପଥ ଦେଇ ପରୀକ୍ଷା କେନ୍ଦ୍ରକୁ ଯିବାକୁ ବାଧ୍ୟ ହେବେ। ଏହାକୁ ନେଇ ବହୁ ଅଭିଭାବକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଣେ ଅଭିଭାବକ ନିମାଇଁ ଦାସ ଦର୍ଶାଇଛନ୍ତି ଯେ, ସେ ଜଣେ ଗରିବ ଲୋକ। ଦଶମ ଶ୍ରେଣୀରେ ପଢ଼ୁଥିବା ତାଙ୍କ ଝିଅକୁ ସାଇକଲରେ ପରୀକ୍ଷା କେନ୍ଦ୍ରକୁ ନେଇଥାନ୍ତେ। ଏବେ ଏତେଦୂର ପରୀକ୍ଷା କେନ୍ଦ୍ରକୁ କିପରି ଜାତୀୟ ରାଜପଥ ଦେଇ ଝିଅ ଯିବ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ବିଚାର କରିବାକୁ ବହୁ ଅଭିଭାବକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର