ଲାଞ୍ଚ ଦେଲେ ବି ବଦଳିଯିବ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର !

ଭୁବନେଶ୍ୱର: ଲାଞ୍ଚ ନେଇ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ବଦଳାଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧିକାରୀ । ଏଭଳି ଗୁରୁତର ଅଭିଯୋଗ କରିଛନ୍ତି ଯୁକ୍ତ ଦୁଇ ପରୀକ୍ଷା କମିଟି ସଭ୍ୟ । ଅଭିଯୋଗ ହୋଇଛି, କିଛି ଅସାଧୁ କର୍ମଚାରୀ ଲାଞ୍ଚ ନେଇ ପରୀକ୍ଷା କେନ୍ଦ୍ର ବଦଳାଇ ଦେଇଛନ୍ତି । କମିଟି ପୂର୍ବରୁ ଦେଇଥିବା ପରୀକ୍ଷା କେନ୍ଦ୍ର ତାଲିକାକୁ ବେଖାତିର କରି ଆଉ ଏକ ତାଲିକା ପ୍ରକାଶ କରାଯାଇଛି । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବେ ବୋଲି ବିଧାୟକ ତଥା କମିଟି ସଦସ୍ୟ ସନ୍ତୋଷ ସିଂ ସାଲୁକା ଓ କିଶୋର ମହାନ୍ତି କହିଛନ୍ତି ।

ଏଭଳି ଅଭିଯୋଗ ଆଣି କମିଟିର ଅନ୍ତରୀଣ ବୈଠକରୁ ଅଧାରୁ କମିଟି ସଭ୍ୟ ବାହାରିଯାଇଛନ୍ତି । ଯେଉଁ କଲେଜରେ ପୂର୍ବ ବର୍ଷ କୌଣସି କପି ହୋଇନାହିଁ କି ପରୀକ୍ଷା କେନ୍ଦ୍ର ବାତିଲ ହୋଇନାହିଁ ସେଠାରେ ପରୀକ୍ଷା କେନ୍ଦ୍ର କରିବା ପାଇଁ କମିଟି ପ୍ରସ୍ତାବ ଦେଇଥିଲା । ତାହାକୁ ବଦଳା ଯାଇଥିବା ନେଇ ଅଭିଯୋଗ ହୋଇଥିବାବେଳେ ଏହାକୁ ଉପପରୀକ୍ଷା ନିୟନ୍ତ୍ରକ ଖଣ୍ଡନ କରିଛନ୍ତି ।

Odisha Sun Times

ଏଠାରେ ସୂଚନା ଥାଉ କି ମାର୍ଚ୍ଚ ୩ରୁ ଆରମ୍ଭ ହେବ +୨ ପରୀକ୍ଷା । ୧୧୪୨ଟି ପରୀକ୍ଷାକେନ୍ଦ୍ରରେ ୩ ଲକ୍ଷ ୪୯ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ତେବେ ପରୀକ୍ଷା କେନ୍ଦ୍ର ପାଇଁ ଫିକ୍ସିଂ ହୋଇଥିବା ଅଭିଯୋଗ, ପୂରା ପ୍ରକ୍ରିୟାକୁ ସନ୍ଦେହ ଘେରକୁ ଟାଣିନେଇଛି ।

ସମ୍ବନ୍ଧିତ ଖବର