ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ୨ ଖାତା ମୂଲ୍ୟାୟନ। ପ୍ରଥମ ଦିନରେ ବିଜ୍ଞାନ ବିଭାଗ ଇଂରାଜୀ ବିଷୟର ଉତ୍ତର ଖାତାଗୁଡ଼ିକ ଇ-ମୂଲ୍ୟାୟନ କରାଯାଇଛି। ରାଜ୍ୟର ୩୬ଟି ମୂଲ୍ୟାୟନ କେନ୍ଦ୍ରରେ ଇ-ମୂଲ୍ୟାୟନ ହେବାକୁ ସ୍ଥିର ହୋଇଥିବା ବେଳେ ପ୍ରଥମ ଦିନରେ ମାତ୍ର ଦୁଇଟି କେନ୍ଦ୍ରରେ ଖାତା ଦେଖା ହୋଇଛି। ଭୁବନେଶ୍ବରର ବିଜେବି ଜୁନିୟର କଲେଜ ଓ କଟକର ଶୈଳବାଳା ମହିଳା ମହାବିଦ୍ୟାଳୟ ଅଧୀନରେ ହୋଇଥିବା ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ପାଇଁ ନିଯୁକ୍ତ ହୋଇଥିବା ଅଧ୍ୟାପକଙ୍କ ମଧ୍ୟରୁ ୭୦ ପ୍ରତିଶତ ଯୋଗଦେଇଛନ୍ତି। ମଙ୍ଗଳବାର ଉକ୍ତ ଦୁଇ କେନ୍ଦ୍ର‌ରେ ଶତ ପ୍ରତିଶତ ଅଧ୍ୟାପକ କାର୍ଯ୍ୟରେ ଯୋଗଦେବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆଶା ପ୍ରକଟ କରିଛି। ବାକି ୩୪ଟି ମୂଲ୍ୟାୟନ କେନ୍ଦ୍ରକୁ ଆସନ୍ତା ଦୁଇ ଦିନ ମଧ୍ୟରେ ବିଶୋଧନ କରାଯାଇ ସେଠାରେ ଇ-ମୂଲ୍ୟାୟନ ଆରମ୍ଭ କରାଯିବ ‌ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଅନ୍ୟପକ୍ଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଆଇଏଏସ୍‌ ଭୂପେନ୍ଦ୍ର ସିଂ ପୁନିଆ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ଗତକାଲି ଅମରେନ୍ଦ୍ର ପଟ୍ଟନାୟକଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। କାର୍ଯ୍ୟରେ ଯୋଗଦେବା ପରେ ଶ୍ରୀ ପୁନିଆ କହିଛନ୍ତି ଯେ ଯୁକ୍ତ୨ ଖାତା ମୂଲ୍ୟାୟନ ଓ ବାକି ଥିବା ପରୀକ୍ଷା କରାଇବା‌ ଆମ ପାଇଁ ବଡ଼ ଆହ୍ବାନ ରହିବ। ପରିଷଦର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରିବି।