ଏକକ ଷାଣ୍ମା‌ସିକ ପରୀକ୍ଷା‌ରେ ବିଭ୍ରାଟ ପ୍ରସଙ୍ଗ : ୫୦ ଲକ୍ଷ ପ୍ରଶ୍ନପତ୍ର ଗଲା କୁଆଡ଼େ?

ଭୁବନେଶ୍ବର : ରାଜ୍ୟରେ ସରକାରୀ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକକ ଷାଣ୍ମାସିକ ପରୀକ୍ଷା ଚାଲିଛି। କିନ୍ତୁ ଏହି ପରୀକ୍ଷାରେ ଆରମ୍ଭରୁ ବିଭ୍ର‌ାଟ ଦେଖା ଯାଇଛି। ଷାଣ୍ମାସିକ ପରୀକ୍ଷା ପାଇଁ ଆବଶ୍ୟକ ଥିଲା ୩ କୋଟି ୫୮ ଲକ୍ଷ ୯୭ ହଜାର ୬୧୦ ପ୍ରଶ୍ନପତ୍ର। ହେଲେ ବିଦ୍ୟାଳୟକୁ ପଠାଯାଇଛି ୩ କୋଟି ୯ ଲକ୍ଷ ୬୪ ହଜାର ୬୧୩ଟି ପ୍ରଶ୍ନପତ୍ର। ଆହୁରି ୪୯ ଲକ୍ଷ ୩୨ ହଜାର ୯୯୭ ପ୍ରଶ୍ନପତ୍ର ବିଦ୍ୟାଳୟରେ ପହଞ୍ଚିନି। ପ୍ରଥମ ଥର ପାଇଁ ସରକାରୀ ବିଦ୍ୟାଳୟଗୁଡ଼ିକର ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ଏକକ ଷାଣ୍ମାସିକ ପରୀକ୍ଷାରେ ଏଭଳି ସାଂଘାତିକ ତ୍ରୁଟି ନଜରକୁ ଆସିଛି। ପାଖାପାଖି ୫୦ ଲକ୍ଷ ପଶ୍ନପତ୍ର ନିଅଣ୍ଟ ହେବାରୁ ବହୁ ବିଦ୍ୟାଳୟରେ ଜେରକ୍ସ ପ୍ରଶ୍ନପତ୍ର ବା କଳାପଟାରେ ପ୍ରଶ୍ନ ଲେଖି ପରୀକ୍ଷା କରାଯାଇଛି। ଏହା ପଛର କାରଣ କ’ଣ? ନିଅଣ୍ଟ ପଡ଼ିଥିବା ଏହି ୫୦ ଲକ୍ଷ ପ୍ରଶ୍ନପତ୍ର ଆଦୌ ଛ‌ପା ଯାଇନି ନା ଆଉ କିଛି? ଯଦି ଛ‌ପା ଯାଇଛି ତେବେ ସେଗୁଡ଼ିକ ବିଦ୍ୟାଳୟକୁ ପଠାଗଲା ନାହିଁ କାହିଁକି? ୫୦ ଲକ୍ଷ ପ୍ରଶ୍ନପତ୍ର ଛ‌‌‌ପା ବା‌ବଦ ଖର୍ଚ୍ଚକୁ ହାତେଇବା ପାଇଁ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଏଭଳି କରି ନାହାନ୍ତି ତ? ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ପାଇଁ ଅନୁଷ୍ଠିତ ଏକକ ଷାଣ୍ମାସିକ ପରୀକ୍ଷା‌‌ରେ ବିଭ୍ରାଟ ହେବା ପରେ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରିଛି। ଯଦି ଆବଶ୍ୟକତାଠାରୁ କମ୍‌ ପ୍ରଶ୍ନପତ୍ର ଛ‌‌ପାଯିବା ପଛର କାରଣ ‌ନେଇ ତନାଘନା ଆରମ୍ଭ ହୋଇଛି। ଏହି ୫୦ ଲକ୍ଷ ପ୍ରଶ୍ନପତ୍ର କୁଆଡ଼େ ଗଲା ବୋଲି ମଧ୍ୟ ପ୍ରଶ୍ନ ଉଠିଛି।

ଯଦି ସାରା ରାଜ୍ୟର ସ୍ଥିତିକୁ ବିଚାରକୁ ନିଆଯାଏ, ତେବେ ୧୪ ପ୍ରତିଶତ କମ୍‌ ପ୍ରଶ୍ନପତ୍ର ପଠାଯାଇଥିଲା। କେବଳ ଝାରସୁଗୁଡ଼ାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ଆବଶ୍ୟକତାଠାରୁ କମ୍‌ ପ୍ରଶ୍ନପତ୍ର ପଠାଯାଇଥିଲା। ଝାରସୁଗୁଡ଼ା ଜିଲ୍ଲା ପାଇଁ ୩ ଲକ୍ଷ ୭୦ ହଜାର ୩୮୮ ପ୍ରଶ୍ନପତ୍ର ଆବଶ୍ୟକ ଥିବା ବେଳେ ୩ ଲକ୍ଷ ୮୭ ହଜାର ୪୯୩ ପ୍ରଶ୍ନପତ୍ର ଅର୍ଥାତ୍‌ ୧୭ ହଜାର ଅଧିକ ପ୍ରଶ୍ନପତ୍ର ଦିଆଯାଇଥିଲା।

ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ବଲାଙ୍ଗୀର ଜିଲ୍ଲାକୁ ଆବଶ୍ୟକତାଠାରୁ ବହୁତ କମ୍‌ ପ୍ରଶ୍ନପତ୍ର ପଠାଯାଇଥିଲା। ଏଠାରେ ୧୬ ଲକ୍ଷ ୧୮ ହଜାର ୧୮୩ ପ୍ରଶ୍ନପତ୍ର ଆବଶ୍ୟକତା ଥିବା ବେଳେ ଯାଇଥିଲା ୧୧ ଲକ୍ଷ ୮ ହଜାର ୮୧୮ ପ୍ରଶ୍ନପତ୍ର। ଅର୍ଥାତ ପ୍ରାୟ ୩୧ ପ୍ରତିଶତ ପିଲାଙ୍କ ପାଇଁ ପ୍ରଶ୍ନପତ୍ର ପହଞ୍ଚି ପାରି ନ ଥିଲା। ସେହିପରି କୋରାପୁଟ ଜିଲ୍ଲାକୁ ୯୯% ପ୍ରଶ୍ନପତ୍ର ପଠାଯାଇଥିବା ବେଳେ ଜଗତ୍‌ସିଂହପୁର ଓ ସୋନପୁର ଜିଲ୍ଲାକୁ ୯୭%, ମୟୂରଭଞ୍ଜକୁ ୯୩%, ଖୋର୍ଧାକୁ ୯୦% ପ୍ରଶ୍ନପତ୍ର ପଠାଯାଇଥିଲା। ବାକି ଜିଲ୍ଲାଗୁଡ଼ିକରେ ୮୦ରୁ ୮୯ ପ୍ରତିଶତ ପ୍ରଶ୍ନପତ୍ର ବଣ୍ଟା ଯାଇଥିଲା।

ଷାଣ୍ମାସିକ ପରୀକ୍ଷାରେ ଏଭଳି ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଅସନ୍ତୋଷ ପ୍ରକାଶ କରିବା ସହ ଆଜି ‌ସମୀକ୍ଷା କରିଛନ୍ତି। ଏଭଳି ଏକକ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ପାଇଁ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟି ପରୀକ୍ଷା ବିଭ୍ରାଟର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବା ସହ ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବ।

ସେହିପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏମ୍‌.ଏଲ୍‌.ଇ. ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆଙ୍କ ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପ୍ରଶ୍ନପତ୍ର ବଣ୍ଟନରେ ସାମାନ୍ୟ ତ୍ରୁଟି ପରିଲକ୍ଷିତ ହୋଇଥିଲା। ତେବେ ପରବର୍ତୀ ସମୟରେ ଏହି ତ୍ରୁଟିକୁ ସୁଧାରି ଦିଆଯାଇଛି।

ସମ୍ବନ୍ଧିତ ଖବର