କଟକ: ୟୁଟ୍ୟୁବ୍ ମାଧ୍ୟମରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ବିକ୍ରି କରୁଥିବା ଏକ ବଡ଼ ରୢାକେଟ୍ ଧରାପଡ଼ିଛି। ଏହି ରୢାକେଟ୍ରେ ସଂପୃକ୍ତ ୪ ଜଣ ୟୁଟ୍ୟୁବର୍ ଓ ସରକାରୀ ସ୍କୁଲର ଜଣେ ଶିକ୍ଷକଙ୍କୁ କଟକ ସାଇବର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଭଦ୍ରକଜିଲ୍ଲା ଧାମନଗର ଥାନା ଅଞ୍ଚଳର ଜ୍ୟୋତିରଞ୍ଜନ ବାରିକ(୨୬), ବରଗଡ଼ ଅତାବିରାର ସାହିଲ କୁମାର ମିଶ୍ର(୨୪), ଟିଟଲାଗଡ଼ର ସୁଶାନ୍ତ କୁମାର ବିଶି(୨୮) ଓ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ସାଇଶଙ୍କର ପାତ୍ର(୧୮)। ଗିରଫ ସହକାରୀ ଶିକ୍ଷକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଘନଶ୍ୟାମ ବେଉରା। ଅଭିଯୁକ୍ତଙ୍କ ଠାରୁ ୬ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ଟାବଲେଟ୍ ଜବତ ହୋଇଛି।
ସୂଚନା ଅନୁଯାୟୀ ଗତବର୍ଷ ନଭେମ୍ବର ୧ରେ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଆସୋସିଏସନ ବା ‘ଓଷ୍ଟା’ର ସଂପାଦକ ରଞ୍ଜନ କୁମାର ଦାଶ ସାଇବର ଥାନାରେ ଏକ ଏତଲା ଦେଇଥିଲେ। ଗତ ଅକ୍ଟୋବର ୨୮ରୁ ନଭେମ୍ବର ୪ ମଧ୍ୟରେ ସ୍କୁଲସ୍ତରରେ ଅଷ୍ଟମରୁ ଦଶମ ଶ୍ରେଣୀ ମଧ୍ୟରେ ଚାଲିଥିବା ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ସେ ଏତଲାରେ ଉଲ୍ଲେଖ କରିଥିଲେ। ଏପରିକ ପୂର୍ବ ବର୍ଷର ‘ପ୍ରି ବୋର୍ଡ’ ପରୀକ୍ଷାର ପ୍ରଶ୍ନପତ୍ର ମଧ୍ୟ ବିଭିନ୍ନ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଭାଇରାଲ୍ କରାଯାଇଥିଲା। ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ଗୁଗଲ୍ ଓ ଅନ୍ୟ ସଂସ୍ଥାଠାରୁ ଏକାଧିକ ବୈଷୟିକ ତଥ୍ୟ ମଗାଯାଇଥିଲା। ଏହି ତଥ୍ୟ ଯାଞ୍ଚ ପରେ ଘଟଣା ପଛରେ ଏକ ବଡ଼ ରୢାକେଟ୍ କାମ କରୁଥିବା ଜଣାପଡ଼ିଥିଲା। କରୋନା ପୂର୍ବରୁ କିଛି ୟୁଟ୍ୟୁବର୍ ଓ ସରକାରୀ ସ୍କୁଲର ଶିକ୍ଷକ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ପରସ୍ପର ସହ ସମ୍ପର୍କ ଯୋଡ଼ିଥିଲେ। କିଛି ଶିକ୍ଷକ ପ୍ରଶ୍ନପତ୍ର ଦେବାକୁ ରାଜି ହେବାରୁ ଭିଡିଓ କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରିବାର ଖେଳ ଆରମ୍ଭ ହୋଇଥିଲା। ଶିକ୍ଷକମାନେ ଗଣିତ ପ୍ରଶ୍ନପତ୍ର ପାଇଁ ୫ ହଜାର, ବିଜ୍ଞାନ ୩ ହଜାର, ସାମାଜିକ ବିଜ୍ଞାନ ପାଇଁ ୨ ହଜାର ଓ ଇଂରାଜୀ ପ୍ରଶ୍ନପତ୍ର ପାଇଁ ୫ ହଜାର ଟଙ୍କା ନେଉଥିଲେ।
ଆଉ ଏହି ପ୍ରଶ୍ନପତ୍ର ପାଇବା ମାତ୍ରେ ପରୀକ୍ଷା ପୂର୍ବରୁ ତାହାକୁ ଭିଡିଓ କରି ୟୁଟ୍ୟୁବ୍ରେ ଛଡ଼ା ଯାଉଥିଲା। ଏହି ଖେଳ ଗଲା କିଛି ବର୍ଷ ହେବ ଲଗାତାର ଚାଲିଛି। ଏହାର ତଥ୍ୟ ପ୍ରମାଣ ପାଇବା ପରେ ଗତକାଲି ସାଇବର ଥାନା ପୁଲିସ ଉପରୋକ୍ତ ୪ ଜଣ ୟୁଟ୍ୟୁବର୍ଙ୍କୁ ଗିରଫ କରିଥିଲା। ସେମାନଙ୍କ ସୂଚନା ଆଧାରରେ ଆଜି ଶିକ୍ଷକ ଜଣକ ଧରାପଡ଼ିଛନ୍ତି। ଅଭିଯୁକ୍ତ ଜ୍ୟୋତିରଞ୍ଜନ ‘ସ୍ମାର୍ଟ ଷ୍ଟଡି ଲର୍ଣ୍ଣ’ ନାମରେ ୟୁଟ୍ୟୁବ୍ ଚ୍ୟାନେଲ୍ ଚଲାଉଥିଲା ବେଳେ ସାହିଲ ‘ଏଜୁକେସନାଲ୍ ଜ୍ଞାନ’ ଚ୍ୟାନେଲ, ସୁଶାନ୍ତ ‘ସ୍ମାର୍ଟ ଓଡିଆ’ ଚ୍ୟାନେଲ ଏବଂ ହିଞ୍ଜିଳିକାଟୁର ସାଇଶଙ୍କର ‘ଭାଇବ୍ରେଟ୍ ଏଜୁକେସନ’ ଚ୍ୟାନେଲ୍ ଖୋଲିଥିଲା। ଏହି ତିନିଟି ୟୁଟ୍ୟୁବ୍ ଚ୍ୟାନେଲ୍କୁ ବ୍ଲକ୍ କରାଯାଇଛି। ଏହି ରୢାକେଟ୍ରେ ସାମିଲ ଅନ୍ୟ ଶିକ୍ଷକଙ୍କୁ ଧରିବାକୁ ଉଦ୍ୟମ ହେଉଥିବା ସାଇବର ଥାନା ଅଧିକାରୀ ରଶ୍ମିତା ଜେନା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)