ଡେଲାଙ୍ଗ: ଡେଲାଙ୍ଗରେ ବାର୍ଡ ଫ୍ଲୁ ଚି଼ହ୍ନଟ ହୋଇଥିବା ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ପଡ଼ୋଶୀ ପିପିଲି ଓ କଣାସ ବ୍ଲକ୍‌ ଅଞ୍ଚଳକୁ ଏହା ବ୍ୟାପିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଡେଲାଙ୍ଗ ବ୍ଲକ୍‌ ଅନ୍ତର୍ଗତ ବଡ଼ଆଙ୍କୁଲା ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ଫାର୍ମରେ ଅସ୍ୱାଭାବିକ ଭାବେ କୁକୁଡ଼ା ମରୁଥିବା ନେଇ ସେ ଡେଲାଙ୍ଗ ପ୍ରାଣୀ ସମ୍ପଦ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇବା ପରେ ଅତିରିକ୍ତ ଜିଲ୍ଲା ପ୍ରାଣୀଧନ ଚିକିତ୍ସାଧିକାରୀ ଡା. ସତ୍ୟବ୍ରତ ଦାଶଙ୍କ ନେତୃତ୍ୱରେ ଜିଲ୍ଲା ପ୍ରାଣୀ ରୋଗ ନିଦାନ କେନ୍ଦ୍ର ମୁଖ୍ୟ ଡା. ରାଜେଶ କୁମାର ସାହୁ, ବ୍ଲକ୍‌ ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରୀତିତୋଷ ମହାପାତ୍ର, ସହ ପ୍ରାଣୀ ଚିକିତ୍ସକ ଡା. ସୋମନାଥ ଦାଶ ପ୍ରମୁଖଙ୍କୁ ନେଇ ଏକ ବିଶେଷଜ୍ଞ ଦଳ ସେହି ଫାର୍ମରୁ କୁକୁଡ଼ାଙ୍କ ସ୍ୱାବ୍‌ ଓ ରକ୍ତନମୂନା ସଂଗ୍ରହ କରି ଫୁଲନଖରାସ୍ଥିତ ପ୍ରାଣୀ ରୋଗ ଗବେଷଣା କେନ୍ଦ୍ର ଜରିଆରେ ଭୋପାଳ ପରୀକ୍ଷାଗାରକୁ ପଠାଇଥିଲେ। ଗତକାଲି ପରୀକ୍ଷା ରିପୋର୍ଟ ଆସିଥିଲା। ଉକ୍ତ ନମୂନାରେ ବାର୍ଡ ଫ୍ଲୁ ସଂକ୍ରମଣ ପଜେଟିଭ୍‌ ଆସିବାରୁ ଜିଲ୍ଲା ପ୍ରାଣୀଧନ ଚିକିତ୍ସାଧିକାରୀ ଡା. ଶରତ କୁମାର ବେହେରା ଡେଲାଙ୍ଗରେ ବାର୍ଡଫ୍ଲୁ ହୋଇଥିବା କଥା ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି।  ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଏଥିନିମନ୍ତେ ସ୍ଥାନୀୟ ଅଞ୍ଚଳରେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

Advertisment

ଆରମ୍ଭ ହେଲା କୁକୁଡ଼ାମରା ଅଭିଯାନ
ପ୍ରଥମ ଦିନରେ ୩୩୧୬ କୁକୁଡ଼ାଙ୍କୁ ମରାଗଲା
୧ କିମି ବ୍ୟାସାର୍ଦ୍ଧ ଭିତରେ ସବୁ କୁକୁଡ଼ାଙ୍କୁ ମରାଯିବ
୭ ରାପିଡ୍‌ ଆକ୍ସନ ଟିମ୍‌ ନିୟୋଜିତ

ବାର୍ଡ ଫ୍ଲୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବେରବୋଇ ପ୍ରାଣୀ ଚିକିତ୍ସାକେନ୍ଦ୍ର ଠାରେ ଆଜି ପୁରୀ ଜିଲ୍ଲାର ପିପିଲି, କଣାସ, ସତ୍ୟବାଦୀ ସହିତ ଜଗତସିଂହପୁର ଜିଲ୍ଲାରୁ ୨ଟି ଓ କେନ୍ଦ୍ରାପଡ଼ାରୁ ୨ଟି ଟିମ୍‌କୁ ମିଶାଇ  ୭ଟି ରାପିଡ୍‌ ରେସପନ୍ସ ଟିମ୍‌ ଡେଲାଙ୍ଗରେ ଆସି ପହଞ୍ଚିଛନ୍ତି। ସଂକ୍ରମଣ ଅଞ୍ଚଳରୁ କୁକୁଡ଼ାଗୁଡ଼ିକୁ ମାରିଦିଆଯିବା ପରେ ସେଗୁଡ଼ିକୁ ଗାତଖୋଳି ଉପଯୁକ୍ତ ସ୍ଥାନରେ ପୋତିବା ପାଇଁ ଡେଲାଙ୍ଗ ତହସିଲଦାର୍‌ ଦେବୀ ପ୍ରସାଦ ଆଚାର୍ଯ୍ୟ ଜଣେ ରାଜସ୍ବ ନିରୀକ୍ଷକଙ୍କୁ ସ୍ଥାନ ଚି଼ହ୍ନଟ ପାଇଁ ନିର୍ଦେଶ ଦେଇଛନ୍ତି। ଡେଲାଙ୍ଗ ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ତଦାରଖ କରୁଥିବା ଜଣାପଡ଼ିଛି। କିନ୍ତୁ ବାର୍ଡ ଫ୍ଲୁ ଚି଼ହ୍ନଟ ହୋଇଥିବା ବଡ଼ଆଙ୍କୁଲାସ୍ଥିତ ପ୍ରଶାନ୍ତ ପ୍ରଧାନଙ୍କ ଫାର୍ମରେ ୪ ହଜାରରୁ ଅଧିକ କୁକୁଡ଼ା ୪/୫ ଦିନ ମଧ୍ୟରେ ମରିଯାଇଥିବା ବେଳେ ଫାର୍ମ କୁକୁଡ଼ାଶୂନ୍ୟ ହୋଇଯାଇଛି। ତେବେ ଉକ୍ତ ଫାର୍ମକୁ ବିଭାଗ ପକ୍ଷରୁ ବ୍ଲିଚିଂ, ଚୂନ ଆଦି ପକାଇ ବିଶୋଧନ କରାଯିବା ସହ ଫାର୍ମର ୧ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଅନ୍ୟ ସମସ୍ତ ଫାର୍ମ ମଧ୍ୟରେ ଥିବା କୁକୁଡ଼ାଙ୍କୁ ମରାଯାଇ ପୋତି ଦିଆଯିବ ବୋଲି ବ୍ଲକ୍‌ ପ୍ରାଣୀ ଚିକିତ୍ସାଧିକାରୀ ଡା. ମହାପାତ୍ର କହିଛନ୍ତି।

ତେବେ ଆଜି ବିଭାଗ ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ କୁକୁଡ଼ାମରା ଅଭିଯାନ ଆରମ୍ଭ ହୋଇଛି। ପ୍ରଥମେ କୋଠବାଡ଼ ପଞ୍ଚାୟତ ଅଧୀନ ବେନୁପଡ଼ା ଗ୍ରାମର ଅମୀୟ ରାୟଙ୍କ ଫାର୍ମରୁ ୩ହଜାର ୩ଶହ ୧୬ଟି କୁକୁଡ଼ା ମରାଯାଇ ପୋତିଦିଆଯାଇଛି। କୁକୁଡ଼ା ମରା ଅଭିଯାନ ଶେଷ ହେବା ପରେ ସେଠାରେ  କୁକୁଡ଼ାମାନଙ୍କ ପାଇଁ ଥିବା କୁକୁଡ଼ାଖାଦ୍ୟ ସବୁ ନଷ୍ଟ କରିଦିଆଯିବା ସହ ଫାର୍ମକୁ ବୈଜ୍ଞାନିକ ପ୍ରଣାଳୀରେ ବିଶୋଧନ କରାଯିବ ବୋଲି ବ୍ଲକ୍‌ ପ୍ରାଣୀ ଚିକିତ୍ସାଧିକାରୀ ଡା. ମହାପାତ୍ର କହିଛନ୍ତି। ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପାଇଁ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଛି। ଡେଲାଙ୍ଗ ବ୍ଲକ୍‌ରେ ବର୍ତ୍ତମାନ ୭ଟି ରାପିଡ୍‌ ରେସପନ୍ସ ଟିମ୍‌ରେ  ୨୮ଜଣଙ୍କୁ  କୁକୁଡ଼ାମରା ଓ ବିଶୋଧନ କାର୍ଯ୍ୟରେ ନିୟୋଜିତ କରାଯାଇଛି।