‘ଏଗ୍‌ଜାମ୍‌ ଓ୍ଵାରିୟର୍ସ’ର ଓଡ଼ିଆ ସଂସ୍କରଣ ଉନ୍ମୋଚିତ

କେବଳ ଛାତ୍ରଛାତ୍ରୀ ନୁହେଁ, ସମସ୍ତଙ୍କ ପାଇଁ ଉପାଦେୟ: ରାଜ୍ୟପାଳ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରଚିତ ପୁସ୍ତକ ‘ଏଗଜାମ ଓ୍ଵାରିୟର୍ସ’ର ଓଡ଼ିଆ ସଂସ୍କରଣ ଆଜି ଜୟଦେବ ଭବନରେ ଲୋକାର୍ପିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କାର୍ଯକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଶ୍ରୀ ଲାଲ କହିଲେ, ଶୈଶବ ହେଉଛି ଶ୍ରେଷ୍ଠ ସଂପଦ। ପିଲାମାନେ ଐଶ୍ୱରିକ ଶକ୍ତିର ଆଧାର। ଏହାର ପ୍ରକାଶ ଓ ବିକାଶ ପାଇଁ ଅନୁକୂଳ ପରିବେଶ ନିର୍ମାଣ ହେବା ଆବଶ୍ୟକ। ପିଲାମାନେ ନିର୍ଭୀକ ହେବା ଆବଶ୍ୟକ। ସତ୍ୟ, ପ୍ରେମ ଓ କରୁଣାର ଆଧାରରେ ଜୀବନକୁ ଗଢ଼ି ତୋଳିବା ଜରୁରୀ। ମ୍ୟାନ୍‌ରୁ ସୁପରମ୍ୟାନ ହେବାର ଯାତ୍ରା ସମସ୍ତଙ୍କର ଧେୟ ହେବା ଦରକାର। ଏହି ପୁସ୍ତକ କେବଳ ଛାତ୍ରଛାତ୍ରୀ ନୁହନ୍ତି ପିତାମାତା ଓ ଶିକ୍ଷକଙ୍କ ପାଇଁ ଉପାଦେୟ ହୋଇପାରିବ। ସେ ଆହୁରିମଧ୍ୟ କହିଥିଲେ ଯେ, ଆଜିର ଛାତ୍ର ହିଁ ଦେଶର ଭବିଷ୍ୟତ। ବର୍ତମାନ ସମୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ନକରାତ୍ମକ ଚିନ୍ତାଧାରାକୁ ଦୂରେଇ ସକାରାତ୍ମକ ଭାବ ଆପଣାଇଲେ ସଫଳତା ଆସିବ ବୋଲି ରାଜ୍ୟପାଳ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ପ୍ରଧାନମନ୍ତ୍ରୀଙ୍କ ସଫଳ ନେତୃତ୍ୱ ଯୋଗୁଁ ଭାରତ ଆଜି ବିଶ୍ୱରେ ଉଚ୍ଚ ମାନ୍ୟତା ପାଇବାରେ ସଫଳ ହୋଇପାରିଛି। ଏହି ପୁସ୍ତକକୁ ଓଡ଼ିଆରେ ପ୍ରକାଶ କରିଥିବା ଓଡ଼ିଶା ବୁକ୍‌ ଏମ୍ପୋରିୟମ ନିକଟରେ ୧୮୮୫ ମସିହାରେ ପ୍ରକାଶ ପାଇଥିବା ମଧୁବର୍ଣ୍ଣବୋଧ ପୁସ୍ତକ ରହିଛି। ଏହାକୁ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦିଆଯିବ ବୋଲି ଶ୍ରୀ ପ୍ରଧାନ କହିଥିଲେ। ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ପ୍ରତିଭା ରାୟ କହିଲେ, ଏହି ପୁସ୍ତକର ମୂଳ ଉଦ୍ଦେଶ୍ୟ ହେଉଛି ପରୀକ୍ଷାର ଚାପକୁ ପିଲାମାନଙ୍କ ମନରୁ ଦୂର କରିବା। ଏହା ଏକ ମନସ୍ତାତ୍ତ୍ୱିକ ଗବେଷଣା ପୁସ୍ତକ। ଆମୋଦ ଓ କୌତୁକଭରା ଶୈଳୀରେ ଏହାକୁ ଲେଖାଯାଇଛି ବୋଲି ଶ୍ରୀମତୀ ରାୟ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ରଘୁନାଥ ପାଣିଗ୍ରାହୀ, ଅଧ୍ୟାପକ ବିଶ୍ୱରଂଜନ ଓ ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ଥିଲେ। ଏହି ଅବସରରେ ‘ଏଗଜାମ ଓ୍ଵାରିୟର୍ସ’ର ଓଡ଼ିଆ ଅନୁବାଦକ ଦୁର୍ଯ୍ୟୋଧନ ଦାସ, ପ୍ରଣବରଂଜନ ଭୂୟାଁ ଓ ହିମାଂଶୁ ଭୂଷଣ ପଣ୍ଡାଙ୍କୁ ସମ୍ବର୍ଧିତ କରାଯାଇଥିଲା। ବିଜୟାନନ୍ଦ ସିଂଙ୍କ ଦ୍ୱାରା ସଂକଳିତ ‘ସାରସ୍ୱତ ଚିତ୍ରଲିପି’ ଅତିଥିମାନଙ୍କୁ ପ୍ରଦାନ କରାଯାଇଥିଲା। ଦେବପ୍ରସାଦ ଦାଶ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।
ସମ୍ବନ୍ଧିତ ଖବର