ଚାନ୍ଦିପୁରରେ କ୍ୟୁଆର୍‌ସାମ୍‌ର ପରୀକ୍ଷଣ

ବାଲେଶ୍ବର: ଚାନ୍ଦିପୁର ଡିଆରଡିଓ କ୍ଷେପଣାସ୍ତ୍ର ଘାଟୀରୁ ଆଜି କ୍ୟୁଆରସାମ୍‌(କ୍ୱିକ୍‌ରିଆକ୍ସନ ଏୟାର ଡିଫେନ୍ସ ମିଜାଇଲ)ର ସଫଳ ପରୀକ୍ଷା କରାଯାଇଛି। ଏହି କ୍ଷେପଣାସ୍ତ୍ରକୁ ଆଜି ଦୁଇଥର ପରୀକ୍ଷା କରାଯାଇଥିଲା। ପ୍ରଥମ ପରୀକ୍ଷଣ ସକାଳ ୧୦ଟା ୧୦ ମିନିଟ୍‌ରେ ହୋଇଥିବା ବେଳେ ଦ୍ବିତୀୟ ବ‌ାର୍‌ ପରୀକ୍ଷଣ ଦ୍ବି-ପ୍ରହର ୧ଟା ୧୫ ମିନିଟ୍‌ରେ ହୋଇଥିବା ଜଣାପଡ଼ିଛି। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ଏହା ଏକ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର। ଏକ ଟ୍ରକ୍‌ରେ ଲାଗିଥିବା କାନିଷ୍ଟରରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଇଥିଲା। ସୂଚନାଯୋଗ୍ୟ, ଏହି କ୍ଷେପଣାସ୍ତ୍ର ଭାରତର ଆକାଶ ସୀମାକୁ ସୁରକ୍ଷା ଦେବ। ଏହା ୯ କିମି ଉଚ୍ଚତା ମଧ୍ୟରେ ୩୦ କିମି ଦୂରତା ପର୍ଯ୍ୟନ୍ତ ଶତ୍ରୁ ପକ୍ଷର ରାଡାର, ଟ୍ୟାଙ୍କ୍‌ ଓ ବଙ୍କର ଆଦିକୁ ଧ୍ୱଂସ କରିବାର କ୍ଷମତା ରଖୁଛି। ଭାରତୀୟ ଆକାଶରେ ବିନା ଅନୁମତିରେ ପ୍ରବେଶ କରୁଥିବା ଶତ୍ରୁପକ୍ଷର ବିମାନ ଓ କ୍ଷେପଣାସ୍ତ୍ରକୁ ଏହା ଅବିଳମ୍ବେ ଧ୍ୱଂସ କରିଦେବ। ପୂର୍ବରୁ ଏହାର ପ୍ରଥମ ପରୀକ୍ଷଣ ୪ ଜୁନ୍‌ ୨୦୧୭ ମସିହାରେ ହୋଇଥିଲା। ପରେ ପରେ ୩ ଜୁଲାଇ ୨୦୧୭, ୨୨ ଡିସେମ୍ବର ୨୦୧୭ ଓ ୮ ଅକ୍ଟୋବର ୨୦୧୮ ମସିହାରେ ଏହାର ବ୍ୟବହାରିକ ପରୀକ୍ଷଣଗୁଡ଼ିକ ସଫଳ ହେବା ପରେ ପ୍ରତିରକ୍ଷା ବିଭାଗରେ ସାମିଲ ହେବାର ସମ୍ଭାବନା ବଢିଯାଇଛି। ଅନ୍ୟପକ୍ଷରେ ଭାରତୀୟ ବାୟୁସେନା ଆଜି ପାକିସ୍ତାନରେ ଥିବା ଟାର୍ଗେଟ ଉପରେ ଆକ୍ରମଣ କରି ଧ୍ୱଂସ କରିବା ପରେ ଏହି ପରୀକ୍ଷାର ଗୁରୁତ୍ୱ ବଢିଯାଇଛି। କ୍ୟୁଆର୍‌ସାମ୍‌ର ଆଜି ସଫଳ ପରୀକ୍ଷା ପରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର