ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଖଇରମାଳ ଗ୍ରାମର ମୁକ୍ତା ଭୁଏ (୩୧)। ଛତୁ ଓ ମାଛ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କୁ ରୋଜଗାର ବାଟ ଦେଖାଇଛନ୍ତି। ସ୍ବାମୀ ବିହାରୀ ଭୁଏଙ୍କ ରୋଜଗାରରେ ପରିବାର ଚଳାଇବା କଷ୍ଟସାଧ୍ୟ ହୋଇପଡ଼ୁଥିଲା। ଫଳରେ ଘରୁ ପଦାକୁ ଗୋଡ଼ କାଢ଼ିଥିଲେ ମୁକ୍ତା। ୨୦୧୭ ମସିହାରେ ୧୦ ଜଣ ମହିଳାଙ୍କୁ ନେଇ ମା’ ରାମଚଣ୍ଡୀ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ। ଆଉ ଆଜି ପର୍ଯ୍ୟନ୍ତ ଉକ୍ତ ଗୋଷ୍ଠୀର ସଭାନେତ୍ରୀ ହୋଇ ଦାୟିତ୍ବ ସମ୍ଭାଳୁଛନ୍ତି। ଏସ୍ଏଚ୍‌ଜି ମାଧ୍ୟମରେ ଋଣ ନେଇ ବିଭିନ୍ନ ବ୍ୟବସାୟରେ ଲଗାଇଥିଲେ ମୁକ୍ତା। ଭଲ ଦୁଇ ପଇସା ରୋଜଗାର ପରେ ୨୦୨୩ରୁ ସିଙ୍ଘିଯୁବା ପଞ୍ଚାୟତ କମିରା ମୌଜା ଖଜୁରିମୁଣ୍ଡାରେ ୨.୫ ଏକର ପରିମିତ ପୋଖରୀକୁ ଲିଜ୍‌ ନେଇ ମାଛ ଚାଷ କରୁଛନ୍ତି।

Advertisment

ଏଥିପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ତାଙ୍କୁ ୪ ହଜାର ଯାଆଁଳ ମାଗଣାରେ ଦିଆଯାଇଥିବା ବେଳେ ମହିଳା ଗୋଷ୍ଠୀର ନିଜସ୍ବ ପାଣ୍ଠିରୁ ୩ ହଜାର ଯାଆଁଳ କିଣି ସେ ପୋଖରୀରେ ଛାଡ଼ିଥିଲେ। ଗତ ଅଗଷ୍ଟ ମାସରେ ସେ ୭୦ ହଜାର ଟଙ୍କାର ମାଛ ବିକ୍ରି କରିଛନ୍ତି ଏବଂ ଆସନ୍ତା ଡିସେମ୍ବର ମାସରେ ପୁଣି ମାଛ ବିକ୍ରୟ କରିବେ ବୋଲି ପ୍ରକାଶ କରିଛନ୍ତି। ମାଛଚାଷ ବ୍ୟତିରେକ ୨୦୧୭ରୁ ମୁକ୍ତା ନିଜ ପୈତୃକ ଜମିରେ ପାଳଛତୁ ଚାଷ କରି ଆସୁଛନ୍ତି। ପ୍ରଥମେ ୧୯୮ ଟଙ୍କାରେ ୭ ବୋତଲ ସ୍ପନ୍ (ଛତୁ ବିହନ) ଆଣି ନିଜ ଘରେ ଛତୁ ଚାଷ ଆରମ୍ଭ କରିଥିଲେ। ଏବେ ସେ ଛତୁ ଚାଷରୁ ଲକ୍ଷାଧିକ ଟଙ୍କା ଆୟ କରୁଥିବାବେଳେ ୧୦ ଜଣ ମହିଳାଙ୍କୁ ମଧ୍ୟ ରୋଜଗାରକ୍ଷମ କରିଛନ୍ତି। ବରଗଡ଼ ଭେଡ଼େନ, ବରପାଲି, ରାମପୁରରୁ ବ୍ୟବସାୟୀମାନେ ତାଙ୍କ ଘରକୁ ଆସି ଛତୁ କିଣି ନେଉଛନ୍ତି। ଆଗକୁ ସେ ବଟନ୍‌ ଓ ଢିଙ୍ଗିରି ଛତୁ ଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି।