ପରୀକ୍ଷା ବିଭ୍ରାଟ : ୬ ବର୍ଷରେ ୧୩ ଥର ବାତିଲ୍‌

କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପ୍ରହସନ, ନାଲିଫିତା ତଳେ ଫାଇଲ୍‌, କାର୍ଯ୍ୟାନୁଷ୍ଠାନ ଶୂନ

ଭୁବନେଶ୍ବର : ମାଟ୍ରିକ୍‌ଠାରୁ ଯୁକ୍ତ୨ ହେଉ ଅଥବା ସ୍ନାତୋକଠାରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ; ବିଗତ ୬ ବର୍ଷ ହେଲା ସବୁ ପରୀକ୍ଷା ପରିଚାଳନାରେ ସୃଷ୍ଟି ହେଉଛି ବିଭ୍ରାଟ। କେତେବେଳେ ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ହୋଇଯାଉଛି ତ ଆଉ କେତେବେଳେ ଯୁକ୍ତ୩ ପ୍ରଶ୍ନପତ୍ରରେ ସିଲାବସ୍‌ ବାହାରୁ ଆସୁଛି ପ୍ରଶ୍ନ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ହେୟଜ୍ଞାନ ହେଉ ଅଥବା ପରୀକ୍ଷା ପରିଚାଳନା କରୁଥିବା ବୋର୍ଡର ତ୍ରୁଟି ପାଇଁ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଓ ଭବିଷ୍ୟତ ବାଜିରେ ଲାଗୁଛି। ପରୀକ୍ଷା ପରିଚାଳନାରେ ବିଭ୍ରାଟ ନେଇ ଅଭିଯୋଗ ହେଉଛି। ତଦନ୍ତ ପାଇଁ କମିଟି ଗଠନ କରାଯାଉଛି। ତଥାପି ସ୍ଥିତିରେ ସୁଧାର ଆସୁନି। ଯେସାକୁ ତେସା ନ୍ୟାୟରେ ଚାଲିଛି ସବୁକିଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଗତ ୬ ବର୍ଷରେ ବିଭିନ୍ନ ପରୀକ୍ଷା ପରିଚାଳନାରେ ୧୩ଥର ବିଭ୍ରାଟ ହୋଇଛି। ପ୍ରଶ୍ନପତ୍ର ଲିକ୍‌, ସିଲାବସ୍‌ ବାହାରୁ ପ୍ରଶ୍ନପତ୍ର, ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର ଦିଆଯିବା ପରି ଘଟଣା ଯୋଗୁଁ ପରୀକ୍ଷା ବାତିଲ୍‌ ହୋଇଛି। ଏମିତି ହୋଇଛି ଯେ ପରୀକ୍ଷା ଦେଇ ହଲ୍‌ରୁ ବାହାରିବା ପରେ ପରୀକ୍ଷାର୍ଥୀଙ୍କୁ ନିରାଶ ହେବାକୁ ପଡ଼ିଛି। ପରୀକ୍ଷାକୁ ବାତିଲ୍‌ କରି ଦିଆଯାଇଛି। ପୁଣିଥରେ ପରୀକ୍ଷା ଦେବାକୁ ପଡ଼ିଛି। ଅନେକଥର ଏଭଳି ଘଟଣା ହୋଇଥିଲେ ମଧ୍ୟ ରୋକ୍‌ ଲଗା ଯାଇପାରିନାହିଁ। କେତେକ ଘଟଣାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚକୁ ଦିଆଯାଇଛି। କିନ୍ତୁ ଦୋଷୀ ଧରା ହେଉନାହାନ୍ତି କି ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇପାରିନି।

ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଲିକ୍‌ ହୋଇଯାଉଥିବାରୁ ମାଟ୍ରିକ୍‌ ଓ ଯୁକ୍ତ୨ ପରୀକ୍ଷା ପରିଚାଳନା ପାଇଁ ସ୍ବତନ୍ତ୍ର ହବ୍‌ ପ୍ରତିଷ୍ଠା ହେଉଛି। ସେଠାରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯାଉଛି। ସିସିଟିଭି କ୍ୟାମେରା ନଜରରେ ହବ୍‌ ଓ ପ୍ରଶ୍ନପତ୍ର ରହୁଛି। ଏହାପରେ ବି ପ୍ରଶ୍ନପତ୍ର ଭାଇରାଲ୍‌କୁ ରୋକି ହେଉନାହିଁ। ଗତବର୍ଷ ମାଟ୍ରିକ୍‌ ପରୀକ୍ଷା ବେଳେ ବିଭିନ୍ନ ବିଷୟର ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପୂର୍ବରୁ ମୋବାଇଲରୁ ମୋବାଇଲ୍‌କୁ ଡେଇଁଥିଲା ପ୍ରଶ୍ନପତ୍ର। ଏହାପରେ ଯୁକ୍ତ୨ ପରୀକ୍ଷାର ସୁରକ୍ଷା ପାଇଁ ଚେଇଁ ଉଠିଥିଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ପରୀକ୍ଷା ସମୟରେ କେନ୍ଦ୍ର ଭିତରକୁ ମୋବାଇଲ୍‌ ବାରଣ ହୋଇଥିଲା। ନିୟମକୁ କିଛି କଲେଜ ମାନିଲେ, ଆଉ କିଛି ହେୟଜ୍ଞାନ କଲେ। କିନ୍ତୁ ପୁରୀ ଜିଲ୍ଲା କୋଣାର୍କରେ ଥିବା ଏକ ପରୀକ୍ଷା କେନ୍ଦ୍ରରେ ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର ବଣ୍ଟା ଯିବାରୁ ସେଠାରେ ପରୀକ୍ଷା ବାତିଲ୍‌ କରିବାକୁ ପଡ଼ିଲା। ପୁଣିଥରେ ପରୀକ୍ଷା ହେଲା। ତଦନ୍ତ ପାଇଁ କମିଟି ଗଠନ ହୋଇଥିଲା, କିନ୍ତୁ କାର୍ଯ୍ୟାନୁଷ୍ଠାନ ଆଖିଦୃଶିଆ ହେଲାନି।

୨୦୧୩ରେ ଯୁକ୍ତ୨ ପରୀକ୍ଷା ବେଳେ ବି ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ଦାୟିତ୍ବ ଦିଆଗଲା। ତଦନ୍ତ କୁଆ‌ଡ଼େ ଗଲା? କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା? ତାହା କେହି ଜାଣିପାରିଲେ ନାହିଁ। ତରବରିଆ ଭାବେ କିଛି ତଳିଆ କର୍ମଚାରୀଙ୍କୁ ସସ୍‌ପେଣ୍ତ କରାଗଲା। ଜଣେ ଦୁଇ ଜଣଙ୍କୁ ଗିରଫ କରାଗଲା। ସେହିପରି ୨୦୧୩, ୨୦୧୫, ୨୦୧୬‌ରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ଅଧୀନ ଇଞ୍ଜିନିୟରି˚ କଲେଜ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ୨୦୧୩ରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଲାଗି ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ। ୬ବର୍ଷ ବିତିଗଲାଣି, ତଥାପି ତଦନ୍ତ ସରୁନି। ୩୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ପ୍ରଭାବିତ ହୋଇଥିଲେ। ଦୋଷୀ ଧରା ହେଲେନି କି କାର୍ଯ୍ୟାନୁଷ୍ଠାନ ହେଲାନି।

ସବୁଠାରୁ ଚିନ୍ତାର ବିଷୟ ହେଉଛି, ବିଭିନ୍ନ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା କଲେଜରେ ଅନୁଷ୍ଠିତ ହେଉଥିବା ପରୀକ୍ଷାରେ ପ୍ରତିବର୍ଷ ବିଭ୍ରାଟ ହେଉଛି। ଏଠି ପ୍ରଶ୍ନପତ୍ର ଲିକ୍‌ ହେଲେ ବି ତାହା କଲେଜ ଭିତରେ ଚାପି ହୋଇଯାଉଛି। ହେଲେ ବାହାର ସିଲାବସ୍‌ରୁ ପ୍ରଶ୍ନପତ୍ର ଆସିବା ଏଠାରେ ନିତିଦିନିଆ ଘଟଣା ହୋଇଯାଇଛି। ଗତକାଲି ଉତ୍କଳ ବିଶ୍ବବିଦ୍ୟାଳୟରେ ଏଭଳି ଘଟଣା ହୋଇଛି। ପ୍ରଶ୍ନପତ୍ରରେ ସିଲାବସ୍‌ ବାହାରୁ ପ୍ରଶ୍ନ ଆସିଥିବାରୁ ପରୀକ୍ଷା ବାତିଲ୍‌ ହୋଇଛି। ୨୦୧୯ରେ ଏପର୍ଯ୍ୟନ୍ତ ଓଟିଇଟି ଓ ଉତ୍କଳ ବିଶ୍ବବିଦ୍ୟାଳୟ ପରୀକ୍ଷା ବାତିଲ୍‌ ହୋଇଛି। ଏଥିସହ ୨୦୧୮ରେ ବିଭିନ୍ନ ଚାକିରି ପାଇଁ ଅନୁଷ୍ଠିତ ପରୀକ୍ଷାକୁ ବାତିଲ୍‌ କରାଯାଇଥିଲା। ଏହାର ପ୍ରଭାବ ଛାତ୍ରଛାତ୍ରୀ, ପରୀକ୍ଷାର୍ଥୀଙ୍କ ମାନସିକତା ଓ ଭବିଷ୍ୟତ ଉପରେ କିଭଳି ପଡ଼ୁଛି, ସେଥିପ୍ରତି କାହାର ହେୟଜ୍ଞାନ ନାହିଁ।

ଶିକ୍ଷାବିତ୍‌ଙ୍କ କହିବା କଥା ହେଉଛି ଯେ ପୂର୍ବରୁ ଯେତେଥର ପ୍ରଶ୍ନପତ୍ର ଲିକ୍‌ ହୋଇଛି ସେତେବେଳେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହୋଇନି। ଯେଉଁଥିପାଇଁ ବାରମ୍ବାର ଏଭଳି ଘଟଣା ହେଉଛି। ଶିକ୍ଷକ ହୁଅନ୍ତୁ ଅଥବା ପରୀକ୍ଷା କେନ୍ଦ୍ରର ସୁପରିନ୍‌ଟେଣ୍ଡେଣ୍ଟ, ଯେଉଁମାନେ ପରୀକ୍ଷା ପରିଚାଳନାରେ ବିଭ୍ରାଟ କରୁଛନ୍ତି, ସେମାନଙ୍କୁ ଧରାଯାଉ। ନହେଲେ ଏଭଳି ସମସ୍ୟା ସୃଷ୍ଟି ହେଉଥିବ। ଟେକ୍ନୋଲୋଜିର ବିକାଶ ହୋଇଥିବାରୁ ପ୍ରଶ୍ନପତ୍ର ଭାଇରାଲ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ହେବ।

ସମ୍ବନ୍ଧିତ ଖବର