ସମ୍ବଲପୁରରେ ବନ୍ଦ ଦିନ ପ୍ରଭାବିତ ହେବନି ପରୀକ୍ଷା​

ସମ୍ବଲପୁର: ‌ଆସନ୍ତା ୨୩  ତାରିଖ ସମ୍ବଲପୁର ବନ୍ଦ ସମୟରେ ଅତ୍ୟାବଶ୍ୟକ ସେବା ସାଂଗକୁ ଶିକ୍ଷାନୁଷ୍ଠାନଗୁଡିକରେ ହେବାକୁ ଥିବା ପରୀକ୍ଷାକୁ ବାଦ୍ ଦିଆଯାଇଛି।  ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ କୌଣସି ବାଧା ଦିଆଯିବ ନାହିଁ। ପରୀକ୍ଷାର୍ଥୀ ତଥା ପରୀକ୍ଷକଙ୍କୁ ନେଇ ଯାଉଥିବା ଯାନବାହାନଗୁଡ଼ିକୁ ମଧ୍ୟ ବନ୍ଦରୁ ବାଦ୍ ଦିଆଯାଇଛି। ପରୀକ୍ଷାର୍ଥୀ ଓ ପରୀକ୍ଷକଙ୍କୁ ନେଇ ଯାଉଥିବା ଗାଡ଼ିମଟର ଯେପରି ଅନାୟାସରେ ଯାତାୟାତ କରିବ ତାକୁ ସୁନିଶ୍ଚିତ କରାଯିବ ବୋଲି ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ବହୁ ବର୍ଷରୁ ଜନସାଧାରଣ ତଥା ଓକିଲମାନେ ଆନ୍ଦୋଳନ ଚଳାଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଠୋସ୍ ପଦକ୍ଷେପ ନେବା ପରିବର୍ତ୍ତେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ପଶ୍ଚିମ ଓଡ଼ିଶାକୁ ଓଡିଶାରୁ ପୃଥକ କରି ସ୍ବତନ୍ତ୍ର ରାଜ୍ୟ ପ୍ରତିଷ୍ଠା ଦାବିରେ ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି ୨୩ ତାରିଖରେ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦେଇଛି।

କମିଟିର ଆବାହକ ଅରବିନ୍ଦ ମହାପାତ୍ରଙ୍କ ସଭାପତିତ୍ୱରେ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ କଠୋର ସମାଲୋଚ଼ନା କରାଯାଇଥିଲା। ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଇ ନଦେବା ପାଇଁ ହେଉଥିବା ଷଡ୍‌ଯନ୍ତ୍ରରେ ସଂଶ୍ଲିଷ୍ଟ ସମସ୍ତ ପକ୍ଷଙ୍କୁ ଭର୍ସନା ମଧ୍ୟ କରାଯାଇଥିଲା। ୨୩ ତାରିଖ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର, ଅଫିସ, କଚେରୀ, ଗାଡ଼ି ଚଳାଚଳକୁ ବନ୍ଦ ରଖିବା ପାଇଁ ଆହ୍ବାନ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ୨୩ ତାରିଖ ଦିନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ମାଟ୍ରିକ ସମିଟିଭ୍‌ ଆସେସମେଣ୍ଟ-୧ ପରୀକ୍ଷା ଆରମ୍ଭ ହେଉଛି। ଏହି ଦିନ ଦ୍ବିତୀୟ ଭାଷା ବିଷୟ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର