ସୁଙ୍କିରେ ମାଫିଆ ରାଜ୍‌: ଖୋଳିନେଲେ ୨୨ ଲକ୍ଷ ଟଙ୍କାର ରତ୍ନ ପଥର

ପ୍ରଶାସନ ଓ ପୁଲିସ ନାକେ ଦମ୍, ଆରଆଇଙ୍କ ତନାଘନା

କୋରାପୁଟ: ପ୍ରଥମେ ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତ ପରେ ଏବେ ସେହି ବ୍ଲକ ସୁଙ୍କି ପଞ୍ଚାୟତ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ ପେଦାପାଡୁ, ଜାମୁଗୁଡା ଓ ଗଞ୍ଜେଇପାଡୁ ଗାଁରେ ରତ୍ନପଥର ଖୋଳାକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହି ୩ ଗାଁର ଜମିଜମା ଓ ନଦୀ ଅବବାହିକା ଉପରେ ମାଫିଆଙ୍କ ଆଖି ପଡ଼ିଛି। । ପ୍ରାୟ ୫ ମାଫିଆ ଆଜକୁ ୧୫ ଦିନ ହେଲା ଏକର ଏକର ପା‌ହାଡ଼ିଆ ସ୍ଥାନ ଖୋଳି ୨୨ ଲକ୍ଷ ଟଙ୍କାର ରତ୍ନପଥର ଲୁଟି ନେଇଛନ୍ତି। ଏନେଇ ୨ଟି ଭିଡିଓ ଭାଇରାଲ ହେବା ପରେ ପ୍ରଶାସନ ଓ ପୁଲିସ ପହଞ୍ଚି ଖନନକୁ ବନ୍ଦ କରିବାକୁ ଚେଷ୍ଟା କରିବାରୁ ବିବାଦ ଆରମ୍ଭ ହୋଇଛି। ଫଳରେ ଉଭୟଙ୍କୁ ନାକେଦମ ହେବାକୁ ପଡିଛି। ସମ୍ପୃକ୍ତ ଅଞ୍ଚଳର ଆରଆଇ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି।

ଉପରୋକ୍ତ ୩ ଗାଁ ନିକଟରେ ରହିଛି ଏକର ଏକର ଖାଲି ପାହାଡିଆ ସ୍ଥାନ ଏବଂ ଗାଁ ଦେଇ ବହିଯାଇଛି ଏକ ନଦୀ। ୧୫ ଦିନ ତଳେ ହୋଇଥିବା ବର୍ଷାରେ ଗାଁର ଜଣେ ଦୁଇ ଜଣ ପଥର ପାଇବା ପରେ ଗାଁର କିଛି ଲୋକଙ୍କୁ ଜଣାଇଥିଲେ । ଏହାପରେ ଆରକୁ ଓ ଏହାର ଆଖପାରେ ରହିଥିବା ତେଲଗୁ ଭାଷୀ ମାଫିଆ ପହଞ୍ଚିଥିଲେ । ଆନ୍ଧ୍ରର ୩ଜଣ ଓ ଦୁଇଜଣ ଓଡ଼ିଆ ଭାଷା କହୁଥିବା ମାଫିଆ ୧୫ ଦିନରେ ୮୫ଟି ରତ୍ନପଥର ପାଇଥିବା ସୂଚନା ମିଳିଛି। ଏହାକୁ ନେଇ ଆନ୍ଧ୍ରରେ ୨୨ ଲକ୍ଷ ଟଙ୍କାରେ ବିକ୍ରି କରିବା ଜଣାପଡିବା ପରେ ଗାଁ ଯାକର ଲୋକେ ପଥର ଖୋଳାରେ ନିୟୋଜିତ ହୋଇଯାଇଛନ୍ତି।

ଏନେଇ ଦୁଇଟି ଭିଡିଓ ଭାଇରାଲ ହେବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ସ୍ଥାନୀୟ ଆରଆଇ । ଗାଁ ଲୋକଙ୍କୁ ପଚରାଉଚୁରା କରିବା ସହ ଏହି ସ୍ଥାନ ଛାଡି ଯିବାକୁ କହିଥିଲେ । କିନ୍ତୁ ଲୋକେ ଯାଇ ନ ଥିଲେ । ଏହାପରେ ସେ ସୁଙ୍କି ପୁଲିସକୁ ଡକାଇଥିଲେ । ସୁଙ୍କି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୂଝା କରିଥିଲେ । ହେଲେ ୫ ଜଣ ଦଲାଲଙ୍କ ପକ୍ଷରୁ ସେମାନଙ୍କୁ ପଇସା ଦିଆଯାଉଥିବାରୁ ସେମାନେ ଯାଇ ନଥିଲେ । ଏହାକୁ ନେଇ କୋରାପୁଟ ପୁଲିସ ଓ ପ୍ରଶାସନ କାନକୁ କଥାଯାଇଥିଲା। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚି ମାଫିଆଙ୍କୁ ଘଉଡାଇଥିଲେ । ଏହାପରେ ଲୋକେ କାମ ବନ୍ଦ କରିଥିଲେ। ତେବେ ଏନେଇ ତିନି ଗାଁରେ ମଧ୍ୟ ସମାନ ଆଲୋଚନା ଚାଲିଛି । କୋରାପୁଟ ଜିଲ୍ଲାରେ ଲଘୁଚାପ ପ୍ରଭାବରେ ବର୍ଷା ହେବା ସମ୍ଭାବନା ଥିବାରୁ ପୁଣି ଖୋଳାଯିବା ଆଶଙ୍କା ରହିଛି।

ଏନେଇ ପୂର୍ବତନ ବାଲାଦାବାଇ ପତି କହିଛନ୍ତି ଯେ ଏହି ରତ୍ନପଥର ଖୋଳାଖୋଳିକୁ ନେଇ ଗାଁରେ ଅସନ୍ତୋଷ ଜାରି ରହିଛି । ଗାଁରେ ଏବେ ଏପରି ପ୍ରତିଯୋଗିତା ହୋଇଯାଇଛି ଯେ କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନାହାନ୍ତି । ଆନ୍ଧ୍ରର ୩ଜଣ ଓ ଦୁଇଜଣ ଓଡ଼ିଆ ଭାଷା କହୁଥିବା ମାଫିଆ ୧୫ ଦିନରେ ୮୫ଟି ରତ୍ନପଥର କାଳେ ପାଇଛନ୍ତି । ୧୫ ଦିନରେ ୨୨ ଲକ୍ଷ ଟଙ୍କା ବ୍ୟବସାୟ କରିଥିବା ସେ କହିଛନ୍ତି ।
ଏନେଇ କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁର କହିଛନ୍ତି ଯେ, ଘଟଣାସମ୍ପର୍କରେ ଗଣମାଧ୍ୟମରୁ ଖବର ପାଇଛି । ଏନେଇ ସମ୍ପୃକ୍ତ ଆରଆଇଙ୍କଠାରୁ ରିପୋର୍ଟ ମଗାଯିବ । କିପରି ସେଠାରେ ଶାନ୍ତିଶୃଙ୍ଖଳା ରଖାଯିବ ସେନେଇ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର