ଭୁବନେଶ୍ବର : ବ୍ରାହ୍ମଣୀ ଓ ମହାନଦୀ ଦେଇ ତାଳଚେରରୁ ଧାମରା ଓ ପାରାଦୀପକୁ ସଂଯୋଗ କରିବା ଲାଗି ପ୍ରସ୍ତାବିତ ଜାତୀୟ ଜଳପଥ-୫ର ବିକାଶ କରିବା ପାଇଁ ଯୋଜନା ରହିଛି। ବର୍ତମାନ ଏହାର ପ୍ରଥମ ପର୍ଯ୍ୟାୟରେ ଏରଡ଼ାଠାରୁ ପଙ୍କପାଳ ପର୍ଯ୍ୟନ୍ତ ଦୀର୍ଘ ୩୬ କି.ମି ନଦୀର ଖନନ କାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ।
ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ସାହୁ କହିଛନ୍ତି ଯେ ଏହି ପ୍ରକଳ୍ପର ମୋଟ ବ୍ୟୟ ଅଟକଳରୁ ରାଜ୍ୟ ସରକାର କୌଣସି ଖର୍ଚ ବହନ କରୁନାହାନ୍ତି। ଏହା କେନ୍ଦ୍ର ସରକାରଙ୍କ ଆଇଡବ୍ଲୁଏଆଇ ବିଭାଗ ଦ୍ବାରା ପରିଚାଳିତ ଓ ଏହାର ସମୁଦାୟ ଖର୍ଚ କେନ୍ଦ୍ର ସରକାର ବହନ କରିବେ। କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଅନୁଯାୟୀ ରାଜ୍ୟ ସରକାର ଯାଜପୁର ଜିଲ୍ଲାର ପଙ୍କପାଳଠାରେ ଏନ୍ଡବ୍ଲୁ-୫ରେ ଟର୍ମିନାଲର ବିକାଶ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପାଇଁ ୧.୯ କୋଟି ଟଙ୍କା ମଞ୍ଜୁର କରାଯାଇଛି।