କଟକ: ଐତିହାସିକ ବାରବାଟୀ ଦୁର୍ଗର ଖନନ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଥିବା ବେଳେ ସେଥିରୁ ଅନେକ ଗୁରୁତ୍ବପୂର୍ଣ୍ଣ ନିର୍ମାଣର ଭଗ୍ନାବଶେଷ ଉଦ୍ଧାର ହେବାରେ ଲାଗିଛି। ମିଳିଥିବା ବିଭିନ୍ନ ସାମଗ୍ରୀରୁ ସେଠାରେ ମଧ୍ୟଯୁଗୀୟ ଭବ୍ୟ ମନ୍ଦିର ରହିଥିବା କୁହାଯାଉଛି। ତିନୋଟି ସ୍ଥାନରେ ଖନନ ସମୟରେ ମନ୍ଦିର ଓ ସେହି ସମୟର ବାସଗୃହ(ଘର)ର ପଥର ଖଣ୍ଡ ମିଳିଛି। ଚୀନା ପାତ୍ରରେ ଅଙ୍କା ଯାଇଥିବା ପାଗୋଡାର ଚିତ୍ର, ମନ୍ଦିରର ଭଗ୍ନଅଂଶ, ପ୍ରାଚୀନ କୀର୍ତ୍ତିରାଜି, ହାତୀ, ଘୋଡା, ନର୍ତ୍ତକୀ ତଥା ବିଭିନ୍ନ ପଶୁପକ୍ଷୀଙ୍କ ଭଗ୍ନ ଅଂଶ ଉଦ୍ଧାର ହୋଇଛି। ଏଏସ୍ଆଇ ଦ୍ବାରା ଚାଲିଥିବା ଏହି ଖନନରୁ ବାରବାଟୀ ଦୁର୍ଗ ସହ ଜଡିତ ଅନେକ ଶତାଦ୍ଦୀର ଇତିହାସ ଓ ସଭ୍ୟତା ସଂପର୍କିତ ତଥ୍ୟ, ପ୍ରମାଣ ମିଳିବାର ଆଶା କରାଯାଉଛି। ମିଳିଥିବା ସାମଗ୍ରୀ ସବୁ ଦ୍ବାଦଶରୁ ଷୋଡଶ ଶତାଦ୍ଦୀ ସମୟର ବୋଲି ଆକଳନ କରାଯାଉଛି।
ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ସୂତ୍ରର ତଥ୍ୟ ଅନୁଯାୟୀ, ଚାଲିଥିବା ଖନନରୁ ପଥର ନିର୍ମିତ ସିଂହ, ଘୋଡା ଆଦିର ଭଗ୍ନାବଶେଷ ଓ ଗୁଳିଗୋଳାର ଅଂଶ ମିଳିଛି। ସେହି ସମୟରେ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କ ସହ ନୌବାଣିଜ୍ୟ ସଂପର୍କୀୟ ରହିଥିବା ବେଳେ ସେଠାରୁ ଏବେ ଚୀନା ପାତ୍ରରେ ପାଗୋଡାର ଚିତ୍ର ତଥା ଅନେକ ଭଗ୍ନାବଶେଷ ମିଳିଛି। ଏସବୁର ପରୀକ୍ଷା ପାଇଁ ଲାବୋରେଟୋରିକୁ ପଠାଯିବା ସହିତ ଏଏସ୍ଆଇର ଭୁବନେଶ୍ବର ଓ କଟକ କାର୍ଯ୍ୟାଳୟରେ ସାମଗ୍ରୀକୁ ସଂରକ୍ଷିତ ରଖାଯାଇଛି। ୧୫ ବର୍ଷ ଧରି ବାରବାଟୀ ଦୁର୍ଗ ଖନନ ବନ୍ଦ ରହିବା ପରେ ୨୦୨୩ ଅକ୍ଟୋବରରୁ ଏହି ଖନନ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି। ୩ ମାସ ହେଲା ଆରମ୍ଭ ହୋଇଥିବା ଏହି ଖନନ କାର୍ଯ୍ୟ ତିନୋଟି ସ୍ଥାନରେ କରାଯାଉଛି। ଏବେ କିଛି ଦିନ ହେଲା ପ୍ରତ୍ୟହ ସକାଳୁ ଏହାର ଖନନ କାର୍ଯ୍ୟ ଜାରି ରହିଛି। ମନ୍ଦିରର ଚୂଡାଠାରୁ ଆରମ୍ଭ କରି ମୁଖଶାଳା ଓ ବିଭିନ୍ନ ପ୍ରସ୍ତର ଖୋଦେଇ ଭଗ୍ନ ଅଂଶ ଏବେ ଉଦ୍ଧାର କରାଯାଉଛି।
ସୂଚନାଯୋଗ୍ୟ ଯେ, ଇତିହାସର ଅନେକ ସ୍ମୃତିବହନ କରୁଥିବା ବାରବାଟୀ ଦୁର୍ଗ ସଂପର୍କରେ ଅଧିକ ଅନୁସନ୍ଧାନ ପାଇଁ ଏଏସ୍ଆଇ ପକ୍ଷରୁ ୧୯୮୯ରେ ବାରବାଟୀ ଦୁର୍ଗ, ଗଡ଼ଖାଇର ଖନନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ୧୯୯୭, ୨୦୦୩ ଓ ୨୦୦୭ରେ ଖନନ କରାଯାଇଥିଲା। କିନ୍ତୁ ବିଭିନ୍ନ କାରଣରୁ ଏହି ପ୍ରକ୍ରିୟା ବନ୍ଦ ରହିଥିଲା। ଖନନ ପ୍ରକ୍ରିୟା ଚାଲିଛି, ଯାହା ମିଳୁଛି ଆମେ ତାର ପରୀକ୍ଷା ପାଇଁ ପଠାଇଛୁ ବୋଲି କହିଛନ୍ତି ଅଧୀକ୍ଷଣ ପ୍ରତ୍ନତତ୍ତ୍ବବିତ୍ ଡକ୍ଟର ଡି. ଗଡ଼ନାୟକ।