ଅନୁଗୁଳ: ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଦଶମ ପରୀକ୍ଷାରେ ଅନୁଗୁଳ ଜିଲ୍ଲା ଭଲ ଫଳାଫଳ କରିଛି। ଜିଲ୍ଲାରୁ ୧୬,୪୭୯ ଜଣ ପରୀକ୍ଷା ଦେଇଥିଲାବେଳେ ଏଥିରୁ ୧୬,୨୨୫ ଜଣ ପାସ୍ କରିଛନ୍ତି। ପାସ୍ ହାର ରହିଛି ୯୩.୬୦ ପ୍ରତିଶତ। ମାତ୍ର ୨୫୧ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି। ଅପରପକ୍ଷରେ କଣିହାଁ ବ୍ଲକ୍ ରେଙ୍ଗାଳି ବାଳିକା ଉଚ୍ଚ ବିଦ୍ୟାଳୟରୁ ଜଣେ ହେଲେ ଛାତ୍ରୀ ପାସ୍ କରି ନାହାନ୍ତି।

Advertisment

ଚଳିତବର୍ଷ ଅନୁଗୁଳ ଜିଲ୍ଲାର ୨୬୨ ଟି ଉଚ୍ଚ ବିଦ୍ୟାଳୟର ୧୭,୩୩୪ ଜଣ ଛାତ୍ରଛାତ୍ରୀ ଦଶମ ବୋର୍ଡ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ। ଏଥିରୁ ୧୬,୨୨୫ ଜଣ ପରୀକ୍ଷା ଦେଇଥିଲାବେଳେ ୮୫୫ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରୁଥିଲାବେଳେ ୩ ଜଣ ଧରାପଡ଼ିଥିଲେ। ବାକି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରୁ ୧୬,୨୨୫ ଜଣ ପରୀକ୍ଷାରେ ପାସ୍ କରିଛନ୍ତି। ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ଭିତରୁ ୮୨୯୩ ଜଣ ଛାତ୍ର ରହିଥିଲାବେଳେ ୭୯୩୨ ଜଣ ଛାତ୍ରୀ ଅଛନ୍ତି।

ଏଥର ପରୀକ୍ଷା ଫଳ ଭଲ ହୋଇଥିଲାବେଳେ ଏ-୧ ପାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଏଥର ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ ଅଛନ୍ତି। ପାସ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ଭିତରୁ ଏ-୧ରେ ୨୪୦ ଜଣ ରହିଥିଲାବେଳେ ଏ-୨ରେ ୧୭୯୮ ଜଣ, ବି-୧ରେ ୩୯୧୩ ଓ ବି-୨ରେ ୪୩୯୮ ଜଣ ରହିଛନ୍ତି। ସି ଗ୍ରେଡରେ ୩୪୪୨ ଜଣ, ଡି’ ଗ୍ରେଡରେ ୧୮୧୮ ଓ ଇ ଗ୍ରେଡରେ ୬୧୬ ଜଣ ପାସ୍ କରିଛନ୍ତି। ୨୫୧ ଜଣ ଫେଲ ହୋଇଛନ୍ତି।