ଭୁବନେଶ୍ବର: ରାଜ୍ୟ ସରକାର ଆଜି ରାଜ୍ୟର ସମସ୍ତ ବର୍ଗର (କ, ଖ ଓ ଗ) କର୍ମଚାରୀଙ୍କ ଥିବା କାର୍ଯ୍ୟ ଦକ୍ଷତା ମୂଲ୍ୟାଙ୍କନ ରିପୋର୍ଟ (ପିଏଆର୍)/ ଗୁପ୍ତ ଚରିତ୍ର ପଞ୍ଜିକା (ସିସିଆର୍) ଫର୍ମାଟ୍ରୁ ‘୫-ଟି ଚାର୍ଟର’ ଏବଂ ‘ମୋ ସରକାର’ର ମୂଲ୍ୟାୟନ ପାଇଁ ଦିଆଯାଇଥିବା ପ୍ରାଧାନ୍ୟକୁ ପ୍ରତ୍ୟାହାର କରିଛନ୍ତି। ୨୦୧୯-୨୦ ପୂର୍ବରୁ ପ୍ରଚଳିତ ପିଏଆର୍/ସିସିଆର୍ ଫର୍ମାଟ୍କୁ ପୁଣି ୨୦୨୪-୨୫ ଠାରୁ ପୁନଶ୍ଚ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏନେଇ ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ସ୍ବତନ୍ତ୍ର ପ୍ରତିଷ୍ଠାନ) ବିଭାଗର ଅତିରିକ୍ତ ସଚିବ ଶଶାଙ୍କ ଶେଖର ଦାଶ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ସଚିବ, କମିସନର, ବିଭାଗୀୟ ମୁଖ୍ୟ ଦପ୍ତର, ସମସ୍ତ ରାଜସ୍ବ ଡିଭିଜିନାଲ ଆୟୁକ୍ତ, ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି। ସେମାନେ କର୍ମଚାରୀଙ୍କ ସିସିଆର୍ ଓ ପିଏଆର୍ ଦେଲାବେଳେ ପୂର୍ବ ଫର୍ମାଟ୍କୁ ଲାଗୁ କରିବାକୁ କୁହାଯାଇଛି। ଏବେ ‘୫-ଟି ଚାର୍ଟର’ ଓ ‘ମୋ ସରକାର’ ମୂଲ୍ୟାଙ୍କନର କୌଣସି ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ନଥିବାରୁ ଏହାକୁ ହଟାଇବାକୁ ନିଷ୍ପତ୍ତି ହୋଇଥିବା ଏଥିରେ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ନବୀନଙ୍କ ପଞ୍ଚମ ପାଳି ଆରମ୍ଭ ହେବା ପରେ ୫-ଟି ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏହାପରେ ଜୁଲାଇ ୩୧, ୨୦୧୯ରେ କର୍ମଚାରୀଙ୍କ ସିସିଆର୍ ଓ ପିଏଆର୍ ଫର୍ମାଟ୍ରେ ଏହାକୁ ସଂଯୋଗ କରାଯାଇ କର୍ମଚାରୀଙ୍କ କାର୍ଯ୍ୟର ମୂଲ୍ୟାଙ୍କନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୫-ଟି ଅଧୀନରେ ଥିବା କାର୍ଯ୍ୟର କାର୍ଯ୍ୟକାରିତା ପାଇଁ କର୍ମଚାରୀଙ୍କୁ ସିସିଆର୍ ଓ ପିଏଆର୍ରେ ୨୦% ମାର୍କ ଦେବାକୁ ନିୟମ କରାଯାଇଥିଲା। ୫-ଟି ବିଭାଗର ସଚିବ ଭାବେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଥିଲେ। ସେ ଯେଉଁ ପ୍ରକଳ୍ପକୁ ପରିଦର୍ଶନରେ ଯାଉଥିଲେ କିମ୍ବା ଯେଉଁ ପ୍ରକଳ୍ପ ୫-ଟି ଅଧୀନରେ ହେଉଥିଲା ସେଗୁଡ଼ିକ କିପରି ଧାର୍ଯ୍ୟ ସମୟରେ ଶେଷ ହେବ ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଥିଲା। ରାଜ୍ୟ ସରକାର ଏବେ ସରକାରୀ ବ୍ୟବସ୍ଥାରୁ ୫-ଟି ଓ ମୋ ସରକାର ହଟାଇଥିବାରୁ ସରକାରୀ କର୍ମଚାରୀଙ୍କ ସିସିଆର୍ ଓ ପିଏଆର୍ରୁ ମଧ୍ୟ ଏହାକୁ ହଟାଇବାକୁ ଏବେ ନିଷ୍ପତ୍ତି ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/5t.jpg)