ଅଧ୍ୟକ୍ଷଙ୍କୁ ଛାଡ଼ି ଯୁକ୍ତ୨ ପରିଷଦରେ ଅଦଳବଦଳ

ସିଲାବସ୍‌ରେ ଉପଲବ୍ଧ ହେଉଛି ପ୍ରଶ୍ନପତ୍ର ଢାଞ୍ଚା, ଏଣିକି ସଙ୍ଗେ ସଙ୍ଗେ ଦୂର ହେବ ଛାତ୍ରଛାତ୍ରୀଙ୍କ ସମସ୍ୟା

ଭୁବନେଶ୍ୱର: ଏଥର ଯୁକ୍ତ୨ ପରୀକ୍ଷା ଲାଗି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଗତଥର ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ପରିଷଦର ଏକାଧିକ ଅଧିକାରୀଙ୍କୁ ଇତିମଧ୍ୟରେ ପରିବର୍ତର୍ନ କରାଯାଇଛି। କେବଳ ପରିଷଦର ଅଧ୍ୟକ୍ଷ ସୁନ୍ଦରଲାଲ୍‌ ସିଲ୍‌କୁ ଛାଡ଼ି ଦେଲେ ଅନ୍ୟ ପ୍ରମୁଖ ପଦବିରେ ଅଦଳବଦଳ ହୋଇଛି। ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ବିରଞ୍ଜି ନାରାୟଣ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହେବାରୁ ତାଙ୍କ ସ୍ଥାନରେ ବିଜୟ କୁମାର ସାହୁ ନୂଆ ପରୀକ୍ଷା ନିୟନ୍ତ୍ରକ ହୋଇଛନ୍ତି। ସେହିପରି ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସ୍ଥାନରେ ସତ୍ୟଜିତ୍‌ ଦାସ ମହାପାତ୍ର ନୂଆ ସଚିବ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି। ଉପ ସଚିବ ଭାବେ ଯଶୋବନ୍ତ ସାମଲ ଏବଂ ଉପ ପରୀକ୍ଷା ନିୟନ୍ତ୍ରକ ଭାବେ ଚିତ୍ତରଞ୍ଜନ ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି।

ନୂଆ ଟିମ୍‌କୁ ନେଇ ଅଧ୍ୟକ୍ଷ ସୁନ୍ଦରଲାଲ ସିଲ୍‌ ଏଥର ପରୀକ୍ଷା କରିବାକୁ ଥିବାରୁ ୪ ମାସ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏବେଠାରୁ ପରିଷଦ ଅଧିକାରୀଙ୍କ ଘନ ଘନ ବୈଠକ ବସି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି। ଛାତ୍ରଛାତ୍ରୀଙ୍କ ସମସ୍ୟାର ତୁରନ୍ତ ସମାଧାନ। ନିର୍ଧାରିତ ସମୟରେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପ୍ରସ୍ତୁତ, ଫର୍ମ ପୂରଣ ଶେଷ କରିବା, ପରୀକ୍ଷାର୍ଥୀଙ୍କୁ ଆଡମିଟ୍‌ କାର୍ଡ ବଣ୍ଟନ ପରି ବିଭିନ୍ନ ବିଷୟ କିଭଳି ନିର୍ଧାରିତ ସମୟରେ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ସବୁଠାରୁ ବଡ଼ ନିଷ୍ପତ୍ତିକ୍ରମେ ପିଲାଙ୍କ ସମସ୍ୟାର କିଭଳି ତୁରନ୍ତ ସମାଧାନ ହେବ ସେଥିପ୍ର୍ରତି ଏଣିକି ଦୃଷ୍ଟି ଦିଆଯିବ। ପିଲାଙ୍କ କୌଣସି ବି ଅଭିଯୋଗ ଯେପରି ପଡ଼ି ନ ରହେ ସେଥିପ୍ରତି ଦୃଷ୍ଟି ଦେବାକୁ ପରିଷଦର ସମସ୍ତ ଜୋନ୍‌ ଅଧିକାରୀଙ୍କୁ କୁହାଯାଇଛି।

ଅନ୍ୟପକ୍ଷରେ ଏବେ ବି କେତେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନପତ୍ରକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି। ପ୍ରଶ୍ନପତ୍ର କିଭଳି ଆସିବ ତାହାକୁ ନେଇ ବାରମ୍ବାର ପରିଷଦର ସହାୟତା ଲୋଡ଼ୁଛନ୍ତି। ତେଣୁ ପରିଷଦ ପକ୍ଷରୁ କୁହାଯାଇଛି ଯେ ଯୁକ୍ତ୨ କଳା, ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗ ଥିଓରି ପରୀକ୍ଷାର ପ୍ରଶ୍ନପତ୍ର ଢାଞ୍ଚା ୨୦୧୬ ନୂତନ ସିଲାବସ୍‌ରେ ଉପଲବ୍ଧ ହେଉଛି। ବିଗତ ବର୍ଷଗୁଡ଼ିକ ପରି ଏଥର ମଧ୍ୟ ପ୍ରଶ୍ନପତ୍ରରେ ୩୦ ପ୍ରତିଶତ ମାର୍କ ଦୀର୍ଘ ଉତ୍ତରମୂଳକ ଏବଂ ୭୦ ପ୍ରତିଶତ ସଂକ୍ଷିପ୍ତ ଉତ୍ତରମୂଳକ ପ୍ର୍ରଶ୍ନ ଆସିବ। କଳା, ବାଣିଜ୍ୟ ଏବଂ ବିଜ୍ଞାନ ପାଠ୍ୟକ୍ରମର ବିଷୟଗୁଡ଼ିକ ଲାଗି ଅଲଗା ଅଲଗା ମାର୍କ ରହିଛି। କେବଳ ଥିଓରି ବିଷୟ ଥିବା ପ୍ରଶ୍ନପତ୍ର ଲାଗି ଦୀର୍ଘ ଉତ୍ତରମୂଳକ ପ୍ରଶ୍ନଗୁଡ଼ିକର ମାର୍କ ଯେଉଁଭଳି ରଖାଯାଇଛି ପ୍ରାକ୍ଟିକାଲ ଥିବା ବିଷୟ ପାଇଁ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ମାର୍କ ଅଲଗା ରହିଛି। ତେଣୁ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ନ ପଡ଼ି ସିଲାବସ୍‌ରେ ଥିବା ପ୍ରଶ୍ନପତ୍ର ଢାଞ୍ଚା ଅନୁଯାୟୀ ପରୀକ୍ଷା ଲାଗି ପ୍ରସ୍ତୁତ ହେବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର