ରାଉରକେଲା: ଉଭୟ ରାଜ୍ୟ ଓ କେନ୍ଦ୍ର ଶିକ୍ଷା ବିଭାଗ ପକ୍ଷରୁ ସ୍ମାର୍ଟସିଟି ରାଉରକେଲାକୁ କିଭଳି ଅଣଦେଖା କରାଯାଉଛି; ତା’ର ବହୁ ଉଦାହରଣ ରହିଛି। ବିଗତ ଦିନରେ ରାଉରକେଲାକୁ ଏକାଧିକ ଜାତୀୟ ପ୍ରତିଷ୍ଠାନରୁ ବଞ୍ଚିତ ରଖାଯାଇଥିଲା। ସହରରେ ଆଇଆଇଏମ୍ ସ୍ଥାପନ ହେଉ କି ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍(ଏକ୍ସଆଇଏମ୍)ର ଦ୍ବିତୀୟ କ୍ୟାମ୍ପସ୍ ସ୍ଥାପନ; ଏସବୁ କେବଳ ଘୋଷଣାରେ ସୀମିତ ରହିଛି। ଏବେ ଆଉ ଏକ ସୁବିଧାରୁ ରାଉରକେଲାର ଛାତ୍ରଛାତ୍ରୀଙ୍କୁ ବଞ୍ଚିତ କରାଯାଇଛି। ତାହା ହେଉଛି, ପ୍ରତିବର୍ଷ ଏଠାରେ ହେଉଥିବା ଜେଇଇ ମେନ୍ ପରୀକ୍ଷା କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତର କରିବା। ପୂର୍ବରୁ ପ୍ରତିଶ୍ରୁତିଗୁଡ଼ିକ ପାଳନ ହେଉନଥିବାବେଳେ ଏବେ ପରୀକ୍ଷା କେନ୍ଦ୍ର ସ୍ଥାନାନ୍ତର କରିବା ଘଟଣା, ସହରବାସୀଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି।
ଦୀର୍ଘ ବର୍ଷ ହେଲା ରାଉରକେଲାରେ ଜେଇଇ ମେନ୍ ପରୀକ୍ଷା କେନ୍ଦ୍ର ଅନୁଷ୍ଠିତ ହୋଇଆସିଛି। ପ୍ରାୟତଃ ପଦ୍ମନାଭ କଲେଜ ଅଫ୍ ଇଞ୍ଜିନିଅରିଂରେ ଏହି ପରୀକ୍ଷା ପରିଚାଳିତ ହେଉଥିଲା। ଏଥିରେ ପ୍ରତିବର୍ଷ ପରୀକ୍ଷା ଦେଉଥିବା ରାଉରକେଲାର ପ୍ରାୟ ୩/୪ ହଜାର ଛାତ୍ରଛାତ୍ରୀ ଉପକୃତ ହେଉଥିଲେ। ଏମିତିକି ପଡ଼ୋଶୀ ଜିଲ୍ଲାରୁ ମଧ୍ୟ ପରୀକ୍ଷାର୍ଥୀ ଏଠାକୁ ଆସୁଥିଲେ। ଚଳିତବର୍ଷ କିନ୍ତୁ ରାଉରକେଲାର କେନ୍ଦ୍ରକୁ ବନ୍ଦ କରିଦିଆଯାଇଛି। ଅପରପକ୍ଷରେ ଏହି କେନ୍ଦ୍ରକୁ ସୁନ୍ଦରଗଡ଼ ସହର ଉପକଣ୍ଠ କିରେଇସ୍ଥ ସୁନ୍ଦରଗଡ଼ ଇଞ୍ଜିନିୟରିଂ କଲେଜ କଲେଜକୁ ସ୍ଥାନାନ୍ତର କରାଯାଇଛି।
ଫଳରେ ଆଜିଠାରୁ ଆରମ୍ଭ ହୋଇଯାଇଥିବା ଏହି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପ୍ରାୟ ଶହେ କିଲେମିଟର ଯାତ୍ରା କରିବାକୁ ପଡ଼ୁଛି। ପ୍ରତିଦିନ ଦୁଇଟି ସିଟିଂରେ ପରୀକ୍ଷା ପରିଚାଳିତ ହେଉଛନ୍ତି ପ୍ରଥମ ସିଟିଂ ପୂର୍ବାହ୍ନ ୯ଟାରୁ ୧୨ ଓ ଦ୍ବିତୀୟ ସିଟିଂ ମଧ୍ୟାହ୍ନ ୨-୫ଟା ଯାଏଁ ଚାଲିଛି। ତେବେ ପରୀକ୍ଷା ଆରମ୍ଭ ହେବାର ଅନ୍ୟୁନ ପ୍ରାୟ ୪୦ ମିନିଟ୍ ପୂର୍ବରୁ ହଲ୍ ଭିତରକୁ ପ୍ରବେଶ କରିବା ବାଧ୍ୟତାମୂଳକ। ଏଥିରେ ସାମାନ୍ୟ ବିଳମ୍ବ ହେଲେ ପରୀକ୍ଷା ହଲ୍ ଭିତରକୁ ଯିବାକୁ ଅନୁମତି ଦିଆଯିବନି। ଏଣୁ ନିର୍ଦ୍ଧାରିତ ସମୟରେ ପରୀକ୍ଷା ହଲ୍ରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ ଯାବତୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବସ୍ ଯୋଗେ ଯିବା ସମ୍ଭବ ହେଉନଥିବାରୁ ବାଧ୍ୟହୋଇ ଗାଡ଼ି ଭଡ଼ା କରୁଛନ୍ତି। ଏହାଦ୍ବାରା ପରୀକ୍ଷାର୍ଥୀ ଅତ୍ୟଧିକ ବ୍ୟୟ ସହିବାକୁ ପଡ଼ୁଛି। ଏତଦ୍ବ୍ୟତୀତ କିରେଇ ପରୀକ୍ଷା କେନ୍ଦ୍ର ଆଖପାଖ ଅଞ୍ଚଳରେ ଖାଦ୍ୟପେୟର ଅଭାବ ଥିବାରୁ ପ୍ରଥମ ଦିନରେ ଢ଼େର୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ଥିବା କିଛି ପରପୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ୨୦୧୩ ମସିହାରେ ଜେଇଇ ମେନ୍ ପରୀକ୍ଷା ପାଇଁ ଓଡ଼ିଶାର ଏକମାତ୍ର କେନ୍ଦ୍ରଭାବେ ରାଉରକେଲାକୁ ଚୟନ କରାଯାଇଥିଲା। ଉକ୍ତବର୍ଷ ରାଉରକେଲାରେ ପ୍ରାୟ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେତେବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଫଳତାର ସହ ସମସ୍ତ ଛାତ୍ରଛାତ୍ରୀଙ୍କ ଗମନାଗମନ, ରହଣି ସମେତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିଲା। ସଫଳ ପରିଚାଳନା ପାଇଁ ସେତେବେଳେ ରାଉରକେଲା ପ୍ରଶାସନକୁ ଚାରିଆଡ଼ୁ ପ୍ରଶଂସାର ଛୁଅ ଛୁଟିଥିଲା। ଏବେ କିନ୍ତୁ ନିର୍ଦ୍ଦିଷ୍ଟ କେଉଁ କାରଣରୁ କେନ୍ଦ୍ରକୁ ସ୍ଥାନାନ୍ତର କରାଗଲା, ସେନେଇ ପରୀକ୍ଷା ପରିଚାଳନା କର୍ତ୍ତୃପକ୍ଷ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ପକ୍ଷରୁ ଆନୁଷ୍ଠାନିକଭାବେ କୌଣସି ସୂଚନା ଦିଆଯାଇନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/6-21.jpg)