ବରଗଡ଼: ମିଲର୍ସଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ମାତ୍ରାଧିକ ଭିଟାମିନ୍ଯୁକ୍ତ ଚାଉଳ କିଣିବା ମହଂଗା ପଡ଼ିଛି। ଏହି ମାମଲାରେ ଛନ୍ଦି ହୋଇଥିବା ବରଗଡ଼ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସଙ୍କୁ ନିଲମ୍ବନ କରାଯାଇଛି। ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ସଚିବ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ନିଲମ୍ବନ ପରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିବେ। ସ୍ବତନ୍ତ୍ର ଅନୁମତି ନନେବା ଯାଏଁ ସେ ବରଗଡ଼ ଛାଡ଼ି ପାରିବେନି ବୋଲି ମଧ୍ୟ ନୋଟିସ୍ରେ ଉଲ୍ଲେଖ ରହିଛି। କିଛି ମାସ ପରେ ଅବସର ଗ୍ରହଣ କରିବାକୁ ଥିବା ଶ୍ରୀ ଦାସଙ୍କ କ୍ୟାରିୟରରେ ଏବେ ନିଲମ୍ବନର ଦାଗ ଲାଗିଛି।
ସୂଚନାଯୋଗ୍ୟ, ସ୍କୁଲ ଏବଂ ଅଂଗନବାଡ଼ି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ପାଇଁ ପିଲାଙ୍କୁ ଭିଟାମିନ୍ଯୂକ୍ତ ଚାଉଳ ଦିଆଯାଉଛି। ଏହି ଆଧାରରରେ ଶ୍ରୀ ଦାସଙ୍କୁ ୨୪ ହଜାର ମେଟ୍ରିକ୍ ଟନ୍ ଚାଉଳ ଅତାବିରାର ରାଇସ୍ ମିଲ୍ରୁ କିଣିବା ପାଇଁ କୁହାଯାଇଥିଲା। ଏହି ଚାଉଳ ବରଗଡ଼ ସମେତ ଜଗତସିଂହପୁର, କେନ୍ଦୁଝର ଏବଂ ମୟୁରଭଂଜ ଜିଲ୍ଲାକୁ ମଧ୍ୟ ପଠାଇବାକୁ ଯୋଜନା ଥିଲା। ଦୁଇଟି ପର୍ଯ୍ୟାୟରେ ବରଗଡ଼ ଜିଲ୍ଲା ପାଇଁ ଯଥାକ୍ରମେ ୧୧୪୨.୬୫ ଏବଂ ୨୭୫.୪୦ ମେଟ୍ରିକ୍ ଟନ୍ ଚାଉଳ କିଣିବା ଧାର୍ଯ୍ୟ ହୋଇଥିଲା।
କିନ୍ତୁ ଜିଲ୍ଲା ଯୋଗାଣ ବିଭାଗ ମୋଟ୍ ୨୫୮୩୦.୬୧ ମେଟ୍ରିକ୍ ଟନ୍ ଚାଉଳ ମିଲର୍ସଙ୍କ ଠାରୁ କିଣିଥିବା ତନାଘନା ପରେ ଜଣାପଡ଼ିଥିଲା। ଏଥିରେ ମିଲର୍ସ ଲାଭବାନ୍ ହେଲେ। ଯାଂଚ ପରେ ମୁଖ୍ୟ ସିଏସ୍ଓ ଶ୍ରୀ ଦାସଙ୍କ ନିର୍ଦ୍ଦେଶରେ ହିଁ ମାତ୍ରାଧିକ ଭିଟାମିନ୍ଯୁକ୍ତ ଚାଉଳ କିଣାଯାଇଥିବା ଜଣାପଡ଼ିଥିଲା।