ନୟାଗଡ଼: ପିଇବା ପାଣିକୁ ନେଇ ‌ଏବେ ନୟାଗଡ଼ ଜିଲ୍ଲାରେ ସାଂଘାତିକ ସ୍ଥିତି। କେଉଁଠି ଆଦୌ ପାଣି ଟୋପେ ମିଳୁନି ତ ଆଉ କେଉଁଠି ଫ୍ଲୋରାଇଡ୍ ଓ ଆଇରନ୍‌ମିଶା ପାଣି ପିଇବା ଯୋଗୁ ଲୋକମାନେ କିଡ୍‌ନି ରୋଗ ସହ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଧୀରେ ଧୀରେ ଏହି ସମସ୍ୟା ଜିଲ୍ଲାର ବିଭିନ୍ନ ବ୍ଲକ୍‌କୁ ବ୍ୟାପିଲାଣି। ବିଶେଷ କରି ଦଶପଲ୍ଲା, ଗଣିଆ, ରଣପୁର ଓ ଭାପୁର ବ୍ଲକ୍ ଅଧିକ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି। ଏ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ପରିସ୍ଥିତି ଏପରି ହେଲାଣି ଯେ, ଲୋକମାନେ ଏବେ ନଳକୂପ କିମ୍ବା କୂଅ ପାଣି ବ୍ୟବହାର କରିବା ପାଇଁ ଭୟ କଲେଣି।

Advertisment

ମିଳିଥିବା ସୂଚନା ମୁତାବକ, ଭାପୁର ବ୍ଲକ୍‌ର ବିତିପୁର, ଫତେଗଡ଼, ରାକମା, ଭାପୁର, କଇଁଥପୋଖରୀ, ପୋଡ଼ାସାହି, ତଳମାଲା, ମାଧପୁର, ପଥରଚକଡ଼ା, ଧାନଚାଙ୍ଗଡ଼ା ଭଳି ଏକାଧିକ ଗାଁର ପରିସ୍ଥିତି ଅତ୍ୟନ୍ତ ସଙ୍ଗିନ। ପାଣିରେ ବହୁଳ ମାତ୍ରାରେ ଫ୍ଲୋରାଇଡ୍ ଓ ଆଇରନ୍‌ ଆସିବା ଯୋଗୁ ଲୋକମାନଙ୍କ ଦାନ୍ତ ଖରାପ ହେବା ସହ କିଡ୍‌ନି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଧାନଚାଙ୍ଗଡ଼ା ଗାଁରେ କିଛି ବର୍ଷ ହେବ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏବେ ବି ଏହି ଗାଁରେ ୧୬ ଜଣ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। 

ପାଣି ପିଇବାକୁ ଡରିଲେଣି ଗ୍ରାମବାସୀ

ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ନଛିପୁର ପଞ୍ଚାୟତ ଗୋବର୍ଦ୍ଧନପୁର ଗ୍ରାମରେ ଦିନକୁ ଦିନ କିଡ୍‌ନି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ପ୍ରାୟ ୩ ବର୍ଷ ଭିତରେ ଦୁଇ ଜଣ କିଡ୍‌ନି ଆକ୍ରାନ୍ତ ଆଖି ବୁଜିଥିବା ବେଳେ ଏବେ ବି ଗାଁରେ ୬ ଜଣ ଆକ୍ରାନ୍ତ ରହିଛନ୍ତି। ସେହିପରି ରଣପୁର ବ୍ଲକ୍‌ର ବାଉଁଶଗଡ଼ ପଞ୍ଚାୟତର ନୂଆସାହି ଗାଁ, ତାଳକଣି ପଞ୍ଚାୟତର ନରସିଂହପୁର ଓ ଏନ୍‌ଏସି ୱାର୍ଡ-୧୫ର ମାଥାପଦର ଅଞ୍ଚଳରେ ଏମିତି ଅଭିଯୋଗ ଆସୁଛି। ଗଣିଆ ବ୍ଲକ୍‌ରେ ଦିନକୁ ଦିନ କିଡ୍‌ନି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦଶିପୁର, ଡଙ୍କାରିସାହି, ଛାମୁଣ୍ଡିଆ, ରାଇଗାଡ଼ିଆ, ରାଜିଙ୍ଗି ଓ ଧୋବାବୋରୋଇ ଆଦି ଗାଁରେ କିଡ୍‌ନି ରୋଗକୁ ନେଇ ଲୋକମାନଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ଖେଳିଯାଇଛି। ବର୍ଷକରେ ଏହି ଗାଁଗୁଡ଼ିକରୁ କିଡ୍‌ନି ରୋଗରେ ୯ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ବାରମ୍ବାର ଅଭିଯୋଗ ସତ୍ତ୍ବେ ଏ ନେଇ କିଛି ବି ସ୍ଥାୟୀ ବ୍ୟବସ୍ଥା କରାଯାଉ ନାହିଁ। ଏ ନେଇ ଆର୍‌ଡବ୍ଲୁଏସ୍‌ଏସ୍ ସହକାରୀ ଯନ୍ତ୍ରୀ ସୁବାସ ସ୍ବାଇଁ କହିଛନ୍ତି ଯେ ଯେଉଁ ଅଞ୍ଚଳରୁ ଏମିତି ଅଭିଯୋଗ ଆସେ ସେଠାରୁ ପାଣି ନମୁନା ସଂଗ୍ରହ କରାଯାଇ ନୟାଗଡ଼ ଓ ଦଶପଲ୍ଲା ପରୀକ୍ଷାଗାରକୁ ପଠାଯାଏ। ପରୀକ୍ଷାରୁ ଯଦି ପାଣିରେ ଫ୍ଲୋରାଇଡ୍ କିମ୍ବା ଆଇରନ୍‌ ଥିବା ଜଣାପଡ଼େ, ଏହାକୁ ବ୍ୟବହାର କରିବା ପାଇଁ ସଂପୃକ୍ତ ଅଞ୍ଚଳବାସୀଙ୍କୁ ମନା କରାଯାଉଛି। ଏମିତି ସମସ୍ୟା ଜିଲ୍ଲାର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଦେଖିବାକୁ ମିଳୁଛି। ଏଣୁ ‌ସେମାନଙ୍କୁ କିପରି ସୁବିଧାରେ ପିଇବା ପାଣି ଯୋଗାଇ ଦିଆଯିବ ସେ ନେଇ ପଦକ୍ଷେପ ନିଆଯିବ।