ଭୁବନେଶ୍ବର: ବିଜେପି ସରକାର କ୍ଷମତାକୁ ଆସିଲା ପରେ ଆଜି ପ୍ରାଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ପୂର୍ବ ସରକାରର କ୍ଷମତାଶାଳୀ ଆଇଏଏସ୍ ଅଧିକାରୀଙ୍କ ଉପରେ ପ୍ରଚଣ୍ଡ ପ୍ରହାର କରିଛନ୍ତି। ପୁଣି କିଛି ଅଧିକାରୀଙ୍କୁ ଅଧିକ ବିଭାଗ ଦେଇ କ୍ଷମତାଶାଳୀ ବି କରାଯାଇଛି। ଆଜି ରାତିରେ ଏହି ଅଦଳବଦଳ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଆଗକୁ ଆହୁରି ଅଦଳବଦଳ ହେବ ବୋଲି ଆଭାସ ମିଳିଛି। ୧୦ ବର୍ଷ ହେଲା ନଗର ଉନ୍ନୟନ ବିଭାଗରେ ଗାଦି ମାଡ଼ି ବସିଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥିଭାଥନନ୍ଙ୍କୁ ଲୋକସେବା ଭବନ ବାହାରକୁ ପଠାଇ ଦିଆଯାଇଛି। ତାଙ୍କୁ ଗୋପବନ୍ଧୁ ଏକାଡେମୀର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ପାଖରେ ଥିବା ସଂସଦୀୟ ବ୍ୟାପାର ବିଭାଗକୁ ବି କାଢ଼ି ନିଆଯାଇଛି। ବିଜେଡି ସରକାର ସମୟରେ ମାଥିଭାଥନନ୍ ବେଶ୍ କ୍ଷମତାଶାଳୀ ଅଧିକାରୀ ଭାବେ ଜଣାଶୁଣା ଥିଲେ।
ସେମିତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ତଥା କ୍ରୀଡ଼ା ବିଭାଗର ସଚିବ ଭିନିଲ୍ କ୍ରିଷ୍ଣାଙ୍କୁ ବି ଲୋକସେବା ଭବନ ବାହାରକୁ ପଠାଇ ଦିଆଯାଇଛି। ତାଙ୍କୁ ଜମିଜମା ରେକର୍ଡ ଓ ବନ୍ଦୋବସ୍ତ କମିସନର୍ ଭାବେ ନିଯୁକ୍ତି ମିଳିଛି। ପୂର୍ବ ସରକାର ସମୟରେ ଦ୍ବିତୀୟ କ୍ଷମତା କେନ୍ଦ୍ର ଭି କେ ପାଣ୍ଡିଆନଙ୍କର ବିଶ୍ବସ୍ତ ଅଧିକାରୀ ଥିଲେ ଭିନିଲ୍। ତାଙ୍କ ସହ ସେ ଛାଇ ପରି ରହୁଥିଲେ।
ଏହି ଦୁଇ ଜଣ ଅଧିକାରୀଙ୍କ ବାଦ୍ ଆଉ କିଛି ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ବ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଇଡ୍କୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ବ ତୁଲାଇବେ।
ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ସେ ଇପିକଲ୍ର ଅଧ୍ୟକ୍ଷ ଭାବେ ପୂର୍ବ ପରି ଦାୟିତ୍ବରେ ରହିବେ। ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ଶାଶ୍ବତ ମିଶ୍ରଙ୍କୁ ଅଧିକ ଦାୟିତ୍ବ ମିଳିଛି। ସେ ଅର୍ଥ ଓ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଶ୍ରୀ ମିଶ୍ର ପୂର୍ବ ପରି ଓଏସ୍ଏସ୍ଏସ୍ସିର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିବେ। ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କୁ ନଗର ଉନ୍ନୟନ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେ ପୂର୍ବ ପରି ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଇବେ। ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ବଦଳି କରାଯାଇଛି। ସେ ଓଏଫ୍ଡିସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଜମିଜମା ରେକର୍ଡ ଓ ବନ୍ଦୋବସ୍ତ କମିସନର୍ ଭାସ୍କରଜ୍ୟୋତି ଶର୍ମାଙ୍କୁ କ୍ରୀଡ଼ା ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି।