ମାଓବାଦୀ ଓ ପୁଲିସଙ୍କ ମଧ୍ୟରେ ଗୁଳି ବିନିମୟ: ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଉଦ୍ଧାର

କନ୍ଧମାଳ: ଗୁରୁବାର ଦିନ କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନ୍ତର୍ଗତ ଲେଙ୍ଗେରିମୁଣ୍ଡା ଗାଁ ନିକଟ ଜଙ୍ଗଲରେ ମାଓବାଦୀଙ୍କ ସହ ‘ଏସ୍‌ଓଜି’ ଓ କନ୍ଧମାଳ ‘ଡିଭିଏଫ୍‌’ ମଳିତିବାହିନୀର ଭୀଷଣ ଗୁଳି ବିନିମୟ ହୋଇଛି।

ସମ୍ପୃକ୍ତ ଅଞ୍ଚଳରେ ମାଓବାଦୀମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ବିଶ୍ୱସ୍ତସୂତ୍ରରୁ ସୂଚନା ପାଇବା ପରେ ଜାନୁଆରି ୬ ତାରିଖରେ ‘ଏସ୍‌ଓଜି’ ଓ କନ୍ଧମାଳ ‘ଡିଭିଏଫ୍‌’ର ମିଳିତ ଦଳ ନକ୍ସଲ୍‌ ନିରୋଧୀ ଅଭିଯାନ ଆରମ୍ଭ କରିଥିଲେ। ଜାନୁଆରି ୭ ତାରିଖ ଦିନ ଉପରୋକ୍ତ ଅଞ୍ଚଳରେ କମ୍ବିଙ୍ଗ୍‌ ଅପରେସନ୍‌ ଚଳାଇଥିବା ବେଳେ ସୁବିଧାଜନକ ସ୍ଥାନରେ ଥାଇ ମାଓବାଦୀମାନେ ସେମାନଙ୍କ ଆଡ଼କୁ ଗୁଳି ବର୍ଷଣ କରିବା ସହ ଗ୍ରେନେଡ୍‌ ଫିଙ୍ଗିଥିଲେ।

ତୁରନ୍ତ ମିଳିତ ପୁଲିସବାହିନୀ ନିରାପଦ ସ୍ଥାନକୁ ଚାଲିଯାଇ ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। କିନ୍ତୁ, ସେମାନେ କଥା ନ ଶୁଣିବାରୁ ପୁଲିସବାହିନୀ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚଳାଇଥିଲା। କିନ୍ତୁ, ଘନ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳର ସୁଯୋଗ ନେଇ ମାଓବାଦୀମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ।

ଘଟଣାସ୍ଥଳରୁ ପୁଲିସ ବହୁସଂଖ୍ୟକ ଅସ୍ତ୍ରଶସ୍ତ୍ର ଓ ମାଓବାଦୀମାନେ ବ୍ୟବହାର କରୁଥିବା ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଛି। ଉଦ୍ଧାର ସାମଗ୍ରୀ ମଧ୍ୟରେ ରହିଛି ଦୁଇଟି ବ୍ୟାଗ୍‌, ଗୋଟିଏ ଇଲେକ୍ଟ୍ରିକ୍‌ ଡିଟୋନେଟର୍‌, ୨ଟି ହ୍ୟାଣ୍ଡ୍‌ ଗ୍ରେନେଡ୍‌, ୨ ପ୍ୟାକେଟ୍‌ ବିସ୍ଫୋରକ, କିଛି ବିଦ୍ୟୁତ୍‌ ତାର, ଗୋଟିଏ କଳା ସାର୍ଟ, ୩ଟି ମାଗାଜିନ୍‌ ପାଉଚ୍‌, ବିପୁଳ ପରିମାଣର ଔଷଧ, ୨ଟି ପାଣି ଜେରିକିନ୍‌, ୨ଟି ଷ୍ଟିଲ୍‌ ମଗ୍‌, ୧ ଷ୍ଟିଲ୍‌ ଥାଳି, ଗୋଟିଏ ଲେନିୟାଡ୍‌, ୫ଟି କମ୍ବଳ, ୧ଟି ଟୋପି, ୧ଟି ଛୁରି, ୧ଟି ଛୋଟ ବ୍ୟାଟେରି, କିଛି ପରିମାଣର ଲାଇଟର୍‌, କିଛି ଲୁଗାପଟା ଏବଂ କିଛି ମାଓ ସାହିତ୍ୟ। ସମ୍ପୃକ୍ତ ଅଞ୍ଚଳରେ ଜୋରଦାର ତଲାସ ଅଭିଯାନ ଚାଲିଛି।

ସମ୍ବନ୍ଧିତ ଖବର