ବୈଶିଙ୍ଗାରେ ପୁଲିସ-ଡକାୟତ ଗୁଳି ବିନିମୟ : ଘେରାବନ୍ଦୀ କରି ରଖିଛନ୍ତି ୩ ପ୍ଲାଟୁନ୍‌ ପୁଲିସ୍‌

ଗୁଳି, ଏସିଡ୍‌ ମାଡ଼ରେ ଦୋକାନ ମାଲିକ ଓ ପୁଅ ଗୁରୁତର, ୩ ଡକାୟତ ଧରାପଡ଼ିଲେ, ୩ ଖସିଗଲେ

ବେତନଟୀ/ବୈଶିଙ୍ଗା,ବାରିପଦା/ବାଲେଶ୍ବର : ଏକ ଜୁଏଲାରି ଦୋକାନରୁ ଲୁଟ୍‌ କରି ଫେରାର୍‌ ହୋଇଯାଇଥିବା ଏକ ଡକାୟତ ଦଳ ଓ ପୁଲିସ୍‌ ମୁହାଁମୁହିଁ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖସି ଯିବାକୁ ଉଦ୍ୟମ କରି ୩ ଜଣ ପୁଲିସ୍‌ ହାତରେ ଧରାପଡ଼ିଛନ୍ତି। ଅନ୍ୟ ୩ ଜଣ ଜଙ୍ଗଲରେ ଲୁଚି ରହିଛନ୍ତି। ଖବର ଲେଖାହେଲା ବେଳକୁ ୩ ପ୍ଲାଟୁନ୍‌ ଫୋର୍ସ ସେମାନଙ୍କୁ ଘେରାବନ୍ଦୀ କରି ରଖିଛନ୍ତି। ଅନ୍ୟପକ୍ଷରେ, ଏହି ଡକାୟତ ଦଳର ଗୁଳି ଓ ଏସିଡ୍‌ ମାଡ଼ରେ ଦୋକାନ ମାଲିକ ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।

ବୈଶିଙ୍ଗା ଥାନାରୁ ମାତ୍ର ୨୦୦ ମିଟର ଦୂର ବୈଶିଙ୍ଗା-ମାଣତ୍ରୀ ରାସ୍ତା କଡ଼ରେ ଥିବା ବିଶ୍ବକର୍ମା ଜୁଏଲାରି। ଶୁକ୍ରବାର ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ୬ ଜଣ ଯୁବକ ଡକାୟତ ପାଇଁ ଉଦ୍ୟମ କରିଥିଲେ। ସେତେବେଳେ ଦୋକାନ ଭିତରେ କେବଳ ଦୋକାନ ମାଲିକ ଧ୍ରୁବଚରଣ ମହାରଣା (୫୮) ଓ ତାଙ୍କ ପୁଅ ଲିଟୁ (୩୪) ଥିଲେ। ପ୍ରଥମେ ବାପପୁଅଙ୍କୁ ପିସ୍ତଲ ଦେଖାଇ ଧମକଚମକ ଦେଇଥିଲେ ଲୁଟେରା। ଗହଣା ଲୁଟ୍‌ କଲାବେଳେ ଧ୍ରୁବଚରଣ ପ୍ରତିରୋଧ କରିବାରୁ ତାଙ୍କ ଗୋଡ଼କୁ ଗୁଳି ମାରି ପୁଅ ଲିଟୁ ଉପରକୁ ଏସିଡ୍‌ ଫିଙ୍ଗିଥିଲେ। ତେବେ ଗୁଳି ଶବ୍ଦ ଶୁଣି ପାଖ ଦୋକାନୀମାନେ ପୁଲିସକୁ ଖବର ଦେଇଥିଲେ। ଆଉ ଏହାରି ମଧ୍ୟରେ ସୁନାଗହଣା ଧରି ଡକାୟତମାନେ ଫେରାର୍‌ ହେବାକୁ ଉଦ୍ୟମ କରିବାବେଳେ ଜଣେ ପାଖ ଦୋକାନୀ ସାହସ ଜୁଟାଇ ସେମାନଙ୍କ ବାଟ ଓଗାଳିଥିଲେ। ତାଙ୍କ ମୁଣ୍ଡକୁ ପିସ୍ତଲ ବଟ୍‌ରେ ମାଡ଼ ମାରି ତଳେ ପକାଇ ଦେଇଥିଲେ ଦୁର୍ବୃତ୍ତ। ଏତିକି ବେଳେ ପୁଲିସ କର୍ମଚାରୀଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ ବୈଶିଙ୍ଗା ଥାନା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇ। ଡକାୟତମାନଙ୍କୁ ଅଟକାଇବାକୁ ଯାଇ ସେ ଗୁଳି ଚଳାଇବା ସମୟରେ ୩ ଜଣ ଡକାୟତ ପୁଲିସ ଉପରକୁ ପାଲଟା ଗୁଳିଚାଳନା କରି ସେଠାରୁ ଚମ୍ପଟ ମାରିଥିଲେ। ଅନ୍ୟ ୩ ଜଣ ଡକାୟତ ଫେରାର୍‌ ହେବାକୁ ଉଦ୍ୟମ କରି ଗୁଳି ଚଳାଇଥିଲେ ମଧ୍ୟ ସଫଳ ହୋଇନଥିଲେ। ନିକଟରେ ଦୋକାନ କରିଥିବା ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ପୁଲିସ ସେମାନଙ୍କୁ କାବୁ କରିନେଇଥିଲା। ସ୍ଥାନୀୟ ଲୋକଙ୍କ ମାଡ଼ରେ ଡକାୟତମାନେ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିସହ ଗୁରୁତର ଆହତ ଦୋକାନ ମାଲିକ ଧ୍ରୁବଚରଣ ଓ ତାଙ୍କ ପୁଅ ଲିଟୁଙ୍କୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ପୁଲିସ। ତେବେ ଧ୍ରୁବଚରଣଙ୍କ ସ୍ଥିତି ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଯାଇଛି।

ସେପଟେ ଫେରାର ହୋଇ ଯାଇଥିବା ୩ ଜଣ ଡକାୟତ ବାଲେଶ୍ବର ସଦର ଥାନା ନିଜାମପୁର ପଞ୍ଚାୟତ ପଦଲାମପୁର-ବାଳିଆପିଟା ନିକଟରେ ଦ୍ରୁତ ଗତିରେ ଯାଉଥିବା ବେଳେ ବାଲେଶ୍ବରରୁ ଏକ ବୈଠକ ସାରି ଫେରୁଥିବା ବୈଶିଙ୍ଗା ଥାନା ଏଏସ୍‌ଆଇ ସୁଶାନ୍ତ ମହାକୁଡଙ୍କ ସହିତ ମୁହାଁମୁହିଁ ହୋଇଥିଲେ। ଶ୍ରୀ ମହାକୁଡ଼ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କ ଉପରକୁ ଦୁର୍ବୃତ୍ତମାନେ ୩ ରାଉଣ୍ଡ ଗୁଳି ଚଳାଇ ପ୍ରଥମେ ଲଙ୍କାପୋଡ଼ା ମଠ ଓ ପରେ ମଠ ସଂଲଗ୍ନ ଜଙ୍ଗଲଆଡ଼କୁ ପଳାଇ ଯାଇଥିଲେ। ଖବର ପାଇ ମୟୂରଭଞ୍ଜ ଏସ୍‌ପି ସ୍ମିଥ୍‌ ପି.ପରମାରଙ୍କ ନେତୃତ୍ବରେ ୩ ପ୍ଲାଟୁନ୍‌ ପୁଲିସ ସେଠାରେ ପହଞ୍ଚି ଜଙ୍ଗଲ ଅଞ୍ଚଳକୁ ନାକାବନ୍ଦୀ କରିଛନ୍ତି। ଧରାପଡ଼ିଥିବା ୩ ଡକାୟତଙ୍କ ପରିଚୟ ପାଇଛି ପୁଲିସ। ଡକାୟତମାନେ ହେଲେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳର ସନ୍ୟାସୀ ନାହାକଙ୍କ ପୁଅ ମିଥୁନ (୩୧), ପଶ୍ଚିମବଙ୍ଗ ଚବିଶପ୍ରଗଣା ଅଞ୍ଚଳର ଦାମୋଦର ବାରିକଙ୍କ ପୁଅ କୁନାଲ (୨୯) ଓ ଗଞ୍ଜାମ ଜିଲ୍ଲା କୋଦଳା ବ୍ଳକ ବାଉଁଶିଆ ଗ୍ରାମର ଭାଇରାମ ବିଶ୍ବାଳଙ୍କ ପୁଅ ବସନ୍ତ ବିଶ୍ବାଳ (୧୯)। ଏହି ଘଟଣାରେ ରାଜ୍ୟ ବାହାରର ଆଉ ଦୁଇ ଅପରାଧୀ ସାମିଲ ଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର