ମାଲକାନଗିରି : ବିଚ୍ଛିନ୍ନାଞ୍ଚଳ ଅସୁରକ୍ଷିତ ହେବାରୁ ବଣ୍ଡାଘାଟିକୁ ଚାଲି ଆସିଥିଲେ। କ୍ୟାମ୍ପ କରି ଅଘଟଣ ପାଇଁ ରଣନୀତି ପ୍ରସ୍ତୁତ କରୁଥିଲେ। କିନ୍ତୁ କିଛି କରିବା ପୂର୍ବରୁ ପୁଲିସକୁ ମିଳିଗଲା ସୂଚନା। ଏହାପରେ ପୁଲିସ ପକ୍ଷରୁ ବଡ଼ଧରଣର ଅପରେସନ ହୋଇଥିଲା। ଉଭୟପଟୁ ଗୁଳି ବର୍ଷିଥିବା ବେଳେ ଚକମା ଦେଇ ଖସିଗଲେ କ୍ୟାଡର ନକ୍ସଲ। ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରୁ ସୁରକ୍ଷା କର୍ମୀ ଫେରିବା ପରେ ଗଣମାଧ୍ୟମକୁ ଏମିତି ତଥ୍ୟ ପୁଲିସ ଦେଇଛି। ବିପୁଳ ପରିମାଣର ମାଓ ସାମଗ୍ରୀ ଘଟଣା ସ୍ଥଳରୁ ଜବତ ହୋଇଥିବା ସୂଚନା ମିଳିଛି।
ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନା ଅନ୍ତର୍ଗତ ବଣ୍ଡାଘାଟିରେ ନକ୍ସଲ କ୍ୟାମ୍ପ କରିଥିବା ନେଇ ଦୁଇ ଦିନ ଗୁଇନ୍ଦା ସୂତ୍ରରୁ ମାଲକାନଗିରି ପୁଲିସକୁ ଖବର ମିଳିଥିଲା। ବଣ୍ଡାପଡ଼ା ନିକଟରେ ଏହି କ୍ୟାମ୍ପ ରହିଥିବା ବେଳେ ୨୦ରୁ ୩୦ଜଣ ନକ୍ସଲ ରହିଥିଲେ। କିଛି ମୋଷ୍ଟୱାଣ୍ଟେଡ କ୍ୟାଡର ନକ୍ସଲ ବି ଏହି କ୍ୟାମ୍ପରେ ରହିଥିଲେ। ବିଚ୍ଛିନ୍ନାଞ୍ଚଳରୁ ଏମାନେ ଚାଲି ଆସିଥିବା ବେଳେ ଅତର୍କିତ ହମଲା ପାଇଁ ଯୋଜନା କରୁଥିଲେ। ଅନ୍ୟପଟେ ସୂଚନା ମିଳିବା କ୍ଷଣି ଡିଭିଏଫ ଏବଂ ଏସ୍ଓଜି ଯବାନ କମ୍ବିଂ ଅପରେସନରେ ବାହାରିଥିଲେ। ଚିତ୍ରକୋଣ୍ଡା ଏସଡିପିଓ ଏସ. ହେମ୍ରମଙ୍କ ନେତୃତ୍ବରେ ଯବାନମାନେ ଘଞ୍ଚ ଜଙ୍ଗଲରେ ପଶିଥିଲେ। ବଣ୍ଡାପଡ଼ା ନିକଟସ୍ଥ ଜଂଗଲରେ ଯବାନଙ୍କ ଗତିବିଧି ସଂପର୍କରେ ସୂଚନା ପାଇ ନକ୍ସଲ ଖସିବା ବାଟ ଖୋଜିଥିଲେ। ଏଥିପାଇଁ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲେ। ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିବା ବେଳେ ରାତି ଅନ୍ଧାରର ସୁଯୋଗ ନେଇ ନକ୍ସଲ ଖସି ଯିବାରେ ସକ୍ଷମ ହୋଇଥିଲେ।
କ୍ୟାମ୍ପକୁ ଚାରିପଟୁ ଘେରାବନ୍ଦୀ ରଖିବା ସହ ପାଲଟା ଜବାବ ଦେଇଥିଲେ ଯବାନ। ନକ୍ସଲଙ୍କ ଗୁଳି ବନ୍ଦ ହେବାପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଘଟଣାସ୍ଥଳରୁ ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଛି। ଏହି ଅପରେସନରେ ଯବାନଙ୍କ କୌଣସି କ୍ଷତି ହୋଇ ନଥିବା ବେଳେ ନକ୍ସଲଙ୍କ କେତେ କ’ଣ କ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇପାରିନି। ଗତ ୪ ମାସ ମଧ୍ୟରେ ସୁରକ୍ଷା ଯବାନ-ନକ୍ସଲ ଅନେକଥର ମୁହାଁମୁହିଁ ହୋଇସାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/naxal-1.jpg)