ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଶିବନାରାୟଣପୁର ଜଙ୍ଗଲରେ ମାଓବାଦୀ ଓ ଯବାନ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହିସମୟରେ ବେକରେ ଗୁଳି ବାଜିବାରୁ ଏସ୍ଓଜି ଯବାନ ପ୍ରକାଶ ସାଇ ଗୁରୁତର ହୋଇଛନ୍ତି। ସେ ବର୍ତ୍ତମାନ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାଯାଇଛି। ସୂଚନା ଅନୁସାରେ, ଶିବନାରାୟଣପୁର ଜଙ୍ଗଲରେ ୨୦ରୁ ୩୦ ନକ୍ସଲ ସଂଗଠିତ ହୋଇଥିବା ଗୋଇନ୍ଦା ସୂତ୍ରରୁ ଖବର ପାଇ ସ୍ବତନ୍ତ୍ର ସୁରକ୍ଷା ବାହିନୀର (ଏସ୍ଓଜି) ସର୍ଚ୍ଚ ଅପରେସନରେ ବାହାରିଥିଲେ। ସେତେବେଳକୁ ରାତି ପ୍ରାୟ ୩ଟା ସମୟ। ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚଳାଇଥିଲେ। ଯବାନମାନେ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ। ତେବେ, ନକ୍ସଲଙ୍କ ଗୁଳିରେ ଏସ୍ଓଜି ଯବାନ ପ୍ରକାଶ ସାଇ ଆହତ ହୋଇଥିଲେ। ତାଙ୍କ ବେକରେ ଗୁଳି ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଛତିଶଗଡ଼ର ଗରିଆବନ୍ଧ ମୁଖ୍ୟ ଡାକ୍ତରଖାନା ପରେ ରାୟପୁର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି।
ଅବସ୍ଥା ସଂକଟାପନ୍ନ, ରାୟପୁର ଡାକ୍ତରଖାନାରେ ଭର୍ତ୍ତି
ସୀମାନ୍ତରେ ଉଭୟ ରାଜ୍ୟ ପକ୍ଷରୁ ସର୍ଚ୍ଚ ଅପରେସନ
ମାଓକ୍ୟାମ୍ପ ଠାବ, ବହୁ ମାଓ ସାମଗ୍ରୀ ଜବତ
ଅନ୍ୟପକ୍ଷରେ, ସକାଳ ୮ଟାରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ ହୋଇଥିଲା। କିଛିସମୟ ଧରି ଗୁଳି ବିନିମୟ ହେବାପରେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ଯବାନମାନେ ଏକ ନକ୍ସଲ କ୍ୟାମ୍ପ ଠାବ କରିଥିଲେ। ସେଠାରୁ ୧୦ଟି ଆଇଇଡି ଓ ଗୋଟିଏ ପିସ୍ତଲ ସହ କିଛି ମାଓ ସାମଗ୍ରୀ ଜବତ କରାଯାଇଛି। ବର୍ତ୍ତମାନ ମଧ୍ୟ ସୁନାବେଡ଼ା ଅଭୟାରଣ୍ୟରେ ଏସ୍ଓଜି, କୋବ୍ରା ଓ ସିଆର୍ପିଏଫ୍ ଯବାନ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ନୂଆପଡ଼ା ଏସ୍ପି ଜି.ଆର୍. ରାଘବେନ୍ଦ୍ର ସୂଚନା ଦେଇଛନ୍ତି।