ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ଛତିଶଗଡ଼ରେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଛି। ଏସ୍‌ଓଜି ଯବାନଙ୍କ ଆକ୍ରମଣର ସାମ୍ନା କରିନପାରି ମାଓବାଦୀ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛନ୍ତି। ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ତେବେ ମାଓବାଦୀ ବ୍ୟବହାର କରୁଥିବା ସାମଗ୍ରୀ ବିପୁଳ ପରିମାଣରେ ଜବତ ହେବା ସୁରକ୍ଷା କର୍ମୀଙ୍କ ପାଇଁ ବଡ଼ ସଫଳତା।

Advertisment

ସୂଚନା ଅନୁଯାୟୀ, ଗତକାଲି ରାତିରେ ଗରିୟାବନ୍ଧ ଜିଲ୍ଲା ଶୋଭା ଥାନା ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଯୋଜନା ପ୍ରସ୍ତୁତ କରି ଏସ୍‌ଓଜି ଯବାନଙ୍କ ଦୁଇଟି ଟିମ୍‌ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଆଜି ସକାଳ ପ୍ରାୟ ସାଢ଼େ ୯ଟାରେ ମାଓବାଦୀଙ୍କ ଠିକଣାରେ ଯବାନମାନେ ପହଞ୍ଚିବା ପରେ ଗୁଳି ବର୍ଷଣ ହୋଇଥିଲା। ମାଓବାଦୀ ଖସିଯିବାକୁ ଉଦ୍ୟମ କରି ଆଖିବୁଜା ଗୁଳି ଚଳାଇଥିଲେ। ଯବାନମାନେ ପୂର୍ବ ପ୍ରସ୍ତୁତି ଅନୁସାରେ କଡ଼ା ଯବାବ ଦେବାରୁ ବେଶୀ ସମୟ ଲଢ଼ିବା ପାଇଁ ମାଓବାଦୀ ସକ୍ଷମ ହୋଇନଥିଲେ। ପ୍ରାୟ ୨୦ରୁ ୨୫ଜଣ ମାଓବାଦୀ ରହିଥିବା ଅନୁମାନ କରାଯାଉଥିବା ବେଳେ ଅଧଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା।

ମାଓବାଦୀ ସ୍ଥାନ ଛାଡ଼ିବା ପରେ ସୁରକ୍ଷା କର୍ମୀ ସର୍ଚ୍ଚ ଅପେରସନ ଆରମ୍ଭ କରିଥିଲେ। ଦୈନନ୍ଦିନ ବ୍ୟବହାର ସାମଗ୍ରୀ ସହ ‌ଗୁଳିଗୋଳା ଘଟଣାସ୍ଥଳରୁ ମିଳିଛି। ସିସିଏମ୍‌ ମୁରଲୀ, ଏସ୍‌ସିଏମ୍‌ କାର୍ତ୍ତିକ, ଏସ୍‌ସିଏମ୍‌ ଗୁଡୁ, ଏସିଏମ୍ ଆକାଶ, ଏସିଏମ୍‌ ନନ୍ଦାଲ ପ୍ରମୁଖ ଏଠାରେ କ୍ୟାମ୍ପ କରିଥିଲେ। ଗରିୟାବନ୍ଧ ଜିଲ୍ଲା ଶୋଭା ଥାନା ଅନ୍ତର୍ଗତ ଉଦନ୍ତି ଜଙ୍ଗଲର ସାଇବିନକାଚର ଗାଁର କିଛି ଜଣ ମଧ୍ୟ କ୍ୟାମ୍ପରେ ରହିଥିଲେ ବୋଲି ଜଣାପଡ଼ିଛି। ବରିଷ୍ଠ ଅଧିକାରୀ ଘଟଣା ଉପରେ ନଜର ରଖିଥିବା ବେଳେ କମ୍ବିଂ ଅପରେସନ ଜାରି ରହିଥିବା ସୂଚନା ମିଳିଛି।