ଆଇପିଏସ୍‌ ସ୍ତରରେ ଅଦଳବଦଳ: ଛାବ୍ରାଙ୍କୁ ଜେଲ୍‌ ଦାୟିତ୍ବ, ଉପାଧ୍ୟାୟଙ୍କୁ ଅଗ୍ନିଶମ

ସଂଜୀବଙ୍କୁ ଗୁଇନ୍ଦା, ବୋଥ୍ରା ବୁଝିବେ କ୍ରାଇମବ୍ରାଞ୍ଚ, ଉମାଶଙ୍କର କମିସନରେଟ୍‌ ପୁଲିସରେ ରହିଲେ

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଆଇପିଏସ୍‌ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଯିବା ପୂର୍ବରୁ ଏଥିରେ ଦସ୍ତଖତ ମାରିଛନ୍ତି। ବରିଷ୍ଠ ଆଇପିଏସ୍‌ ମନୋଜ ଛାବ୍ରାଙ୍କୁ ସ୍ପେସାଲ୍‌ ଡିଜି (ସ୍ପେସାଲ୍‌ ଆର୍ମଡ୍‌ ପୁଲିସ୍)ରୁ ବଦଳି କରାଯାଇ ଜେଲ୍ ବିଭାଗ ଡିଜି ଭାବେ ନିଯୁକ୍ତି ମିଳିଛି। ସେହିଭଳି ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଜେଲ୍‌ ବିଭାଗ ଡିଜି ପଦବିରୁ ବଦଳି କରି ଅଗ୍ନିଶମ ସେବା ଓ ହୋମ୍‌ ଗାର୍ଡସ୍‌ ଡିଜି ଭାବେ ଅବସ୍ଥାପିତ କରାଯାଇଛି। ତେବେ ସଞ୍ଜୀବ ପଣ୍ଡା ଓ ଅରୁଣ ବୋଥ୍ରାଙ୍କୁ ଦୁଇ ଦୁଇଟି ପଦବିର ଦାୟିତ୍ବ ଦିଆଯାଇଛି। ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ୍‌ ଅତିରିକ୍ତ ଡିଜି ଥିବା ସଞ୍ଜୀବ କୁମାର ପଣ୍ଡା ଏବେ ଗୁଇନ୍ଦା ନିର୍ଦ୍ଦେଶକ ପଦବି ସହ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ନିଗମର ଅତିରିକ୍ତ ଦାୟିତ୍ବ ତୁଲାଇବେ। ଅରୁଣ ବୋଥ୍ରା ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ଅତିରିକ୍ତ ଡିଜି (ଏଡିଜି) ପଦବି ସହ ପୂର୍ବ ଭଳି ପରିବହନ କମିସନର ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ।

ସଂଜୀବଙ୍କୁ ଗୁଇନ୍ଦା, ବୋଥ୍ରା ବୁଝିବେ କ୍ରାଇମବ୍ରାଞ୍ଚ
ଉମାଶଙ୍କର କମିସନରେଟ୍‌ ପୁଲିସରେ ରହିଲେ
ଟ୍ବିନ୍ ସିଟି ଡିସିପିଙ୍କ ବ୍ୟତୀତ ୬ଏସ୍‌ପି ବଦଳିଲେ

ସହରାଞ୍ଚଳ ପୁଲିସ ଟ୍ରାଫିକ୍‌ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ସତୀଶ କୁମାର ଗଜଭିୟେଙ୍କୁ ଆଇଜିପି କମ୍ୟୁନିକେସନ ପଦରେ ଅବସ୍ଥାପିତ କରାଯାଇଛି। ସଫିନ୍‌ ଅହମ୍ମଦ କେଙ୍କୁ ଆଇଜିପି ହୋମ୍‌ଗାର୍ଡରୁ ବଦଳି କରି ଏଚ୍‌ଆର୍‌ପିସି ଆଇଜିପି ଭାବେ ନୂଆ ଦାୟିତ୍ବ ଦିଆଯାଇଛି। ଭୁବନେଶ୍ବର ଡିସିପି ଦାୟିତ୍ବ ନିର୍ବାହ କରୁଥିବା ଉମାଶଙ୍କର ଦାଶଙ୍କୁ ଦ୍ବୈତନଗରୀର ଅତିରିକ୍ତ ପୁଲିସ୍ କମିସନର ଦାୟିତ୍ବ ମିଳିଛି। ନୀତି ଶେଖରଙ୍କୁ ପଶ୍ଚିମାଞ୍ଚଳ ରେଞ୍ଜ୍‌ ଡିଆଇଜି ଭାବେ ରାଉରକେଲାକୁ ବଦଳି କରାଯାଇଛି। ବ୍ରହ୍ମପୁର ଏସ୍‌ପି ଥିବା ପିନାକ ମିଶ୍ରଙ୍କୁ କଟକ ଡିସିପି ଭାବେ ଓ କଟକ ଡିସିପି ଥିବା ପ୍ରତୀକ ସିଂହଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତି ଦିଆଯାଇଛି। ଏତଦ୍‌ବ୍ୟତୀତ କେତେକ ଜିଲ୍ଲାର ଏସ୍‌ପିମାନଙ୍କୁ ବଦଳି କରାଯାଇଛି।

ନବରଙ୍ଗପୁର ଏସ୍‌ପି ପର୍‌ମାର ସ୍ମିତ୍‌ ପାରଷୋତ୍ତମଦାସଙ୍କୁ ବରଗଡ଼ ଏସ୍‌ପି, ବରଗଡ଼ ଏସ୍‌ପି ରାହୁଲ୍‌ ଜୈନଙ୍କୁ ଝାରସୁଗୁଡ଼ା ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି। କଳାହାଣ୍ଡି ଏସ୍‌ପି ଶ୍ରବଣ ବିବେକ ଏମ୍‌ଙ୍କୁ ବ୍ରହ୍ମପୁର ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ନୟାଗଡ଼ ଏସ୍‌ପି ସିଦ୍ଧାର୍ଥ କଟାରିଆଙ୍କୁ ଖୋର୍ଦ୍ଧା ଏସ୍‌ପି ଦାୟିତ୍ବ ଦିଆଯାଇଛି। ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଏସ୍‌ ସୁଶ୍ରୀଙ୍କୁ ବଦଳି କରାଯାଇ ନବରଙ୍ଗପୁର ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି। ନାର୍‌କୋଟିକ୍ସ ସ୍ପେସାଲ୍ ଟାକ୍ସ ଫୋର୍ସ ଏସ୍‌ପି ଅଭିଳାଷ ଜିଙ୍କୁ କଳାହାଣ୍ଡି ଏସ୍‌ପି ଓ ଖୋର୍ଦ୍ଧା ଏସ୍‌ପି ଅଖିଳ ପହି (ଓପିଏସ୍‌)ଙ୍କୁ ନୟାଗଡ଼ ଏସ୍‌ପି ଭାବେ ବଦଳି କରାଯାଇଛି।

 

ସମ୍ବନ୍ଧିତ ଖବର