ଆଇପିଏସ୍‌ରେ ଅଦଳବଦଳ: ଜେଠୱାଙ୍କୁ ଭିଜିଲାନ୍ସ, ସଞ୍ଜୀବଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌

ଭୁବନେଶ୍ବର : ୧୯୯୪ ବ୍ୟାଚ୍‌ ଆଇପିଏସ୍‌ ଅଫିସର୍‌ ଯଶୱନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେହି ବ୍ୟାଚ୍‌ର ଆଉ ଜଣେ ଅଫିସର୍‌ ସଞ୍ଜୀବ ପଣ୍ଡାଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ର ଅତିରିକ୍ତ ମହାନିର୍ଦ୍ଦେଶକ(ଏଡିଜି) ଭାବେ ନିଯୁକ୍ତି ମିଳିଛି। ବର୍ତ୍ତମାନ ଶ୍ରୀ ଜେଠୱା ଆଇନଶୃଙ୍ଖଳା ଏଡିଜି ଥିଲାବେଳେ ଶ୍ରୀ ପଣ୍ଡା ପରିବହନ କମିସନର୍‌ଭାବେ କାର୍ଯ୍ୟ କରୁଛନ୍ତି। ରାଜ୍ୟ ପୁଲିସ୍‌ର ଏହି ଦୁଇ ଗୁରୁତ୍ବପୂର୍ଣ୍ଣ ବିଭାଗର ମୁଖିଆଙ୍କୁ ନିଯୁକ୍ତି ଦେବା ସହ ରାଜ୍ୟ ସରକାର ଗୁରୁବାର ଆଇପିଏସ୍‌ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ ପରେ ଭିଜିଲାନ୍ସ ନିର୍ଦ୍ଦେଶକ ପଦବି ଖାଲି ଥିଲା। ସେହିପରି ଆଇନଶୃଙ୍ଖଳା ଏଡିଜି ଶ୍ରୀ ଜେଠୱା କ୍ରାଇମ୍‌ବ୍ରାଞ୍ଚର ଏଡିଜି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ।

ପୁଲିସ୍‌ ମୁଖ୍ୟାଳୟରେ ଏଡିଜି ଥିବା ଲଳିତ ଦାସଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ବର୍ତ୍ତମାନର ଗୁଇନ୍ଦା ନିର୍ଦ୍ଦେଶକ ଆର୍‌କେ ଶର୍ମାଙ୍କୁ ଆଇନ ଶୃଙ୍ଖଳା ଏଡିଜି ଭାବେ ବଦଳି କରାଯାଇଛି। ହୋମ୍‌ଗାର୍ଡ ଓ ଅଗ୍ନିଶମ ସେବା ଆଇଜି ଅସିତ କୁମାର ପାଣିଗ୍ରାହୀ ଭିଜିଲାନ୍ସ ଆଇଜି ଭାବେ ନୂଆ ନିଯୁକ୍ତି ପାଇଛନ୍ତି। ଓଏସ୍‌ଆର୍‌ଟିସି ସିଏମ୍‌ଡି ଓ କ୍ରୁଟ୍‌ର ସିଇଓ ଅରୁଣ ବୋଥ୍ରା ପରିବହନ କମିସନର୍‌ଭାବେ ନୂଆ ନିଯୁକ୍ତି ପାଇଛନ୍ତି। ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ସିଏମ୍‌ଡି ଥିବା ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଗୃହ ବିଭାଗର ଓଏସ୍‌ଡି ଭାବେ ବଦଳି କରାଯାଇଛି। ଶ୍ରୀ ଷଡ଼ଙ୍ଗୀଙ୍କ ପରି ଜଣେ ବରିଷ୍ଠ ଆଇପିଏସ୍‌ ଅଫିସର୍‌ଙ୍କୁ ଏକ ଅପେକ୍ଷାକୃତ ଗୁରୁତ୍ବହୀନ ପଦବିରେ ନିଯୁକ୍ତି ଦିଆଯିବାକୁ ନେଇ କ୍ଷମତା କରିଡର୍‌ରେ ଚର୍ଚ୍ଚା ଜୋର୍‌ଧରିଛି। କ୍ରାଇମ୍‌ବ୍ରାଞ୍ଚ୍‌ ଏଡିଜି ସଞ୍ଜୀବ ପଣ୍ଡା ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ସିଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ତେବେ ଶ୍ରୀ ବୋଥ୍ରାଙ୍କ ନୂଆ ନିଯୁକ୍ତି ପରେ ଓଏସ୍‌ଆର୍‌ଟିସି ଓ କ୍ରୁଟ୍‌ରେ କାହାରିକୁ ନିଯୁକ୍ତି ଦିଆଯାଇନାହିଁ।

ସମ୍ବନ୍ଧିତ ଖବର