ତ୍ରିଶୂଳିଆରେ ଖୋଲିବ ରାଜ୍ୟ ଅବକାରୀ ଭବନ

ନିର୍ଗୁଣ୍ଡି ରାଜ୍ୟ ପାନୀୟ ନିଗମ ସ୍ଥାନାନ୍ତର ନିଷ୍ପତ୍ତି, ୨ ଏକର ଜମିରେ ଏନ୍‌ଡିିପିଏସ୍‌ ଗୋଦାମ, ଜିଲ୍ଲାପାଳଙ୍କୁ ୫ଟି ଷ୍ଟେସନ୍‌ ପାଇଁ ଜମି ଦେବାକୁ ଚିଠି

କଟକ : ତ୍ରିଶୂଳିଆରେ ଖୋଲିବ ରାଜ୍ୟ ଅବକାରୀ ଭବନ। ରାଜସ୍ବ ଭବନରେ ଅସ୍ଥାୟୀ ଭାବେ ଚାଲିଥିବା ଅବକାରୀ କମିସନଙ୍କ କାର୍ଯ୍ୟାଳୟ ନୂଆ ଭବନକୁ ସ୍ଥାନାନ୍ତର କରାଯିବ। ଏହି ବହୁତଳ କୋଠାରେ ଅବକାରୀ ବିଭାଗର ଅନ୍ୟ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ହୋଇଛି। ଏବେ ନେତାଜୀ ସୁଭାଷ ବୋସ ସେତୁର ଶେଷ ମୁଣ୍ତର ଡାହାଣ ପାର୍ଶ୍ବରେ ଜମିକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଅବକାରୀ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

ରାଜସ୍ବ ଭବନର ଦ୍ବିତୀୟ ମହଲାରେ ୧୯୮୯ରୁ ରାଜ୍ୟ ଅବକାରୀ କମିସନ, ଡେପୁଟି କମିସନ ଏବ˚ କମିସନଙ୍କ ଏଷ୍ଟାବ୍ଲିସ୍‌ମେଣ୍ଟ ଚାଲି ଆସୁଥିବା ବେଳେ ପୁରୁଣା ଜୁଡିସିଆଲ୍‌ ଏକାଡେମୀର ପ୍ରଥମ ମହଲାରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ-୨ ଏବ˚ କୃଷକ ବଜାର ଭଡ଼ା ଘରେ ଚାଲିଥିବା ରାଜ୍ୟ ଫ୍ଲାଇ˚ ସ୍କ୍ବାଡ୍‌ କାର୍ଯ୍ୟାଳୟ ମଧ୍ୟ ଭଡ଼ା ଘରେ ଚାଲି ଆସୁଛି। ତେଣୁ ସେଗୁଡ଼ିକ ଗୋଟିଏ ସ୍ଥାନକୁ ଆଣିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି। ଭବନରେ ମଧ୍ୟ ଏକ ଅବକାରୀ ଅଫିସରଙ୍କ ପାଇଁ ଗେଷ୍ଟ ହାଉସ୍‌ ଖୋଲାଯିବାକୁ ପ୍ରସ୍ତାବ ହୋଇଛି। ଜିଲ୍ଲାପାଳଙ୍କୁ ଗୋଟିଏ ଏକର ଜମି ଦେବା ପାଇଁ ଚିଠି ଲେଖାଯାଇଛି। ଅନ୍ୟପଟେ କୃଷକ ବଜାର ଅଞ୍ଚଳରେ ୨ ଏକର ଜମିରେ ଏନ୍‌ଡିପିଏସ୍‌ ଗୋଦାମ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ପ୍ରାୟ ୧ କୋଟି ଟଙ୍କା ଅର୍ଥ ବ୍ୟୟ ହୋଇଛି। ଉଭୟ ନାର୍କୋଟିକ୍‌ ଡ୍ରଗ କଣ୍ଟ୍ରୋଲ୍‌ ଏବ˚ ରାଜ୍ୟ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ପ୍ରଥମ ଥର ପାଇଁ ଏହି ଗୋଦାମ ଖୋଲିବାକୁ ଯାଉଛି।

ଏନ୍‌ଡିପିଏସ୍‌ ମାମଲାରେ ଜବତ ଗଞ୍ଜେଇ, ବ୍ରାଉନ୍‌ସୁଗାର ଏବ˚ ଚରସ ରଖିବାକୁ ଗୋଦାମରେ ସ୍ବତନ୍ତ୍ର ପୃଥକ କୋଠରୀ କରାଯାଇଛି। ପାଣି ଏବ˚ ବିଜୁଳି ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇନଥିବାରୁ ଗୋଦାମ ହସ୍ତାନ୍ତର କରାଯାଇନଥିବା ସୂଚନା ମିଳିଛି। କେ ଏସବୁକୁ ଦୃଷ୍ଟିରେ ରଖାଯାଇ ଏନ୍‌ଡିପିଏସ୍‌ ଗୋଦାମ ଖୋଲିବାକୁ ଯାଉଛି। ସେହିପରି ନିର୍ଗୁଣ୍ଠିରେ ଚାଲୁଥିବା ରାଜ୍ୟ ପାନୀୟ ନିଗମ ଡିପୋ ୨୦୦୨ ମସିହାରୁ ଭଡ଼ାରେ ଚାଲିଥିବାରୁ ସମସ୍ୟା ହେଉଛି। ଏଠୁ କଟକ ଜିଲ୍ଲା ସମେତ କେନ୍ଦ୍ରାପଡ଼ା, ଜଗତସ˚ହପୁର ଜିଲ୍ଲା ମଦ ଯୋଗାଣ କରାଯାଉଛି। କିନ୍ତୁ ସ୍ଥାନ ଅବସ୍ଥାରୁ ଡିପୋର ସମ୍ପ୍ରସାରଣ ପାଇଁ ଡିପୋକୁ ଫୁଲନଖରା କିମ୍ବା ବାଙ୍କୀ ରୋଡ୍‌ରେ ଥିବା ସିଆଇଏସ୍‌ଏଫ୍‌ ନିକଟକୁ ଉଠାଇ ନେବାକୁ ଯୋଜନା କରାଯାଉଛି। ଏଥିପାଇଁ ହାରାହାରି ୫ ଏକର ଜମିର ଆବଶ୍ୟକତା ରହିଛି। ଦୁଇଟି ସ୍ଥାନରେ ଜମି ଦେଖା ସରିଥିବା ବେଳେ ଖୁବ୍‌ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଅନ୍ୟପଟେ କଟକ ଅବକାରୀ ଜିଲ୍ଲା ଅଧିନରେ ୯ଟି ଷ୍ଟେସନ ଏବ˚ ଦୁଇଟି ମୋବାଇଲ୍‌ ୟୁନିଟ୍‌ ଚାଲୁଥିବା ବେଳେ ଏବେ ୫ଟି ଷ୍ଟେସନ୍‌ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସାଲେପୁରରେ ଚାଲିଥିବା ଷ୍ଟେସନ୍‌ର ବ୍ରିଟିଶ ଅମଳର ହୋଇଥିବାରୁ ଘର ଭାଙ୍ଗି ଗଲାଣି। ଅନ୍ୟପଟେ ନିଶ୍ଚିନ୍ତକୋଇଲି, ବାଙ୍କୀ, ନରସି˚ହପୁର ଷ୍ଟେସନ୍‌ର ନିଜସ୍ବ ଘର ନଥିବାରୁ ଭଡ଼ା ଘରେ ଷ୍ଟେସନ୍‌ କାର୍ଯ୍ୟ କରୁଛି। ଆଠଗଡ଼ର ଅବସ୍ଥା ଆହୁରି ସାଙ୍ଘାତିକ। ଆଠଗଡ଼ର ଜଣେ ଇନ୍‌ସ୍ପେକ୍ଟରଙ୍କ ସରକାରୀ କ୍ବାଟର୍ସରେ ଷ୍ଟେସନ କାର୍ଯ୍ୟ ଚାଲିଥିଛି। ଏଭଳି ସ୍ଥିତିରେ ୫ଟି ଷ୍ଟେସନ ନିର୍ମାଣ ପାଇଁ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିିଠି ଲେଖାଯାଇଥିଲା। ଏବେ ଜିଲ୍ଲାପାଳଙ୍କୁ ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର