୨୧ ଏକର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

ମାଲକାନଗିରି : ଗତ ତିନି ଦିନ ଧରି ଅବକାରୀ ଓ ପୁଲିସ କର୍ମଚାରୀ ମିଳିତ ଭାବେ ବେଆଇନ ଗଂଜେଇ କିଆରି ଉପରେ ଚଢାଉ କରି କୋଟି କୋଟି ଟଙ୍କା ମୂଲ୍ୟର ଗଂଜେଇ ଗଛକୁ ଉପାଡିବା ସହ ପୋଡି ନଷ୍ଟ କରିଛନ୍ତି। ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଂଚଳରେ ଗଂଜେଇ ଚାଷ କରାଯାଇ ବିପୁଳ ଅର୍ଥ ଆଦାୟ କରାଯାଉଛି। ବିଶେଷ କରି ଜିଲ୍ଲାର କୁଡୁମୁଲୁଗୁମ୍ମା, ବାଲିମେଳା, କୋରୋଣ୍ଡା,ଚିତ୍ରକୋଣ୍ଡା ଅଂଚଳରେ ହଜାର ହଜାର ଏକର ସରକାରୀ ଜମିରେ ଗଂଜେଇ ଚାଷ କରାଯାଉଛି। ଏହିକ୍ରମରେ ଆଜି ଅବକାରୀ ବିଭାଗ ପକ୍ଷରୁ ନାକାମାମୁଡି ଓ ସୋମନାଥପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଲଗାଯାଇଥିବା ଗଂଜେଇ ଗଛକୁ ନଷ୍ଟ କରାଯାଇଛି । ଓର୍କେଲ ଥାନା ଅନ୍ତର୍ଗତ କୁପଲିଗୁଡା ଏବଂ ରାଜବନ୍ଧରେ ପ୍ରାୟ ୨୧ ଏକର ସରକାରୀ ଜମି‌େର ଲଗାଯାଇଥିବା ଗଂଜେଇ ଗଛକୁ କାଟି ନଷ୍ଟ କରିବା ସହ ନିଆଁ ଲଗାଇ ପୋଡି ଦେଇଥିଲେ। ଆଜି ପ୍ରାୟ ୨୩ ହଜାରରୁ ଉର୍ଦ୍ଧ୍ବ ଗଂଜେଇ ଗଛ ନଷ୍ଟ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହାର ଆନୁମାନିକ ମୂଲ୍ୟ ୨କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି । ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଇନିସପେକ୍ଟର ବିମ୍ବାଧର ପଣ୍ଡା, ଏସଆଇ ଜଗା ରାଓ, ଏସଆଇ ଡି.କେ ନାୟକ ପ୍ରମୁଖ ଚଢାଉରେ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର