ଅବକାରୀ ବିଭାଗରେ ବ୍ରିଟିଶ୍‌ ଢାଞ୍ଚା ଘଟଣା; ୩୦ ଟଙ୍କା ସାଇକଲ୍‌ ଭତ୍ତା ନିୟମ ବଦଳିବ: ମନ୍ତ୍ରୀ

ପ୍ରତିଶ୍ରୁତିକୁ ଅଫିସର ସଂଘର ସ୍ୱାଗତ

କଟକ : ୧୯୧୫ ମସିହାରୁ ଅବକାରୀ ବିଭାଗର ଅଫିସର୍‌ଙ୍କୁ ମିଳୁଥିବା ୩୦ ଟଙ୍କା ସାଇକେଲ୍‌ ଭତ୍ତା ନିୟମ ବଦଳିବ। ପୁଲିସ ବିଭାଗ ଭଳି ସେମାନଙ୍କୁ ମଧ୍ୟ ଦୁଇ ଚକିଆ ଯାନ ପାଇଁ ଭତ୍ତା ପ୍ରଦାନ କରାଯିବ। ଗଂଜେଇ କିମ୍ବା ବ୍ରାଉନ୍‌ସୁଗାର ମାଫିଆଙ୍କ ମୁକାବିଲା ପାଇଁ ଅଫିସର୍‌ଙ୍କୁ ଠେଙ୍ଗା ବଦଳରେ ଅତ୍ୟାଧୁନିକ ଜ୍ଞାନ କୌଶଳ ଯୋଗାଇ ଦିଆଯିବ। ଜୁନ୍‌ ୩୦ତାରିଖରେ ‘ସମ୍ବାଦ’ରେ ଅବକାରୀ ଅଫିସର୍‌ଙ୍କୁ ଏବେବି ୩୦ଟଙ୍କା ସାଇକଲ୍‌ ଭତ୍ତା ମିଳୁଥିବା ନେଇ ଖବର ପ୍ରକାଶ ପାଇବା ପରେ ଅବକାରୀ ମନ୍ତ୍ରୀ ଶଶୀଭୂଷଣ ବେହେରା ଆଜି ନିୟମ ପରିବର୍ତ୍ତନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ବ୍ରିଟିଶ ଢାଞ୍ଚାକୁ ବଦଳାଯାଇ ପୁଲିସ ବିଭାଗ ଭଳି ଅବକାରୀ ବିଭାଗ ଅଫିସର୍‌ଙ୍କୁ ବି ସମାନ ସୁବିଧା ପ୍ରଦାନ କରାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ରାଜସ୍ୱ ଆଦାୟର ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅବକାରୀ ବିଭାଗର ଭିତ୍ତିଭୂମି କ୍ରମାଗତ ଭାବେ ଦୁର୍ବଳ ହେବାରେ ଲାଗିଛି। ଏବେବି ରାଜ୍ୟରେ ୩୧ଟି ଅବକାରୀ ଜିଲ୍ଲା ସମେତ ମୋଟ ୩୫ଟି କାର୍ଯ୍ୟାଳୟରେ ଇନ୍‌ସ୍ପେକ୍ଟରଙ୍କୁ ମିଶାଇ କାର୍ଯ୍ୟ କରୁଥିବା ୫୫୩ ଅଫିସର୍‌ଙ୍କୁ ପାଟ୍ରୋଲିଂ ପାଇଁ ମାସିକ ୩୦ ଟଙ୍କା ସାଇକେଲ୍‌ ଭତ୍ତା ମିଳୁଛି। ଅନ୍ୟପଟେ କିନ୍ତୁ ପୁଲିସ ବିଭାଗରେ ଅଫିସର୍‌ଙ୍କୁ ବାଇକ୍‌ ଭତ୍ତା ବାବଦକୁ ମାସିକ ୭୫୦ ଟଙ୍କା ମିଳୁଛି। ଗୋଟିଏପଟେ ବିଭାଗର ଅଫିସର୍‌ଙ୍କୁ ବାର୍ଷିକ ରାଜସ୍ୱ ଆଦାୟ ପାଇଁ କୋଟି କୋଟି ଟଙ୍କା ଟାର୍ଗେଟ୍‌ ଦିଆଯାଉଥିବା ବେଳେ ଅନ୍ୟପଟେ ବାଇକ୍‌ ପାଇଁ ଭତ୍ତା ନମଳିବା ଘଟଣା ବିଭାଗର ଅଫିସର୍‌ଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି। କେବଳ ଭତ୍ତା କାହିଁକି, ଅନେକ ଜିଲ୍ଲାରେ ପୁରୁଣା କାଳିଆ ଚାରି ଚକିଆ ଜିପ୍‌ରେ ଏବେ ଚାଲିଛି ଚଢ଼ଉ କାର୍ଯ୍ୟକ୍ରମ। ପାଖାପାଖି ୭ ବର୍ଷ ହେବ ବିଭାଗର ଅଫିସର୍‌ଙ୍କୁ ବନ୍ଧୁକ ପାଇଁ ତାଲିମ୍‌ ମିଳିନାହିଁ। ଯେଉଁ ଅଫିସର୍‌ଙ୍କୁ ବନ୍ଧୁକ ମିଳିଥିଲା, ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଅଭାବରୁ ଗୁଳି ଫୁଟିବା ନେଇ ସନ୍ଦେହ ରହିଛି। ଖୋଦ୍‌ କିଛି ଅଫିସର୍‌ ବି ଏ ନେଇ ଆଶଙ୍କାରେ ଅଛନ୍ତି।

ଏଭଳି ବ୍ରିଟିଶ ଢାଞ୍ଚାରେ ଅବକାରୀ ବିଭାଗ ଚାଲିବାକୁ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। କଟକ ବଜ୍ରକବାଟି ରୋଡ୍‌ରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି, ରାଜ୍ୟରେ ନିଶା ବେପାରୀଙ୍କୁ ଦମନ କରିବାର ଦାୟିତ୍ୱ ଉଭୟ ରାଜ୍ୟ ପୁଲିସ ଏବଂ ଅବକାରୀ ବିଭାଗର। ତେଣୁ ରାଜ୍ୟ ଅବକାରୀ ବିଭାଗକୁ ମଧ୍ୟ ପୁଲିସ ଭଳି ଅତ୍ୟାଧୁନିକ ଜ୍ଞାନ କୌଶଳରେ ବଢ଼ାଇବାକୁ ପଡ଼ିବ। ଠେଙ୍ଗା ବଦଳରେ ସ୍ୱତନ୍ତ୍ର ଜ୍ଞାନ କୌଶଳ ସମ୍ପର୍କରେ ସ୍ୱତନ୍ତ୍ର ତାଲିମ ଦିଆଯିବ। ତା’ଛଡ଼ା ସାଇକଲ୍‌ ଭତ୍ତା ବାବଦକୁ ଅଫିସର୍‌ଙ୍କୁ ମାସିକ ଯେଉଁ ୩୦ ଟଙ୍କା ଦିଆଯାଉଛି, ସେଥିରେ ପରିବର୍ତ୍ତନ ଅଣାଯିବ। ବିଭାଗୀୟ ସଚିବଙ୍କ ସହିତ ଆଲୋଚନ କରି ଆବଶ୍ୟକୀୟ ପଦକ୍ଷେପ ନେବି ବୋଲି ଶ୍ରୀ ବେହେରା କହିଛନ୍ତିି।

ଅନ୍ୟପଟେ ରାଜ୍ୟ ଅବକାରୀ ଅଫିସର୍‌ ସଂଘ ସଭାପତି ଶରତ ଚନ୍ଦ୍ର ଭଞ୍ଜ ଆଜି ମନ୍ତ୍ରୀଙ୍କ ଏଭଳି ପ୍ରତିଶ୍ରୁତିକୁ ସ୍ୱାଗତ କରିଛନ୍ତି। ବିଭାଗରେ ଭତ୍ତାରେ ପରିବର୍ତ୍ତନ ଆଣିବା ପାଇଁ ଦୀର୍ଘ ଦିନ ହେବ ସଂଘର୍ଷ ଜାରି ରହିଥିଲା। ଆଜି ମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ଖୁବ ଶୀଘ୍ର କାର୍ଯ୍ୟକାରୀ କରାଗଲେ ବିଭାଗର ଅଫିସରଙ୍କ ମଧ୍ୟରେ କାର୍ଯ୍ୟ କରିବାକୁ ଉତ୍ସାହ ବଢ଼ିବ। ଯ’ଦ୍ୱାର ମାଫିଆଙ୍କୁ ପ୍ରତିରୋଧ କରିବା ସହଜ ହୋଇପାରିବ ବୋଲି ଶ୍ରୀ ଭଞ୍ଜ ଆଶାପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର