ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବହୁଳ ଭାବେ ଚାଲିଛି। ଏଥି ସହ ଝାଡ଼ଖଣ୍ଡରୁ ନିୟମିତ ମୟୂରଭଞ୍ଜଙ୍କୁ ନକଲି ମଦ ଆସୁଛି। ମଦ ମାଫିଆମାନେ ଏସବୁ କାରବାର ଖୁଲମଖୁଲା ଚଳାଇଛନ୍ତି। ହେଲେ ମାନବ ସମ୍ବଳ ଥାଇ ବି ଏହାକୁ ରୋକି ନ ପାରିବା ଅବକାରୀ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବିଭାଗୀୟ କାର୍ଯ୍ୟାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାରେ ୨୬ଟି ଦେଶୀ ମଦ ଦୋକାନ ରହିଛି। ହେଲେ ଜିଲ୍ଲାରେ ଶତାଧିକ ଊର୍ଦ୍ଧ୍ବ ଚୋରା ଦେଶୀ ମଦଭାଟି ଚାଲୁଥିଲେ ବି ଏ ନେଇ ବିଭାଗ ପାଖରେ କାଳେ ଖବର ନାହିଁ। ଯାହା କି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଗମନାଗମନ ସୁବିଧା ନଥିବା ନିଘଞ୍ଚ ଜଙ୍ଗଲମାନଙ୍କରେ ଶହଶହ ଚୋରା ମଦ ଭାଟି ଚାଲିଛି। ମାଫିଆମାନେ ସେଠାକୁ ଯାଇ ମଦ ଆଣି ବାହାରକୁ ଚାଲାଣ କରୁଛନ୍ତି। ଫଳରେ ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଦୋକାନଗୁଡିକରେ କାରବାର ମାନ୍ଦା ରହୁଥିବା ଜଣେ ଦୋକାନୀ କହିଛନ୍ତି। ବିଭାଗୀୟ କର୍ମଚାରୀମାନେ ସବୁ ଜାଣି ନିରବ ରହୁଥିବାରୁ ଚୋରା ଦେଶୀ ମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଛି ବୋଲି କହନ୍ତି ଆଉ ଜଣେ ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଦୋକାନୀ।

ଘଞ୍ଚ ଜଙ୍ଗଲ ଭିତରେ ଶତାଧିକ ମଦଭାଟି

ଝାଡ଼ଖଣ୍ଡରୁ ଆସୁଛି ନକଲି ବିଦେଶୀ ମଦ

ସେହିପରି ଜିଲ୍ଲାରେ ୮୪ଟି ବିଦେଶୀ ଠିପି ବନ୍ଦ ଓ ୧୫ଟି ବିଦେଶୀ ଠିପି ଖୋଲା ମଦ ଦୋକାନ ରହିଛି। ମଦ ବାବଦକୁ ବର୍ଷକୁ ୩୦ରୁ ୩୫ କୋଟି ଟଙ୍କା ରାଜସ୍ବ ଆଦାୟ ହେଉଛି। ଗତବର୍ଷ ୩୩ କୋଟି ରାଜସ୍ବ ଟାର୍ଗେଟ ଥିବା ବେଳେ ଚଳିତ ବର୍ଷ ୩୫ କୋଟି ଟାର୍ଗେଟ ଥିବା ବିଭାଗ ପକ୍ଷରୁ କୁହାଯାଇଛି। ମଦ କାରବାର ଦୃଷ୍ଟିରୁ ମୟୂରଭଞ୍ଜ ଜିଲ୍ଲାରୁ ବର୍ଷକୁ ୫୦ କୋଟି ଟଙ୍କା ରାଜସ୍ବ ମିଳିବା କଥା। ତେବେ ଚୋରା ମଦ କାରବାର ଓ ବିଭାଗୀୟ କର୍ମଚାରୀମାନେ ହାତବାନ୍ଧି ବସିବା ଯୋଗୁ ବର୍ଷକୁ ୨୦ କୋଟି ଟଙ୍କା ରାଜସ୍ବ କ୍ଷତି ହେଉଛି ବୋଲି କୁହାଯାଇଛି।

ଏଥିସହ ଜିଲ୍ଲାରେ ବିଭିନ୍ନ ବ୍ରାଣ୍ଡର ନକଲି ମଦ ବିକ୍ରି ହେଉଛି। ସେସବୁ ନକଲି ମଦ ଝାଡ଼ଖଣ୍ଡରୁ ଆସୁଥିବା ଜଣାପଡ଼ିଛି। ନକଲି ମଦ ଯୋଗୁ ମଦମୃତ୍ୟୁ ହେବାର ଆଶଙ୍କା ବି ରହିଛି। ଚୋରା ମଦ କାରବାର ରୋକିବା ନିମନ୍ତେ ଜିଲ୍ଲାରେ ଅବକାରୀ ବିଭା‌ଗ ଥିଲେ ବି ସତେ ‌ଯେମିତି ମାଫିଆଙ୍କ ପାଖରେ ଅସହାୟ ହୋଇ ପଡ଼ିଛି। ଜିଲ୍ଲାରେ ବିଭାଗୀୟ ଅଧିକ୍ଷକ ଥିବା ବେଳେ ୨ ଜଣ ସହକାରୀ ଅଧିକ୍ଷକ ଅଛନ୍ତି। ୪ ଜଣ ଇସପେକ୍ଟର, ୧୦ ଜଣ ଏସ୍‌ଆଇ, ୧୫ ଜଣ ଏଏସଆଇ ଏବଂ ୪୯ ଜଣ କନେଷ୍ଟବଳ ଅଛନ୍ତି।

କହିବାକୁ ଗଲେ ଅନ୍ୟ ଜିଲ୍ଲାମାନଙ୍କ ଅପେକ୍ଷା ମୟୂରଭଞ୍ଜ ଜିଲ୍ଲାରେ ଅବକାରୀ ବିଭାଗରେ ଆବଶ୍ୟକତା ଅନୁଯାୟୀ ଅଧିକାରୀ ଓ କର୍ମଚାରୀ ରହିଛନ୍ତି। ଅଧିକାରୀ ଓ କର୍ମଚାରୀ ମାଳମାଳ ଥାଇ ଜିଲ୍ଲାରେ ଚୋରା ମଦ ଓ ନକଲି ମଦ କାରବାରରେ ବ୍ରେକ୍ ନ ଲଗିବା ଚିନ୍ତାର ବିଷୟ ପାଲଟିଛି। ତେବେ ମାଫିଆଙ୍କ ସହ କିଛି ଅଧିକାରୀ ଓ କର୍ମଚାରୀଙ୍କ ସମ୍ପର୍କ ଥିବାରୁ ଜିଲ୍ଲାରୁ ଚୋରା ମଦ ଓ ନକଲି ମଦ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବୋଲି କିଛି ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ ନିଜ ନାମ ଗୋପନ ରଖି କହିଛନ୍ତି। ଏ ନେଇ ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠଙ୍କୁ ପଚାରିବାରେ ନିୟମିତ ଚଢଉ ଜାରି ରହିଛି ବୋଲି କହିବା ସହ ଚୋରା ମଦ ମାଫିଆଙ୍କ ପ୍ରତି କଡ଼ା ନଜର ରଖାଯାଉଛି ବୋଲି କହିଛନ୍ତି।