ଭୋଗରାଇ: ମଦ ଭାଟି ଉପରେ ଚଢ଼ଉ କରିବା ସହ ବେଆଇନ ମଦ କାରବାରକୁ ଧରପଗଡ଼ କରିବାକୁ ଯାଇ ହଟହଟା ହେଲେ ଅବକାରୀ କର୍ମଚାରୀ। ମଦ ମାଫିଆଙ୍କ ଆକ୍ରମଣର ମୁକାବିଲା କରି ନ ପାରି ଅବକାରୀ କର୍ମଚାରୀମାନେ ପଛଘୁଞ୍ଚା ଦେଇଛନ୍ତି। ଶେଷରେ ଛତ୍ରଭଙ୍ଗ ଦେଇ ଘଟଣାସ୍ଥଳରୁ ଦୌଡ଼ି ପଳାଇଛନ୍ତି। ଏପରି ଘଟଣା ଘଟିଛି ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅଧିନସ୍ଥ ବାଲିମ୍ ଅଞ୍ଚଳରେ।
ସୂଚନା ମୁତାବକ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ କମର୍ଦ୍ଦା ଥାନା ଶଗଡ଼ା ସାହି ଓ ବାଲିମ ଅଞ୍ଚଳରେ ଆଜି ସକାଳୁ ଅବକାରୀ ଟିମ୍ ଚଢ଼ଉ କରିଥିଲା। ଜଳେଶ୍ୱର ସାଟେଲାଇଟ ଥାନା, ଭୋଗରାଇ ଅବକାରୀ ବିଭାଗ, ବାଲେଶ୍ୱର ମୋବାଇଲ ସ୍କ୍ୱାର୍ଡ ସହିତ ପଶ୍ଚିମବଙ୍ଗ ଅବକାରୀ ବିଭାଗ ପକ୍ଷରୁ ଏହି ୨ଟି ସ୍ଥାନ ଉପରେ ମିଳିତ ଭାବେ ଚଢ଼ଉ କରାଯାଇଥିବା ବେଳେ ଏନେଇ କମର୍ଦ୍ଦା ପୁଲିସ୍କୁ କୌଣସି ସୂଚନା ଦିଆଯାଇ ନ ଥିଲା।
ତେବେ ଶଗଡ଼ାସାହି ଠାରେ ଏକ ବେଆଇନ ମଦ ଭାଟି ଉପରେ ଚଢ଼ଉ କରାଯାଇ ଜଣଙ୍କୁ ଗିରଫ କରାଯିବା ପରେ ବାଲିମରେ ଜଣେ ମହିଳା ମଦ ସହିତ ଗଞ୍ଜେଇ ଓ ବ୍ରାଉନସୁଗାର ବିକ୍ରି କରୁଥିବା ଖବର ପାଇ ସେଠାକୁ ଯାଇ ଚଢ଼ଉ ଆରମ୍ଭ କରିଥିଲା ଅବକାରୀ ଟିମ୍। ଏଥିରେ ସମ୍ପୃକ୍ତ ମହିଳାଙ୍କୁ ଅବକାରୀ କର୍ମଚାରୀ କାବୁ କରିଥିବା ବେଳେ ହଠାତ୍ ପଶ୍ଚିମବଙ୍ଗରୁ ବହୁ ସଂଖ୍ୟାରେ ଲୋକ ଅତର୍କିତ ଭାବେ ଘଟଣାସ୍ଥଳକୁ ମାଡ଼ି ଆସିଥିଲେ। କିଛି ସମୟ ପାଇଁ ଘଟଣାସ୍ଥଳ ଋଣକ୍ଷେତ୍ରରେ ପରିଣତ ହୋଇଥିଲା। ଏପରିକି ଉଭୟ ପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ମାତ୍ର ଲୋକଙ୍କ ଆକ୍ରମଣର ସମ୍ମୁଖୀନ ହୋଇ ନ ପାରି ପଛଘୁଞ୍ଚା ଦେଇଥିଲେ ଅବକାରୀ କର୍ମଚାରୀ। ଏପରିକି ସ୍ଥାନୀୟ ଲୋକେ ଗୋଡ଼ାଇ ଗୋଡ଼ାଇ ସେମାନଙ୍କୁ ପିଟିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ ଏଭଳି ଉଗ୍ର ରୂପ ଦେଖି ଅବକାରୀ କର୍ମଚାରୀ ଛତ୍ରଭଙ୍ଗ ଦେଇଥିଲେ। ଏପରିକି ସେମାନେ ଯାହାକୁ ଗିରଫ କରିଥିଲେ ତାକୁ ବି ସ୍ଥାନୀୟ ଲୋକେ ଛଡ଼ାଇ ନେଇଥିଲେ।
ତେବେ ଆଗକୁ ପୁଣି ଥରେ ଯୋଜନାବଦ୍ଧ ଭାବେ ଚଢ଼ାଉ କରାଯିବ ବୋଲି ଅବକାରୀ ବିଭାଗର ଅଧିକାରୀ କହିଛନ୍ତି। ଚଢ଼ାଉ ବେଳେ ଅବକାରୀ କର୍ମଚାରୀ ପ୍ରାୟ ୩ ହଜାର ଲିଟରରୁ ଅଧିକ ମହୁଲି ମଦ ନଷ୍ଟ କରିଥିବା ଜଣାପଡିଛି, ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଲକ୍ଷ ଟଙ୍କାରୁ ଅଧିକ ହେବ। ଅବକାରୀ କର୍ମଚାରୀ ମଦ ତିଆରିରେ ବ୍ୟବହୃତ ସରଞ୍ଜାମକୁ ମଧ୍ୟ ଜବତ କରିଥିବା ଜଣାଯାଇଛି।