ତେଲକୋଇ: ଚୋରା ମଦ ଧରିବାକୁ ଯାଇ କେନ୍ଦୁଝର ଜିଲ୍ଲା ତେଲକୋଇ ଅବକାରୀ ବିଭାଗ କର୍ମଚାରୀ ହଟହଟା ହୋଇଛନ୍ତି। ଲୋକଙ୍କ ରୋଷର ଶିକାର ହେବା ସହିତ ସାଙ୍ଗରେ ଯାଇଥିବା ଜଣେ ମଦ ଭାଟି କର୍ମଚାରୀ ହୀନସ୍ତା ହୋଇଛନ୍ତି। ଏପରି କି ଲୋକେ ସଂପୃକ୍ତ କର୍ମଚାରୀଙ୍କ ବେକରେ ବୋତଲ ଝୁଲାଇବା ସହିତ ଅବକାରୀ କର୍ମଚାରୀଙ୍କୁ ମଧ୍ୟ ହଲାପଟା କରିଥିଲେ। ଦୀର୍ଘ ୪ ଘଣ୍ଟା ସମୟ ପର୍ଯ୍ୟନ୍ତ ଗ୍ରାମବାସୀ ଅଟକ ରଖି ହଟହଟା କରିଥିଲେ। ପରିସ୍ଥିତି ଏମିତି ହେଲା ଯେ ଶେଷରେ ପୁଲିସକୁ ଖବର ଦିଆଗଲା।
ଘଟଣାସ୍ଥଳରେ ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କଲା।ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସଲେଇକେନା ପଞ୍ଚାୟତ ଅନ୍ତର୍ଗତ ଡିମିରିଆ ଗ୍ରାମରେ।ଆଜି ସକାଳୁ ସକାଳୁ ତେଲକୋଇ ଅବକାରୀ ବିଭାଗ ଓଆଇସି ଶରତ ଚନ୍ଦ୍ର ବାରିକଙ୍କ ନେତୃତ୍ବରେ ୨ ଜଣ କନଷ୍ଟେବଳ, ଜଣେ ପୁରୁଷ ଓ ଜଣେ ମହିଳା କନେଷ୍ଟବଳ ଏକ ଘରୋଇ ଗାଡ଼ିରେ ଚୋରା ମଦ ଧରିବାକୁ ଗାଁରେ ପହଞ୍ଚିଥିଲେ। ସହଯୋଗୀ ଭାବେ ସାଙ୍ଗରେ ତେଲକୋଇ ସରକାରୀ ଦେଶି ମଦ ଭାଟିର ଜଣେ କର୍ମଚାରୀ ଯାଇଥିଲେ।ଗାଁରେ ପହଞ୍ଚି ଜିତେନ୍ଦ୍ର ବଦ୍ରା ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲେ। ଏହି କଥା ଗାଁରେ ପ୍ରଚାରିତ ହୋଇଗଲା। ଘଟଣାସ୍ଥଳରେ ଲୋକ ରୁଣ୍ଡ ହୋଇଗଲେ। ଭାଟି ମାଲିକଙ୍କ ପ୍ରରୋଚନାରେ ଗାଁରେ ପଶି ଗରିବ ନିରୀହ ଆଦିବାସୀଙ୍କୁ ଚୋରା ମଦ କାରବାର ନେଇ ମିଥ୍ୟା ମକଦ୍ଦମା ରୁଜୁ କରାଯାଇ ଆସୁଛି ବୋଲି ପାଟି କରିଥିଲେ।
ଭାଟି ମାଲିକ ଗାଡି ଓ କର୍ମଚାରୀ ଦେଇ ଅବକାରୀ କର୍ମଚାରୀଙ୍କ ସହିତ ବିଭିନ୍ନ ଗ୍ରାମରେ ଚଢାଉ କରୁଛନ୍ତି।ଗାଁ ଗାଁରେ ଭାଟି ମଦ ବିକିବାକୁ ଏକ ପ୍ରକାର ଚାପ ସୃଷ୍ଟି କରାଯାଉଛି।ନଚେତ୍ ମିଥ୍ୟା ମାମଲା ରୁଜୁ କରି ହଇରାଣ କରୁଛନ୍ତି।ଭାଟି କର୍ମଚାରୀ ଜଣକ ମାଲିକ ଗାଡି ଦେବା ସହିତ ତାଙ୍କୁ ସାଙ୍ଗରେ ଯିବାକୁ କହିବାରୁ ସେ ଆସିଥିଲା ବୋଲି ସ୍ବୀକାର କରିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି।ଏନେଇ ଅବକାରୀ ଓଆଇସି ଶରତ ଚନ୍ଦ୍ର ବାରିକଙ୍କୁ ପଚାରିବାରୁ ଭୁଲ୍ ବୁଝାମଣ ଯୋଗୁଁ ଏଭଳି ଘଟଣା ଘଟିଥିବା କହିଛନ୍ତି। ତେବେ ଏନେଇ ଥାନାରେ ଅଭିଯୋଗ ହୋଇନାହିଁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ପୂର୍ବରୁ ରୁଗୁଡିହି ଠାରେ ଜଣେ ତେଜରାତି ଦୋକାନୀଙ୍କୁ ଜଗମୋହନପୁର ଭାଟିରୁ ମଦ ନେଇ ବିକିବାକୁ ଭାଟି କର୍ମଚାରୀ ଚାପ ସୃଷ୍ଟି କରିଥିଲେ। ସେ ମଦ ନ ନେବାରୁ ରାତିରେ ଭାଟି କର୍ମଚାରୀ ସେଠାରେ ପହଞ୍ଚି ଝଗଡା ପିଟାମରା କରିଥିଲେ। ଏହି ଘଟଣାକୁ ନେଇ ଜଗମୋହନପୁର ଭାଟି ଭଙ୍ଗାରୁଜା ସହିତ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ପିଟି ଥିଲେ। ସେହିଭଳି ଭୀମକାଣ୍ଡ ପଞ୍ଚାୟତର ଗୋଳାଗାଡିଆ, କୋଇଲିସୁତା, ଡିମିରିମୁଣ୍ଡା, ଭୀମକାଣ୍ଡରେ ବେଆଇନ ଭାବେ ଭାଟି ତରଫରୁ ବୋଲେରୋ ଗାଡି ଯୋଗେ ମଦ ଯୋଗାଇ ଦିଆଯାଇ ବିକିବାକୁ ଦଲାଲ୍ ଖଞ୍ଜା ଯାଇଛି। ଏହାଦ୍ବାରା ଗାଁରେ ପ୍ରତିଦିନ ବିଶୃଙ୍ଖଳା ସୃଷ୍ଟି ହେବାରୁ ଗ୍ରାମବାସୀ ବୈଠକ କରି ମଦ ବିକ୍ରି ନିଷେଧ କରିଛନ୍ତି। କିନ୍ତୁ ବାରଣ ସତ୍ତ୍ୱେ ଭାଟି କର୍ମଚାରୀ ବିଳମ୍ବ ରାତିରେ ମଦ ଯୋଗାଇ ଆସୁଥିଲେ। ଗୋଳାଗାଡିଆ ଗ୍ରାମବାସୀ ଗାଡି ଅଟକାଇ ମଦ ଢାଳିବା ସହିତ ତାଗିଦ୍ କରିଥିଲେ। ଖୁଣ୍ଟାପଡା ଗ୍ରାମରେ ମଧ୍ୟ ବେଆଇନ ଭାବେ ଭାଟି କର୍ମଚାରୀ ବାଇକ୍ ଯୋଗେ ପ୍ରତିଦିନ ୪ଟି ସ୍ଥାନରେ ମଦ ଦେଇ ଆସୁଛନ୍ତି। ତେଲକୋଇ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି। ଅବକାରୀ ବିଭାଗ ଏସବୁ ଜାଣି ନ ଜାଣିବାର ଅଭିନୟ କରୁଛି। କେତେକ କ୍ଷେତ୍ରରେ ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ବ୍ୟବସାୟଙ୍କ ପ୍ରରୋଚନାରେ ଅବକାରୀ କର୍ମଚାରୀ ପଡି ଲୋକଙ୍କ ନାମରେ ମିଥ୍ୟା ମାମଲା କରାଯାଉଥିବାକୁ ନେଇ ଅସନ୍ତୋଷ ପୁଞ୍ଜିଭୂତ ଅସନ୍ତୋଷ ଦେଖାଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/945da3fd-9a92-40b0-b07f-17632c6b86df.jpg)