ପୁରୀ ପୁଲିସ ବଟି ମାଗୁଥିବା କହିବା ପରେ ଅଧୀକ୍ଷକଙ୍କୁ ଛୁଟି ମାଗିଲେ: ବୟାନ ବି ବଦଳାଇଲେ ଅବକାରୀ ଇନ୍ସପେକ୍ଟର

ପୁରୀ/କଟକ: ପୁରୀ ଜିଲ୍ଲାରେ ଥାନା ଅଧିକାରୀମାନେ ନିଶା ମାଫିଆଙ୍କ ନିକଟରୁ ମାସିକିଆ ଟଙ୍କା ସଂଗ୍ରହ କରୁଥିବା ନେଇ ଅବକାରୀ କମିସନରଙ୍କକୁ ଲେଖି ଜଣାଇଥିବା ପୁରୀ ଅବକାରୀ ଇନ୍ସପେକ୍ଟର ସଂଜୟ ପଣ୍ଡା ଛୁଟି ଆବେଦନ କରିଛନ୍ତି। ମାନସିକ ଓ ଶାରୀରିକ ଅସୁସ୍ଥତା ଦର୍ଶାଇ ୧୫ ଦିନ ପାଇଁ ଛୁଟି ମାଗିଥିବା ଅଧୀକ୍ଷକ ଅମରେନ୍ଦ୍ର ଜେନା ସୂଚନା ଦେଇଛନ୍ତି।

ଖାଲି ସେତିକି ନୁହେଁ, ସଂଜୟ ପଣ୍ଡା ଏକ ଭିଡିଓ ଜରିଆରେ କହିଛନ୍ତି, ସେ ଜଣେ ମାନସିକ ରୋଗୀ । ୨୦୨୦ରେ ତାଙ୍କୁ କରୋନା ହୋଇଥିଲା। ସେବେଠାରୁ ସେ ମାନସିକ ଓ ଶାରୀରିକ ଅସୁସ୍ଥ ଅଛନ୍ତି। ଏଥିପାଇଁ ସେ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଛନ୍ତି। ହେଲେ କିଛି ଦିନ ହେବ ସେ ଔଷଧ ଖାଉନାହାନ୍ତି। ମାନସିକ ଅସୁସ୍ଥତା କାରଣରୁ ସେ ଏପରି କହିଥିବା କହିଛନ୍ତି । ଯାହା କହିଛନ୍ତି, ଭୁଲ କହିଛନ୍ତି । ଭୁଲ ସ୍ୱୀକାର କରିବା ସହ ତାଙ୍କୁ କ୍ଷମା କରିଦେବାକୁ ଅନୁରୋଧ କରିଛନ୍ତି। ପୁରୀ ପୁଲିସ ବହୁତ ଭଲ କାମ କରୁଥିବା କହିଛନ୍ତି ସଞ୍ଜୟ ପଣ୍ଡା। ତେବେ ସେ ଏହି ଭିଡିଓ ନିଜ ଇଚ୍ଛାରେ କରିଛନ୍ତି ନା କାହା ଚାପରେ କରିଛନ୍ତି ତାହା ଅସ୍ପଷ୍ଟ ରହିଛି। ଗତକାଲି ପୁରୀ ପୁଲିସ ବିରୋଧରେ ଅଭିଯୋଗ ଆଣି ହଟଚମଟ ସୃଷ୍ଟି କରିଥିବା ସଞ୍ଜୟ ପଣ୍ଡା ହଠାତ୍ କିପରି ନିଜର ବୟାନ ବଦଳାଇଲେ, ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ତାଙ୍କର ଅଫିସିଆଲ୍ ଓ ବ୍ୟକ୍ତିଗତ, ଦୁଇ ମୋବାଇଲ୍ ଫୋନ୍ ବନ୍ଦ ରହିଛି। ସଞ୍ଜୟ ପଣ୍ଡାଙ୍କୁ ନିଜର ବୟାନ ବଦଳାଇବା ଲାଗି ଚାପ ଦିଆଯିବା ସହ ଛୁଟି ଆବେଦନ କରିବାକୁ ବାଧ୍ୟ କରାଯାଇଥିବା ସାଧାରଣରେ ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ମୋବାଇଲ୍ ୟୁନିଟର ଇନସ୍ପେକ୍ଟର୍ ଇନ୍-ଚାର୍ଜ ଅଫିସରେ ଇନସ୍ପେକ୍ଟର୍ ଭାବେ କାମ କରୁଥିବା ସଞ୍ଜୟ କୁମାର ପଣ୍ଡା ଜୁନ୍ ୪ ତାରିଖରେ ଏକ ଚିଠି(ଡି.ବି ନଂ ୧୨)ରେ ଅବକାରୀ କମିସନରଙ୍କ କଟକ ଠିକଣାରେ ଲେଖିଛନ୍ତି। ଏହା ସହିତ ସମାନ ଚିଠି ପୁରୀ ଜିଲ୍ଲାପାଳ, ପୁରୀ ପୁଲିସ ଏସପି, ପୁରୀ ଅବକାରୀ ଏସପିଙ୍କୁ ମଧ୍ୟ ପଠାଇଛନ୍ତି। ଶ୍ରୀ ପଣ୍ଡା ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଯେ ‘ପୁରୀ ଜିଲ୍ଲାରେ ଗଲା ଏକ ବର୍ଷ ହେବ ଯେତେବେଳେ ଅବକାରୀ ଅଧିକାରୀମାନେ ନିଶା କାରବାର କରୁଥିବା ଦୁର୍ବୃତ୍ତଙ୍କୁ ଗିରଫ କରୁଛନ୍ତି, ସେମାନେ ଥାନା ପୁଲିସକୁ ମାସିକିଆ ଟଙ୍କା ଦେଉଥିବା କହୁଛନ୍ତି। ତେଣୁ ‘‘ଅବକାରୀ ବାଲାଙ୍କୁ ଖାତିର କରୁନାହାନ୍ତି ବୋଲି ଦୁର୍ବୃତ୍ତମାନେ କହୁଛନ୍ତି। ଏହାଫଳରେ ଥାନା ଅଧିକାରୀଙ୍କ ଦ୍ବାରା ଅଳ୍ପ ସଂଖ୍ୟକ ଅବକାରୀ ମାମଲା ଠାବ ହେଉଛି।
ବିଭାଗର ଜଣେ ଦାୟିତ୍ବବାନ୍ ଅଧିକାରୀ ହିସାବରେ ଅଳ୍ପ କର୍ମଚାରୀ, ଅଳ୍ପ ଦରମା, ବିନା ଗାଡ଼ି, ବିନା କ୍ବାର୍ଟର୍ସ, ବିନା ମେଡାଲ୍ରେ ହତୋତ୍ସାହିତ ଅନୁଭବ କରୁଛି। ତେଣୁ, ପୁଲିସ କର୍ମଚାରୀଙ୍କ ଏ ପ୍ରକାର ଅସାଧୁ କାର୍ଯ୍ୟକଳାପକୁ ବନ୍ଦ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ଆମକୁ କଠିନ ପରିଶ୍ରମ, ସଚ୍ଚୋଟତା ପାଇଁ ପୁରସ୍କୃତ କରାଯିବା ଉଚିତ ବୋଲି ଶ୍ରୀ ପଣ୍ଡା ଚିଠିରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର