ତିଗିରିଆରେ ମଦମାଫିଆଙ୍କ ଆକ୍ରମଣ: ଅବକାରୀ ଇନ୍ସପେକ୍ଟର ଗୁରୁତର

ଆଠଗଡ଼ : ଗତକାଲି ନିଶାମାଫିଆଙ୍କ ତୀରମାଡ଼ରେ ରାଉରକେଲାର ଜଣେ ଫାଣ୍ଡି ଅଧିକାରୀ ଗୁରୁତର ଆହତ ହେବା ଏବଂ ଫୁଲବାଣୀରେ ପୁଲିସ୍‌ ଟିମ୍‌ ଉପ‌ରେ ଆକ୍ରମଣକୁ ନେଇ ଚର୍ଚ୍ଚା ନ ଥମୁଣୁ ଆଜି କଟକ ତିଗିରିଆ ଅଞ୍ଚଳରେ ସମାନ ଘଟଣା ଘଟିଛି। ମଦମାଫିଆଙ୍କ ଆକ୍ରମଣରେ ଜଣେ ଅବକାରୀ ଇନ୍‌ସପେକ୍ଟର ଗୁରୁତର ଆହତ ହୋଇଛନ୍ତି। ସେ ହେଉଛନ୍ତି କଟକ ସଦର ଅବକାରୀ ଇନ୍ସପେକ୍ଟର ପ୍ରବୀର କୁମାର ସାମଲ। ଗୁରୁତର ଅବସ୍ଥାରେ ପ୍ରବୀରଙ୍କୁ ପ୍ରଥମେ ତିଗିରିଆ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ଅବକାରୀ ବିଭାଗର ସୂଚନା ମୁତାବକ, ବୁଧବାର ଅବକାରୀ କମିସନର ଅଞ୍ଜନ କୁମାର ମାଣିକଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ଅବକାରୀ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଦେବାଶିଷ ପଟେଲଙ୍କ ନେତୃତ୍ବରେ କଟକ, ଆଠଗଡ଼, ବ୍ରହ୍ମପୁର, ଖୋର୍ଦ୍ଧା ଓ ଢେଙ୍କାନାଳ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଆଠଗଡ଼ ଥାନା ଅନ୍ତର୍ଗତ କୋରଙ୍ଗା ଓ ତିଗିରିଆ ଥାନା ଅଧୀନ ଭିରୁଡ଼ା ଗ୍ରାମରେ ଚଢ଼ଉ କରାଯାଇଥିଲା। କୋରଙ୍ଗାରେ ୨୦ ହଜାର ଲିଟର ଗୁଡ଼ପୋଚ, ୩ ହଜାର ଲିଟର ଦେଶୀ ମଦ ଓ ଭିରୁଡ଼ାରୁ ୬୦ ହଜାର ଲିଟର ଗୁଡ଼ପୋଚ, ୭ ହଜାର ଲିଟର ଦେଶୀ ମଦ ଜବତ କରାଯାଇଥିଲା। ଏହି ସମୟରେ ଭିରୁଡ଼ା ପଞ୍ଚାୟତର ପଣସପାଟଣା ଠାରେ ମଦ ବେପାରୀ ମଧୁ ସାହୁ ନିଜ ଘର ସମ୍ମୁଖରେ ଅଚାନକ ଏକ ଲୁହାଛଡ଼ରେ କଟକ ସଦର ଅବକାରୀ ଇନ୍ସପେକ୍ଟର ପ୍ରବୀର କୁମାର ସାମଲଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଶ୍ରୀ ସାମଲଙ୍କ ମୁହଁ ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଇନ୍ସପେକ୍ଟର ଶ୍ରୀ ସାମଲଙ୍କୁ ସଂଗେ ସଂଗେ ଚିକିତ୍ସା ପାଇଁ ତିଗିରିଆ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷରେ, ସେଠାରେ ଉପସ୍ଥିତ ଅବକାରୀ କର୍ମଚାରୀ ଅଭିଯୁକ୍ତ ମଧୁଙ୍କୁ କାବୁ କରିନେଇଥିଲେ। ମଧୁକୁ ଗିରଫ କରାଯାଇଥିବା ବେଳେ ଏ ସଂକ୍ରାନ୍ତରେ ତିଗିରିଆ ଥାନାରେ ଏତଲା ଦିଆଯିବ ବୋଲି ଆଠଗଡ଼ ଅବକାରୀ ଇନ୍ସପେକ୍ଟର ସଞ୍ଜିତ ବାର୍ଲା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର