ବନ୍ଧୁକ ଧରିବାକୁ ଡରୁଛନ୍ତି ଅବକାରୀ ବାବୁ! ୪୧୯ ଅଧିକାରୀଙ୍କୁ ୨୦୦ ବନ୍ଧୁକ

୨୦୦୭ରୁ ବଦଳିନି ପୁରୁଣା ରିଭଲଭର୍, ବନ୍ଧୁକ ଫୁଟା ତାଲିମ୍ ବି ବନ୍ଦ

କଟକ, (ଚିରଂଜୀବ କର): ଅବକାରୀ ବିଭାଗରେ ୨୦୦୭ ପୂର୍ବରୁ ଅଧିକାରୀଙ୍କ ହାତରେ ବନ୍ଧୁକ ଥିଲା, କିନ୍ତୁ ଗୁଳି ନଥିଲା। ପରେ ଗୁଳି ସହିତ ବନ୍ଧୁକ ବି ମିଳିଲା। ଏବେ ବନ୍ଧୁକ ସଂଖ୍ୟା ୨୦୦କୁ ଅଧିକାରୀ ସଂଖ୍ୟା ୪୧୯। ଅର୍ଥାତ୍‌ ରାଜ୍ୟରେ ଅଧା ଅଧିକାରୀଙ୍କ ହାତରେ ବନ୍ଧୁକ ନାହିଁ। ଯେଉଁ ଅଧିକାରୀଙ୍କ ହାତରେ ବନ୍ଧୁକ ରହିଛି, ସେମାନଙ୍କୁ ୨୦୧୨ ପରଠାରୁ ବନ୍ଧୁକ ଫୁଟାଇବା ତାଲିମ ନିୟମିତ ବି ମିଳୁନାହିଁ। ଗୋଟିଏପଟେ ତାଲିମ ହେଉନଥିବା ବେଳେ ଅନ୍ୟପ‌ଟେ ବନ୍ଧୁକ ନଳୀରେ ବି କଳଙ୍କି ଲାଗିଗଲାଣି। ବନ୍ଧୁକ ଭିତରେ ଗୁଳି ଫୁଟିଯିବାର ଯଥେଷ୍ଟ ଆଶଙ୍କା ଥିବାରୁ ଅବକାରୀ ଅଧିକାରୀମାନେ ତାହାକୁ ନିଜ ପାଖରେ ରଖିବାକୁ ବି ଭୟ କରୁଥିବା ଶୁଣିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ରାଜ୍ୟରେ ଅବକାରୀ ଅଧିକାରୀମାନେ ନିଜ ଜୀବନକୁ ବାଜିରେ ଲଗାଇ ନିଶା ମାଫିଆଙ୍କୁ ମୁକାବିଲା କରିବା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଛି।

Rayagada News

କଟକରେ ୧୯୯୨ ମେରେ ବହୁଚର୍ଚ୍ଚିତ ସୁରେନ୍ଦ୍ରନାଥ ଦାସ ଓରଫ ବେଲୁ ମଦ ମୃତ୍ୟୁ ଘଟଣାରେ ପ୍ରାୟ ୨୦୦ ଲୋକଙ୍କ ଜୀବନ ଯିବା ପ୍ରସଙ୍ଗରେ ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିଲା। କୁହାଯାଏ ଏହି ଘଟଣା ପରଠାରୁ ଅବକାରୀ ବିଭାଗରେ ପ୍ରଥମଥର ପାଇଁ କଟକ ସମେତ ସମ୍ବଲପୁର, ବ୍ରହ୍ମପୁରର ତିନୋଟି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ଏବଂ ପ୍ରବର୍ତ୍ତନ ବିଭାଗ, କଟକରେ ଥିବା ରାଜ୍ୟ ଫ୍ଲାଇଂ ସ୍କ୍ବାଡକୁ ପ୍ରାୟ ୪୦ଟି ରିଭଲଭର୍ ମଞ୍ଜୁର କରାଯାଇଥିଲା। ମାତ୍ର, ବଡ଼ ବିଚିତ୍ର ଢଙ୍ଗରେ କୌଣସି ବନ୍ଧୁକ ପାଇଁ ରାଜ୍ୟ ସରକାର ଗୁଳି ମଞ୍ଜୁର କରି ନଥିଲେ। ୨୦୦୬ରେ ତତ୍କାଳୀନ ଆଇଏଏସ୍ ଅଫିସର ସୁଦର୍ଶନ ନାୟକ ଅବକାରୀ କମିସନର ଭାବେ ଦାୟିତ୍ବ ନେବାପରେ ଏସଆଇରୁ ଇନ୍‌ସ୍ପେକ୍ଟର ପାହ୍ୟାର ସବୁ ଅବକାରୀ ଅଧିକାରୀଙ୍କୁ ରିଭଲଭର୍ ଦେବାକୁ ନିଷ୍ପତ୍ତି ହୋଇଥିଲା। ସେହିବର୍ଷ ୫୦ଜଣ ଇନ୍‌ସ୍ପେକ୍ଟର ଓ ୧୫୦ଜଣ ଏସ୍‌ଆଇ ଥିଲେ। ଏହି ସଂଖ୍ୟା ଆଧାରରେ ୨୦୦୭ ମସିହାରେ କଟକ ଓଏମ୍‌ପି ଷଷ୍ଠ ବାଟାଲିୟନ କମାଣ୍ଡାଣ୍ଟଙ୍କ ମାଧ୍ୟମରେ ରିଭଲଭର ପିଛା ୪୦ ହଜାର ଟଙ୍କା ବ୍ୟୟରେ ୧୭୦ଟି କିଣାଯାଇଥିଲା। ମୋଟ ରିଭଲଭର ସଂଖ୍ୟା ୨୦୦ରେ ପହଞ୍ଚିଥିଲା। ପ୍ରତ୍ୟେକ ରିଭଲଭର୍ ପିଛା ୧୦ରୁ ୨୦ଟି ଲେଖାଏ ଗୁଳି ବି ଦିଆଯାଇଥିଲା।

ଏଥିସହିତ, ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିରେ ବନ୍ଧୁକ ଫୁଟାଇବା ତାଲିମ ମିଳିବାପରେ ସେହିବର୍ଷ ଅଧିକାରୀଙ୍କୁ ନିଜ ପାଖରେ ବନ୍ଧୁକ ରଖିବାକୁ ପ୍ରଥମଥର ଅନୁମତି ଦେଇଥିଲେ ଅବକାରୀ କମିସନର। ୨୦୧୨ମସିହାରେ ଶେଷଥର ପାଇଁ ତାଲିମ୍‌ ପ୍ରଦାନ କରାଯାଇଥିଲା। ତା’ ପରଠାରୁ ବନ୍ଧୁକ ତାଲିମ ନିୟମିତ ହୋଇନାହିଁ କି ନୂଆ ବନ୍ଧୁକ କିଣାଯାଇନାହିଁ। ୨୦୦୬ରୁ ୨୦୧୨ ଯାଏ କନଷ୍ଟେବଳ ଓ ଏଏସ୍‌ଆଇ ପାହ୍ୟାର ଅଧିକାରୀଙ୍କ ଅନୁଗୁଳ ପୁଲିସ ଟ୍ରେନିଂ କଲେଜରେ ତାଲିମ ଦିଆଯାଇଥିଲା। ଅଧିକାରୀଙ୍କୁ ଓଡ଼ିଶା ଅବକାରୀ ଆଇନ, ଏନଡିପିଏସ୍ ଆକ୍ଟ, ଆଇପିସି, ସିଆରପିସି ସମେତ ପୁଲିସ କମାଣ୍ଡାଣ୍ଟଙ୍କ ମାଧ୍ୟମରେ ରିଭଲଭର ଚଳାଇବା ତାଲିମ ଦିଆଯାଉଥିଲା। ଅଫିସରମାନେ ଅଭିଯୁକ୍ତଙ୍କ ଗୋଡ଼କୁ ଲକ୍ଷ୍ୟକରି କିଭଳି ଗୁଳି ଫୁଟାଇପାରିବେ, ସେ ନେଇ ସ୍ବତନ୍ତ୍ର ତାଲିମ୍ ଦିଆଯାଉଥିଲା। ୨୦୧୨ ପରଠାରୁ ବନ୍ଧୁକ ଫୁଟାଇବା ତାଲିମ ସମ୍ପୂର୍ଣ୍ଣ ବନ୍ଦ ପଡ଼ିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ୨୦୨୨ ମସିହାରେ ଅବକାରୀ ଏସଆଇ ସଂଖ୍ୟା ୨୭୮ ଥିବା ବେଳେ ଇନସ୍ପେକ୍ଟର ୧୪୧ରେ ପହଞ୍ଚିଲାଣି। ମୋଟ ପଦବି ସଂଖ୍ୟା ୪୧୯। ୫ ବର୍ଷରେ ଅବକାରୀ ଏସଆଇ ଓ ଇନସ୍ପେକ୍ଟରଙ୍କ ସଂଖ୍ୟା ଦୁଇଗୁଣା ହେଲାଣି। କିନ୍ତୁ ବନ୍ଧୁକ ସଂଖ୍ୟା ୨୦୦ରେ ଅଟକି ରହିଛି। ଓଡ଼ିଶା ପୁଲିସ ଏବେ ଅତ୍ୟାଧୁନିକ ବନ୍ଧୁକ ବ୍ୟବହାର କରୁଥିବା ବେଳେ ଅବକାରୀ ଅଧିକାରୀ ଏବେ ସେହି ୨୦୦୭ ମସିହାରେ କିଣାଯାଇଥିବା ରିଭଲଭରରେ ଅଟକି ଯାଇଛି।

ସମ୍ବନ୍ଧିତ ଖବର