ଜୟପୁର:ଗତ ଅକ୍ଟୋବର ମାସ ୧୪ତାରିଖରେ ଉଦଘାଟିତ ହୋଇଥିଲା ଜୟପୁର ଅବକାରୀ ଥାନା। ତେବେ ଉଦଘାଟନ ଦିନ ହିଁ ଏହି ଥାନାକୁ ଖୋଲାଯାଇଥିବା ବେଳେ ସେ ଦିନ ସଂଧ୍ୟାରୁ ପୁଣି ତାଲା ପଡ଼ିଛି। କାହିଁକି ଏହି ଥାନା ଖୋଲୁନି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି।

Advertisment

ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ଅବକାରୀ ଥାନା। ଏହାର ପରିସରରେ ଥାନା ଅଧିକାରୀ, ଏଏସଆଇ ଆଦି ବସିବା ପାଇଁ ଅଲଗା ଅଲଗା ରୁମ ସହ ହାଜତ, ମାଲକାନା ଆଦି ବି ରହିଛି। ତେବେ ଏହି ଅତ୍ୟାଧୁନିକ ଭାବେ ନିର୍ମାଣ କରାଯାଇଥିବା ଥାନା ଉଦଘାଟନର ଦିନକ ପରେ କାହିଁକି ବନ୍ଦ ହୋଇ ପଡ଼ିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ବିଦ୍ୟୁତ ସଂଯୋଗ ଏହି ଥାନାକୁ ଟାଟାପାୱାର ଦେଇ ନଥିବାରୁ ଏହା କାର୍ଯ୍ୟକ୍ଷମ ହୋଇ ପାରିନଥିବା ଜୟପୁର ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆବେଦନ କରିବାର ଦୀର୍ଘ ଦିନ ପରେ ବି ଟାଟାପାୱାର ବିଦ୍ୟୁତ ସଂଯୋଗ ଦେଇ ନଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ବାରମ୍ବାର ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଟାଟାପାୱାର କାର୍ଯ୍ୟାଳୟକୁ ଯାଉଥିଲେ ହେଁ ସଂଯୋଗ ଦେବାକୁ ଆସୁନଥିବା କହିଛନ୍ତି। ଅପରପକ୍ଷରେ ବିଦ୍ୟୁତ ସଂଯୋଗ ଆଦି ନ କରି ଅତ୍ୟନ୍ତ ତରବରିଆଭାବେ ଏହି ଥାନାକୁ କାହିଁକି ଲୋକାର୍ପଣ କରାଗଲା ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ତୁରନ୍ତ ଜିଲ୍ଲାପ୍ରଶାସନ ଏଥିରେ ହସ୍ତକ୍ଷେପ କରିବାକୁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।