ଭିଜିଲାନ୍ସ ଜାଲରେ ଅବକାରୀ ଅଧୀକ୍ଷକ

ନଗଦ ୬ ଲକ୍ଷ ଜବତ, ଚଢ଼ଉ ଜାରି, ସ୍କାନରରେ ସ୍ବାମୀ ତଥା ମାହାଙ୍ଗା ଥାନା ଅଧିକାରୀ

ରାୟଗଡ଼ା/ଭୁବନେଶ୍ବର : ଗତକାଲି ସମ୍ବଲପୁର ଭିଜିଲାନ୍ସ ସେଲ୍‌ର ଇନ୍ସପେକ୍ଟର ମାନସୀ ଜେନା ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିବା ବେଳେ ଶନିବାର ଦିନ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାୟଗଡ଼ା ଜିଲ୍ଲା ଅବକାରୀ ଅଧୀକ୍ଷକ ନିନା ବେଉରା। ନଗଦ ୬ ଲକ୍ଷ ୨୯ ହଜାର ଟଙ୍କା ସହ ନିନାଙ୍କୁ ଧରିଛି ଭିଜିଲାନ୍ସ। ଗତକାଲି ବିଳମ୍ବିତ ରାତିରେ କାର (ଓଡି ୧୮ଜି ୫୪୪୫) ଯୋଗେ ନିନା ରାୟଗଡ଼ାରୁ ଭୁବନେଶ୍ବର ଯାଉଥିବା ବେଳେ ଭିଜିଲାନ୍ସ ଟିମ୍ ଖୋର୍ଦ୍ଧା ଜିଲ୍ଲା ତୋଟାପଡ଼ା ଛକରେ ଗାଡ଼ି ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ କାରରୁ ଜବତ ୬ଲକ୍ଷ ଟଙ୍କା ସଂପର୍କରେ ନିନା କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନିନାଙ୍କ ନିଜ ଘର, ସଂପର୍କୀୟଙ୍କ ଘର, ଭୁବନେଶ୍ବର ପଳାସପଲ୍ଲୀ ସ୍ଥିତ ବାପାଙ୍କ ବାସଭବନରେ ଭିଜିଲାନ୍ସ ଟିମ୍ ଚଢ଼ଉ ଜାରି ରଖିଛି। ଏଥି ସହିତ ତାଙ୍କ ସ୍ବାମୀ ତଥା ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କୁ ସ୍କାନରରେ ନେଇଛି ଭିଜିଲାନ୍ସ ଟିମ୍। ନିହାରଙ୍କ ମାହାଙ୍ଗା କ୍ବାର୍ଟର୍ସ ସହିତ ବାସଭବନରେ ଭିଜିଲାନ୍ସ ଚଢ଼ଉ କରିଛି। କିନ୍ତୁ କ୍ବାର୍ଟର୍ସରେ ତାଲା ପକାଇ କୁଆଡ଼େ ପଳାଇ ଯାଇଥିବାରୁ ଏହାକୁ ସିଲ୍ କରାଯାଇଛି। ଭିଜିଲାନ୍ସ ଟିମ୍ ଫେରି ଆସିବାପରେ ନିହାରଙ୍କୁ ଭୁବନେଶ୍ବର ଭିଜିଲାନ୍ସ ଅଫିସରେ ରିପୋର୍ଟ କରିବାକୁ କୁହାଯାଇଥିଲା। ତେଣୁ ଆଜି ମଧ୍ୟାହ୍ନରେ ନିହାର ଭିଜିଲାନ୍ସ କାର୍ଯ୍ୟାଳୟରେ ପହଞ୍ଚି ନିଜ ପକ୍ଷ ରଖିଛନ୍ତି। ପତ୍ନୀଙ୍କ ନିକଟରୁ ଜବତ ହୋଇଥିବା ୬ଲକ୍ଷ ଟଙ୍କା ସଂପର୍କରେ ସେ କିଛି ଜାଣିନଥିବା କହିଛନ୍ତି। ଅନ୍ୟପକ୍ଷରେ ନିନାଙ୍କ ପିତାଙ୍କ ବାସଭବନରୁ ପ୍ରାୟ ୬୬୮ଗ୍ରାମ୍‌ର ସୁନା ଓ ନଗଦ ୧୦ହଜାରରୁ ଅଧିକ ଟଙ୍କା ଜବତ କରାଯାଇଛି। ଅତିରିକ୍ତ ଏସ୍‌ପିଙ୍କ ସୂଚନା ଅନୁସାରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଭିଜିଲାନ୍ସ ମୁହାଁମୁହିଁ ଜେରା କରାଯାଇଛି। ତେବେ ନିନାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ବେଳେ ନିହାରଙ୍କୁ ଛାଡ଼ିଦେଇଥିବା ସୂଚନା ମିଳିଛି।

ଇତିମଧ୍ୟରେ ନିନାଙ୍କ ରାୟଗଡ଼ା ସ୍ଥିତ ଭଡ଼ା ଘରକୁ ଭିଜିଲାନ୍ସ ତାଲା ପକାଇ ରଖିଛି। ଭିଜିଲାନ୍ସ ଟିମ୍ ନିନାଙ୍କୁ ଭୁବନେଶ୍ବରରୁ ନେଇ ରାୟଗଡ଼ା ଆସିବା ପରେ ସର୍ଚ୍ଚ କରାଯିବ ବୋଲି ରାୟଗଡ଼ା ଭିଜିଲାନ୍ସ ଡିଏସ୍‌ପି ସୁରେନ୍ଦ୍ରନାଥ ରାୟଗୁରୁ କହିଛନ୍ତି। ରାୟଗଡ଼ା ଭଡ଼ା ଘର ସମ୍ମୁଖରେ ପୁଲିସ ମୁତୟନ କରାଯାଇଛି। ସେପଟେ ଏତେ ଟଙ୍କା ନିନାଙ୍କୁ କିଏ ଦେଲା, କାହିଁକି ଦେଇଥିଲା ତାକୁ ନେଇ ଖୋଳତାଡ଼ ଜାରି ରଖିଛି ଭିଜିଲାନ୍ସ। ସୂଚନାଯୋଗ୍ୟ ଯେ ୬ମାସ ତଳେ ନିନା ବେଉରା ରାୟଗଡ଼ା ଜିଲ୍ଲା ଅବକାରୀ ଅଧୀକ୍ଷକ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର