ଅବକାରୀ ବିଭାଗର ନିର୍ବାଚନ ପ୍ରସ୍ତୁତି : ମଦ କାଉଣ୍ଟର ପ୍ରତ୍ୟେକ ଦିନ ଯାଞ୍ଚ

ଖୋଲିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

କଟକ : ନିର୍ବାଚନ ସମୟରେ ରାଜ୍ୟରେ ବେଆଇନ ମଦ ଚାଲାଣ ଉପରେ ସମ୍ପୂର୍ଣ୍ଣ ରୋକ୍‌ ଲଗାଯିବ। ବିଶେଷ ଭାବେ ଭୋଟର‌୍‌ଙ୍କୁ ପ୍ରଭାବିତ କରିବା ପାଇଁ ଚୋରା ମଦ କାରବାର କରୁଥିବା ପ୍ରାର୍ଥୀଙ୍କ ଉପରେ କଡ଼ା ନଜର ରଖାଯିବ। ଜିଲ୍ଲା ଅବକାରୀ ଏସ୍‌ପିଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ମଦ କାରବାର ଉପରେ ତଥ୍ୟ ସ˚ଗ୍ରହ ସମ୍ପର୍କରେ ଆଜି ଅବକାରୀ କମିସନର ଦେବେନ୍ଦ୍ର ମହାପାତ୍ର ଜିଲ୍ଲା ଅବକାରୀ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ନିର୍ବାଚନର ତାରିଖ ଘୋଷଣା ହେବା ଦିନଠାରୁ ଉପରୋକ୍ତ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାକୁ ଆଜି ଆୟୋଜିତ କର୍ମଶାଳାରେ ନିଷ୍ପତ୍ତି ହୋଇଛି।

ଚଳିତ ସାଧାରଣ ନିର୍ବାଚନରେ ବ୍ୟାପକ ଚୋରା ମଦ କାରବାର ହେବାର ଆଶଙ୍କା ଥିବା ଗୁଇନ୍ଦା ରିପୋର୍ଟ ମିଳିଛି। ଏଥିପ୍ରତି ସଜାଗ ରହିବାକୁ ଆଜି କଟକସ୍ଥିତ ଅବକାରୀ କମିସନରଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଯାଇଛି। ଏଥିରେ ନିଷ୍ପତ୍ତି ହୋଇଛି କି, ଜିଲ୍ଲା ଅବକାରୀ ଏସ୍‌ପିଙ୍କ ଅଧିନରେ ଥିବା ଅଧିକାରୀ ଏବ˚ କର୍ମଚାରୀ ନିର୍ବାଚନ ତାରିଖ ଘୋଷଣା ହେବା ଦିନଠାରୁ କୌଣସି ପରିସ୍ଥିତିରେ କାର୍ଯ୍ୟାଳୟ ଛାଡ଼ିପାରିବେ ନାହିଁ। ଜିଲ୍ଲା ସ୍ତରରେ ରାତି ପାଟ୍ରୋଲି˚ କରାଯିବ। ନିୟମିତି ମଦ ଦୋକାନ ଯାଞ୍ଚ କରାଯିବ। କେତେ ପରିମାଣର ମଦ ଦୋକାନରେ ଗଚ୍ଛିତ ଅଛି, କେବେ ବିକ୍ରି ହେଉଛି ଏବ˚ ଦୋକାନ କେତେବେଳେ ଖୋଲୁଛି ଏବ˚ ବନ୍ଦ ହେଉଛି- ଏ ସ˚କ୍ରାନ୍ତ ରିପୋର୍ଟ ଅବକାରୀ ଅଧିକାରୀ ଅବକାରୀ କମିସନର ଏବ˚ ଜିଲ୍ଲାପାଳଙ୍କ ନିକଟକୁ ନିୟମିତ ପଠାଇବେ। ମଦ ଦୋକାନଗୁଡ଼ିକ ଯେଭଳି ସିସି କ୍ୟାମେରା ଦୋକାନରେ ଖଞ୍ଜିଥିବେ, ସେ ନେଇ ନିଶ୍ଚିତ କରାଯିବ। ଚୋରା ମଦ ଭାଟି ଉପରେ ପ୍ରତ୍ୟେକ ଦିନ ଚଢ଼ଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆଜିର ବୈଠକରେ ୩୧ଟି ଅବକାରୀ ଜିଲ୍ଲା, ଫ୍ଲାଇଂ ସ୍କ୍ବାଡ, ୩ଟି ଗୁଇନ୍ଦା ବିଭାଗର ଏସ୍‌ପି ଏବ˚ ଏସ୍‌ପିଙ୍କ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ନିର୍ବାଚନ ସମୟରେ କିଭଳି ସଜାଗ ରହିବାକୁ ପଡ଼ିବ, ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। କମିସନର ଶ୍ରୀ ମହାପାତ୍ରଙ୍କ ସମେତ ସେଣ୍ଟ୍ରାଲ ଡିଭିଜନ୍‌ର ଡେପୁଟି କମିସନର ରାମଚନ୍ଦ୍ର ପାଲ୍‌ଟା ଏବ˚ ଗୃହ ବିଭାଗ ଡେପୁଟି ସେକ୍ରେଟାରୀ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ସହିତ କଟକ ଅବକାରୀ ଏସ୍‌ପି ଅଶୋକ ଶତପଥୀ, ଭଦ୍ରକର ରାହାସ ବିହାରୀ ପାତ୍ର, ବାଲେଶ୍ବରର ବିବେକ ନାୟକ ଏବ˚ ନୟାଗଡ଼ର ଅମରେନ୍ଦ୍ର ଜେନା ପ୍ରମୁଖ ସାମିଲ ହୋଇଥିଲେ। ଆଜି ଏସ୍‌ପିଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ବେଳେ ସେମାନେ ନିଜ ଜିଲ୍ଲାରେ ଅନ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଯୋଜନା କରାଯାଇଛି।

ସମ୍ବନ୍ଧିତ ଖବର