ଗଞ୍ଜେଇ ଚୋରାଚାଲାଣରେ ଅବକାରୀ କର୍ମଚାରୀ: ଧରାପଡ଼ି ଏଏସ୍‌ଆଇ, ୨ କନେଷ୍ଟବଳ ଗିରଫ

ସାମ୍ବାଦିକ, ଡ୍ରାଇଭର, ଦୁଇ ସହଯୋଗୀ ବି ଗିରଫ, ଓଡ଼ିଶା ସୀମାରୁ ୮୦୩ କିଲୋ ଗଞ୍ଜେଇ ଜବତ

ପଟାଙ୍ଗି : ଗଞ୍ଜେଇ ଚୋରାଚାଲାଣରେ କୋରାପୁଟ ଅବକାରୀ ବିଭାଗ କର୍ମଚାରୀଙ୍କ ସିଧାସଳଖ ସଂପୃକ୍ତି ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ଏଏସ୍‌ଆଇ ଓ ୨ଜଣ କନେଷ୍ଟବଳ ଧରାପଡ଼ି ଗିରଫ ହୋଇଛନ୍ତି। ସେମାନଙ୍କ ସହିତ ଜଣେ ୱେବ୍‌ଚାନେଲ୍‌ ସାମ୍ବାଦିକ, ଗାଡ଼ିର ଡ୍ରାଇଭର୍‌ ଓ ୨ ସହଯୋଗୀଙ୍କୁ ବି ପୁଲିସ୍‌ ଗିରଫ କରିଛି।

ସୂଚନା ଅନୁଯାୟୀ, ରବିବାର ପାହାନ୍ତିଆ ସମୟରେ କୋରାପୁଟ ପଟୁ ଟ୍ରକ୍ ନମ୍ବର ଆରଜେ-୦୬ଜିଏ-୬୯୫୧ ଆନ୍ଧ୍ର ଅଭିମୁଖେ ଯାତ୍ରା କରୁଥିଲା। ପାଟ୍ରୋଲିଂରେ ଥିବା ପଟାଙ୍ଗି ପୁଲିସ ନଜରକୁ ଏହି ଗାଡ଼ି ଆସିଥିଲା। ଆନ୍ଧ୍ର ସୀମାନ୍ତ ଯୋଡ଼ିମାଦିଲି ନିକଟରେ ଟ୍ରକ୍‌କୁ ଅଟକାଇବାରୁ ଅନ୍ଧାରର ସୁଯୋଗ ନେଇ ଖସିଯିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ବିଫଳ ହୋଇଥିଲା। ଗଞ୍ଜେଇ ଟ୍ରକ୍‌ ଅଟକିବା ପରେ ଏହାକୁ ଆନ୍ଧ୍ର ସୀମାରେ ପହଞ୍ଚାଇବା ପାଇଁ ସୁରକ୍ଷା ଦାୟିତ୍ବରେ ଥିବା ଗୋଟିଏ ବଲେରୋ (ଓଡି ୧୦ପି ୯୧୩୩)କୁ ମଧ୍ୟ ପୁଲିସ ଘଟଣାସ୍ଥଳରେ ରୋକିଥିଲା। ଉଭୟ ଗାଡ଼ିରୁ ମୋଟ ୭ଜଣଙ୍କୁ ଅଟକ ରଖିବା ପରେ ଟ୍ରକ୍‌କୁ ଯାଞ୍ଚ କରାଯାଇଥିଲା। ୩୧ଟି ଜରି ପ୍ୟାକେଟରେ ରହିଥିବା ୮୦୩ କିଲୋ ୭୬୫ଗ୍ରାମ ଗଞ୍ଜେଇ ଟ୍ରକ୍‌ ଭିତରୁ ବାହାରିଥିଲା। ଉଭୟ ଗାଡ଼ିକୁ ଜବତ କରିବା ସହ ଘଟଣାସ୍ଥଳରୁ ୭ଜଣଙ୍କୁ ଥାନାକୁ ନେଇ ପଚରାଉଚୁରା ଆରମ୍ଭ କରିଥିଲା ପୁଲିସ।

ଜେରା ସମୟରେ ପୁଲିସକୁ ଚାଞ୍ଚଲ୍ୟକର ତଥ୍ୟ ଓ ପରିଚୟ ମିଳିଥିଲା। ଅବକାରୀ ବିଭାଗ ଏଏସ୍‌ଆଇ ଅରୋପଲକ ଦାସ, କନେଷ୍ଟବଳ ତ୍ରିଲୋଚନ ରାୟ ଚେଟି, କନେଷ୍ଟବଳ ଆର.ଭେଙ୍କଟେଶ କୁମାର ଗଞ୍ଜେଇ ଗାଡ଼ିକୁ ସୁରକ୍ଷା ଯୋଗାଇଥିଲେ। ଗାଡ଼ି ଡ୍ରାଇଭର ତଥା ରାଜସ୍ଥାନର ବାସିନ୍ଦା ପ୍ରକାଶ ଭେଲ୍‌, କୋରାପୁଟ ସହରର ରାଜ କୁମାର ଚେଟ୍ଟି, ଧୀରଜ କୁମାର ଏବଂ ଗୋଲକ ବିହାରୀ ବାଗ୍‌ଙ୍କ ସହ ଉପରୋକ୍ତ ଅବକାରୀ କର୍ମଚାରୀଙ୍କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ୱେବ୍ ଚ୍ୟାନେଲ୍‌ ସାମ୍ବାଦିକ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର