ଢିଙ୍କିଆରେ ପୁଣି ଉତ୍ତେଜନା: ହାଇକୋର୍ଟଙ୍କ କମିଟି ସାମ୍ନାରେ ଦୁଇ ପକ୍ଷ ମୁହାଁମୁହିଁ; ଗାଁରେ ପୁଲିସ ମୁତୟନ

ଜଗତସିଂହପୁର: ପୁଣି ଅଶାନ୍ତ ହୋଇଛି ଢିଙ୍କିଆ। ହାଇକୋର୍ଟଙ୍କ ଦ୍ବାରା ମନୋନୀତ କମିଟି ସାମ୍ନାରେ ମୁହାଁମୁହିଁ ହୋଇଛନ୍ତି ପ୍ରକଳ୍ପ ସପକ୍ଷ ଓ ବିପକ୍ଷବାଦୀ। ଏହି ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ଏହି ଘଟଣାକୁ ନେଇ ଗାଁରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି। ଆହତଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ ଆଇନଜୀବୀ ପ୍ରଶାନ୍ତ କୁମାର ଜେନା, ଓମକାର ଦେବଦାସ, ସୁକାନ୍ତ କୁମାର ଦଳାଇ, ଅତିରିକ୍ତ ସରକାରୀ ଆଇନଜୀବୀ ଦେବକାନ୍ତ ମହାନ୍ତି ଓ ଜନ୍ମେଜୟ କଟକିଆ ଆଜି ଲୋକମାନଙ୍କ ମତ ସଂଗ୍ରହ କରିବା ପାଇଁ ଢିଙ୍କିଆରେ ପହଞ୍ଚିଥିଲେ। ଲୋକମାନଙ୍କ ସହ ଆଲୋଚନା କରିବା ପାଇଁ ସେମାନେ ଗାଁର ଫୁଲଖାଇ ମନ୍ଦିର ପରିସରରେ ବସିଥିଲେ। ଏହି ସମୟରେ ଜଣେ ସାମାଜିକ କର୍ମୀ ମାନସ କର ସେଠାରେ ପହଞ୍ଚିଥିଲେ। ମାନସଙ୍କୁ ଦେଖି ଗାଁର କିଛି ଲୋକ ଉତ୍ତ୍ୟକ୍ତ ହୋଇ ହୋଇଉଠିଥିଲେ। ବାହାର ଗାଁ ଲୋକ ଏଠାକୁ କାହିଁକି ଆସିଛନ୍ତି ବୋଲି ସେମାନେ ପ୍ରଶ୍ନ କରିବା ସହ ମାନସଙ୍କୁ ଅଟକ ରଖିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଗାଁର ଜଣେ ଶିଳ୍ପ ବିରୋଧୀ ନେତା ପ୍ରଦୀପ ଶତପଥୀ ସେଠାରେ ପହଞ୍ଚି ମାନସଙ୍କୁ ସମର୍ଥନ କରିଥିଲେ। ଫଳରେ ଧୀରେ ଧୀରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। ପ୍ରକଳ୍ପ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇଥିଲେ। ପ୍ରଦୀପଙ୍କୁ ମାଡ଼ ହେଉଥିବା ଦେଖି ତାଙ୍କ ପତ୍ନୀ, ଝିଅ ଓ ଅନ୍ୟ ଦୁଇ ଜଣ ମହିଳା ସେଠାକୁ ପଳାଇ ଆସିଥିଲେ। ସେମାନେ ମଧ୍ୟ ଆକ୍ରମଣରୁ ବର୍ତ୍ତିନଥିଲେ। ଏପଟେ ଖବର ପାଇ ତୁରନ୍ତ ଅଭୟଚାନ୍ଦପୁର ଥାନା ପୁଲିସ ସେଠାରେ ପହଞ୍ଚି ଉଭୟ ପକ୍ଷକୁ ଅଟକାଇଥିଲା। ଆହତ ହୋଇଥିବା ପ୍ରଦୀପଙ୍କୁ ହସପିଟାଲ୍‌ ଆଣିଥିଲା।

ଅନ୍ୟପଟେ ଜଣେ ପ୍ରକଳ୍ପ ସପକ୍ଷବାଦୀ ଅକ୍ଷୟ ବେହେରାଙ୍କ କହିବା ମୁତାବକ ବର୍ତ୍ତମାନ ଗାଁରେ ସୁସ୍ଥ ବାତାବରଣ ରହିଛି। ମାନସଙ୍କ ପରି କିଛି ବାହାର ଗାଁର ଯୁବକମାନେ ଏଠାରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଗ୍ରାମବାସୀଙ୍କୁ ମତାଉଛନ୍ତି। କମିଟି ସାମ୍ନାରେ ଗାଁ ଲୋକଙ୍କୁ ମତ ରଖିବା ପାଇଁ କୁହାଯାଇଛି। ବାହାର ଗାଁର ଯୁବକମାନଙ୍କୁ ଏଠାକୁ ଆସିବା ପାଇଁ କିଏ ଅନୁମତି ଦେଲା ବୋଲି ଅରକ୍ଷିତ ଓଲଟା ପ୍ରଶ୍ନ କରିଛନ୍ତି। ମାନସ ଓ ପ୍ରଦୀପଙ୍କୁ ଆକ୍ରମଣ କରାଯାଇଥିବା ନେଇ ସେ ସମ୍ପୂର୍ଣ୍ଣ ଅସ୍ବୀକାର କରିଛନ୍ତି। କମିଟିର ସଦସ୍ୟମାନେ ଗାଁ ବୁଲିବା ସହ ବିଭିନ୍ନ ଲୋକଙ୍କୁ ସିଧାସଳଖ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପଚାରି ବୁଝିଥିଲେ। ଗାଁରେ ଯାହା ପରିସ୍ଥିତି ରହିଛି ଏବଂ ଆଜି ଯେଉଁ ଘଟଣା ଘଟିଲା ଏହାକୁ ସେମାନେ ହାଇକୋର୍ଟଙ୍କୁ ଲିଖିତ ଆକାରରେ ଜଣାଇବେ ବୋଲି କମିଟିର ସଦସ୍ୟମାନେ କହିଛନ୍ତି। ହାଇକୋର୍ଟରୁ ଆସିଥିବା କମିଟି ସାମ୍ନାରେ ଏମିତି ଅପ୍ରୀତିକର ଘଟଣା ଘଟିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ହୋଇଛି। ପ୍ରକାଶ ଥାଉ କି, ଢିଙ୍କିଆଠାରେ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରାଯାଉଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ହାଇକୋର୍ଟରେ ୩ଟି ମାମଲା ରୁଜୁ କରାଯାଇଛି। ଢିଙ୍କିଆରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଆଜି ଏହି କମିଟି ଢିଙ୍କିଆ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିବା ସହ ଯୁଗ୍ମ ରିପୋର୍ଟ ଦାଖଲ କରିବେ। ଏ ନେଇ ଏସ୍‌.ପି ଅଖିଳେଶ୍ବର ସିଂ କୁହନ୍ତି ଯେ ବର୍ତ୍ତମାନ ସୁଦ୍ଧା ଥାନାକୁ କୌଣସି ଅଭିଯୋଗ ଆସି ନାହିଁ। ଅଭିଯୋଗ ଆସିଲେ ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର