ରୋଗୀ ମୃତ୍ୟୁକୁ ନେଇ ନର୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ଚିକିତ୍ସାରେ ଅବହେଳା ଅଭିଯୋଗ, ଡାକ୍ତର ଓ ନର୍ସଙ୍କୁ ବଦଳି, ନୂଆ ଡାକ୍ତର ନିଯୁକ୍ତ

ରୁପ୍ରା : କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳା ଯୋଗୁଁ ଏପରି ହୋଇଛି ବୋଲି ରୋଗୀ ସଂପର୍କୀୟ ଅଭିଯୋଗ କରି ଡାକ୍ତରଖାନା ମୁଖ୍ୟ ଫାଟକ ବନ୍ଦ କରିବା ସହ ଶବ ରଖି ରାଜପଥ ଅବରୋଧ କରିଥିଲେ।

ଅଭିଯୋଗ ଅନୁସାରେ, ବୁଧବାର ମଧ୍ୟରାତ୍ରରେ ନର୍ଲା ଜୟନ୍ତୀ ନଗର ପଡ଼ାର କୈବଲ୍ୟ ସେନାପତିଙ୍କ ଏକମାତ୍ର ପୁଅ ମନୋଜ ସେନାପତି (୧୨ବର୍ଷ) ଙ୍କ ପେଟ ବ୍ୟଥା ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ନିମନ୍ତେ ପରିବାର ଲୋକେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେହି ସମୟରେ ମନୋଜଙ୍କୁ ରାତି ଡ୍ୟୁଟିରେ ଥିବା ନର୍ସ ଦୁଇଟି ଇଂଜେକ୍ସନ୍ ଦେଇ ଘରକୁ ନେଇଯିବାକୁ କହିଥିଲେ। ଘରକୁ ଆସିବାର କିଛି ସମୟ ପରେ ମନୋଜଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ପୁଣି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେତେବେଳେ ମନୋଜଙ୍କ ଅବସ୍ଥା ଦେଖି ଡ୍ୟୁଟିରେ ଥିବା ଡାକ୍ତର ଅନ୍ୟ ଡାକ୍ତରଖାନାକୁ ନେବାକୁ ପରାମର୍ଶ ଦେଇଥିଲେ। ଏହାର କିଛି ସମୟ ପରେ ଡାକ୍ତରଖାନାରେ ହିଁ ମନୋଜଙ୍କ ମୃତ୍ୟୁ ହୋଇଗଲା ବୋଲି କୈବଲ୍ୟ କହିଛନ୍ତି।

ଗୁରୁବାର ସକାଳେ ଏହି ଖବର ଜଣାପଡ଼ିବା ପରେ ଡାକ୍ତରଖାନା ପରିସରରେ ଆତ୍ମୀୟ ତଥା ଅନ୍ୟ ଲୋକଙ୍କ ଭିଡ଼ ଜମିଥିଲା। ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ମନୋଜଙ୍କ ମୃତ୍ୟୁ ହେଲା ବୋଲି ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ଶବକୁ ଡାକ୍ତରଖାନା ସମ୍ମୁଖ ରାଜ୍ୟ ରାଜପଥରେ ରଖି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଏଡିଏମ୍‌ଓ ଡା. ନିହାର ରଞ୍ଜନ ଦାସ ଘଟଣାସ୍ଥଳରେ ପହଞ୍ଚି ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ବିଡିଓ ବ୍ୟାସଦେବ ବେହେରା, ଥାନା ଅଧିକାରୀ ରମଣୀ ରଞ୍ଜନ ଦଳେଇ ଉପସ୍ଥିତିରେ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। କ୍ଷତିପୂରଣ ଦେବାକୁ ଘୋଷଣା କରିବା ପରେ ପରିବାର ଲୋକେ ଶବକୁ ନେଇ ଦିନ୨ଟା ୧୦ରେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ଏ ସମ୍ପର୍କରେ ଏଡିଏମ୍‌ଓ ଶ୍ରୀ ଦାସଙ୍କୁ ପଚରାଯିବାରୁ, ରାତି ଡ୍ୟୁଟିରେ ଥିବା ଡାକ୍ତର ଓ ନର୍ସଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି କରାଯାଇଛି। ପଲମଠାରେ ଥିବା ଡା.କିଶୋର ସାହୁଙ୍କୁ ନର୍ଲାରେ ନିଯୁକ୍ତି ଦିଆଯାଇଛି ବୋଲି କହିଥିଲେ। ତେବେ ଏହି ଘଟଣାରେ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର