ଧାଡ଼ିରେ ରହିଲା ଆଧାର କାର୍ଡ: ଦେଢ଼ଶହ ଟିକାକୁ, ସାତଶହ ଲୋକ

ହାଟଡିହି : ଟିକା ପାଇଁ କରୋନା କଟକଣା ଭୁଲି ଲୋକେ ସକାଳୁ ସକାଳୁ ଭିଡ଼ ଜମାଇଥି‌ଲେ ହାଟଡିହି ଡାକ୍ତରଖାନାରେ। ରାତି ୪ଟାରୁ ଆସି ଧାଡ଼ିରେ ଠିଆ ହୋଇଥିଲେ। ପ୍ରବଳ ଖରାଯୋଗୁଁ ଶେଷରେ ଲୋକେ ନିଜ ଆଧାରକାର୍ଡ ଗୁଡ଼ିକୁ ଧାଡ଼ିରେ ରଖି ଛାଇ ତଳକୁ ଯାଇଥିଲେ। ୯୩ଜଣ ଟିକା ନେବା ପରେ ହଠାତ୍‌ ଟିକା ସରିଯିବା ନେଇ ପ୍ରଚାର ହେବାରୁ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା। ପୁଲିସ ପହଞ୍ଚିଥିଲେ ବି ଲୋକଙ୍କୁ ବୁଝାଇବାରେ ସକ୍ଷମ ହୋଇପାରି ନଥିଲା। ଶହଶହ ଲୋକ ଘରକୁ ଫେରିଯାଇଥିଲେ। ସ୍ଥାନୀୟ ଅଞ୍ଚଳର କିଛି ଭଦ୍ରବ୍ୟକ୍ତି ପହଞ୍ଚି ଟିକାକରଣ କାର୍ଯ୍ୟକୁ ଶୃଙ୍ଖଳିତ କରିଥିଲେ। ପରେ ବିଡିଓ ଜୟଦେବ ଦାସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଶୃଙ୍ଖଳିତ ଭାବେ ଟିକା ନେବାକୁ ପରାମର୍ଶ ଦେଇଥିଲେ।

କେବଳ ହାଟଡିହି ନୁହେଁ ସୋସୋ, ଶାଳଣିଆଁ ଓ ମୁଗୁପୁର ଡାକ୍ତରଖାନାରେ ମଧ୍ୟ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଅନେକ ଲୋକେ ଟିକା ନପାଇ ଘରକୁ ଫେରିଯାଇଥିଲେ। ଏ ସମ୍ପର୍କରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ କହିଛନ୍ତି, ବ୍ଲକ୍‌କୁ ୬୦୦ ଡୋଜ୍‌ ଟିକା ଆସିଥିଲା। ୪ଟି ଡାକ୍ତରଖାନାକୁ ୧୫୦ ଡୋଜ୍‌ ଲେଖାଏଁ ଦିଆଯାଇଥିଲା। ପ୍ରଥମ ଡୋଜ୍‌ ନେବାର ୪୨ଦିନ ପୂରଣ କରିଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯିବ ବୋଲି କୁହାଯାଇଥିଲା। କିନ୍ତୁ ଶହଶହ ସଂଖ୍ୟାରେ ଲୋକ ଆସି ଟିକା ପାଇଁ ଭିଡ଼ ଜମାଉଛନ୍ତି। ଫଳରେ ଏପରି ଅସୁବିଧା ହେଉଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର