ହେମଗିରରେ ଉତ୍ତେଜନା : ଧାରଣାସ୍ଥଳରେ ୧୪୪ ଧାରା ଜାରି, ୮ ପ୍ଲାଟୁନ୍ ପୁଲିସ ମୁତୟନ

ଟପରିଆ ଆନ୍ଦୋଳନର ନେତା ରାଜେନ୍ଦ୍ରଙ୍କ ସହ ୧୬ ଗିରଫ
ଅଟକ ଆନ୍ଦୋଳନକାରୀଙ୍କୁ ଛାଡ଼ିଲା ପୁଲିସ

ସୁନ୍ଦରଗଡ଼/ହେମଗିର : ଗାଁ ରାସ୍ତାରେ ଏମ୍‌ସିଏଲ୍‌ର କୋଇଲା ପରିବହନକୁ ବିରୋଧ କରି ଟପରିଆ ଛକରେ ୨୭ ଦିନ ଧରି ଧାରଣାରତ ଜନଶକ୍ତି ବିକାଶ ପରିଷଦ ନେତା ରାଜେନ୍ଦ୍ର ନାଏକଙ୍କ ସମେତ ୧୬ ଜଣଙ୍କୁ ଆଜି ହେମଗିର ପୁଲିସ ଗିରଫ କରିଛି। ଏହାସହିତ ପୁଲିସ ଦେଢ଼ଶହ ମହିଳା, ପୁରୁଷ ଆନ୍ଦୋଳନକାରୀଙ୍କୁ ଦିନ ୧୧ଟାରେ ଉଠାଇ ଆଣି ହେମଗିର ଥାନାରେ ଅଟକ ରଖିଥିଲା। ସେମାନଙ୍କୁ ସନ୍ଧ୍ୟାରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି। ଉତ୍ତେଜନା ଲାଗି ରହିଥିବାରୁ ୮ ପ୍ଲାଟୁନ୍‌ ସୁରକ୍ଷା ବଳ ମୁତୟନ ହୋଇଥିବା ବେଳେ ଟପରିଆ ଧାରଣାସ୍ଥଳରେ ୧୪୪ଟି ଜାରି କରିଛି ପ୍ରଶାସନ। ପ୍ରତିବାଦରେ ଶହ ଶହ ଲୋକେ ପୁଣି ଧାରଣାରେ ବସିଛନ୍ତି। ଏସ୍‌ପି ସାଗରିକା ନାଥ ହେମଗିର ଥାନାକୁ ଯାଇ ସ୍ଥିତି ନିରୀକ୍ଷଣ କରିଛନ୍ତି।

ବାଙ୍କିବାହାଲ-ଟପରିଆ ରାସ୍ତାରେ ଏମ୍‌ସିଏଲ୍‌ର କୋଇଲା ପରିବହନ ଉପରେ ଓଡ଼ିଶା ମାନବାଧିକାର ଆୟୋଗ ରୋକ ଲଗାଇଛନ୍ତି। ଏହା ପରେ ଟପରିଆ ଛକରେ ଚାଲିଥିବା ଆନ୍ଦୋଳନରୁ ଜନଶକ୍ତି ବିକାଶ ପରିଷଦ ହଟିଯିବ ବୋଲି ଆଶା କରିଥିଲା ପ୍ରଶାସନ। କିନ୍ତୁ ଚୂଡାନ୍ତ ରାୟ ନ ଆସିବା ଯାଏ ପ୍ରତୀକାତ୍ମକ ଭାବେ ଆନ୍ଦୋଳନ ଜାରି ରଖିବାକୁ ଶନିବାର ଉପଜିଲ୍ଲାପାଳଙ୍କ ଆଗରେ ଘୋଷଣା କରିଥିଲା ପରିଷଦ। ଏହା ପରେ ପ୍ରଶାସନ ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ସକାଳୁ ସକାଳୁ ଉପଜିଲ୍ଲାପାଳ ପୁଲିସ ଫୋର୍ସ ସହ ଟପରିଆ ଯାଇ ଧାରଣାରୁ ହଟିଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଲୋକେ ନମାନିବାରୁ ଜୋର୍ କରି ଟେଣ୍ଟ ଓ ରୋଷେଇ ଶାଳକୁ ଭାଙ୍ଗି ଦିଆଯାଇଥିଲା। ଏହା ପରେ ପରିଷଦ ନେତା ରାଜେନ୍ଦ୍ର ନାଏକଙ୍କୁ ଉଠାଇ ନେଇଥିଲା ପୁଲିସ। ଏ ଖବର ପ୍ରଚାର ହେବା ପରେ ଶହ ଶହ ଲୋକେ ଧାରଣାସ୍ଥଳକୁ ଯାଇଥିଲେ। ପୁଲିସ ଭ୍ୟାନକୁ ନଛାଡ଼ିବାକୁ ରାସ୍ତା ଅବରୋଧ କରି ବସିଯାଇଥିଲେ। ପରେ ସୁରକ୍ଷା ବଳ ଦେଢ଼ଶହ ଆନ୍ଦୋଳନକାରୀଙ୍କୁ ଜୋର୍ କରି ଉଠାଇ ନେଇ ଭ୍ୟାନରେ ଲଦି ଥାନାକୁ ନେଇଥିଲା। ଧାରଣା ଶାନ୍ତିପୂର୍ଣ୍ଣ ଥିବା ଓ କୋଇଲା ପରିବହନରେ ମାନବାଧିକାର ଆୟୋଗଙ୍କ ରୋକ୍ ସତ୍ତ୍ବେ ଜିଲ୍ଲା ପ୍ରଶାସନ, ପୁଲିସର ଏ ପ୍ରକାର କାର୍ଯ୍ୟାନୁଷ୍ଠାନକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ଟପରିଆ ଛକରେ ଧାରଣା ଜାରି ରହିଛି।

ସମ୍ବନ୍ଧିତ ଖବର