ମନ୍ଦିରମାଳିନୀ ସହରରେ ଆଜି ମୋଦି ଉତ୍ସାହ ଦେଖିବାକୁ ମିଳିଥିଲା। ପ୍ରତିକୂଳ ପାଗ ସତ୍ତ୍ବେ ପ୍ରଧାନମନ୍ତ୍ରୀଙ୍କ ଟିକେ ଝଲକ ପାଇବାକୁ ଦୂରଦୂରାନ୍ତରୁ ହଜାର ହଜାର ଲୋକ ରାଜଧାନୀକୁ ଧାଇଁ ଆସିଥିଲେ। କୋହଲା ପାଗ ଦେହକୁ ଥରାଇ ଦେଉଥିବା ବେଳେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଯେମିତି ଉଷୁମ ଭରୁଥିଲା। କେଉଁଠି ଘୋଡ଼ାନାଚ-ଘଣ୍ଟନାଦ, ଆଉ କେଉଁଠି ଡାଲଖାଇ ଓ ଆଦିବାସୀ ନୃତ୍ୟର ତାଳେ ତାଳେ ଝୁମୁଥିଲେ ଅଗଣିତ ମୋଦୀଫ୍ୟାନ୍। ବିମାନବନ୍ଦର ସଭାସ୍ଥଳଠାରୁ ରାଜଧାନୀର ରାଜରାସ୍ତା ପାରମ୍ପରିକ ଲୋକନୃତ୍ୟରେ କମ୍ପୁଥିଲା। ଏଭଳି ମାହୋଲରେ ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲା ଭୁବନେଶ୍ୱର। ପ୍ରଧାନମନ୍ତ୍ରୀଙ୍କ ଟିକେ ଝଲକ ପାଇବା ମାତ୍ରେ ‘ମୋଦୀ’ ‘ମୋଦୀ’ ନାରାରେ କମ୍ପିଥିଲା ଏୟାର୍‌ପୋର୍ଟ ନିକଟ ସଭାସ୍ଥଳ।

Advertisment

ନବୀନଙ୍କ ଦୁଆରମୁହଁରେ ମୋଦୀଙ୍କ ସଭା

ଦିନେ ନବୀନ ନିବାସ ଆଗ ଦେଇ ଯାଇଥିବା ରାସ୍ତାରେ ଛିଡ଼ା ହେଲେ ପୁଲିସ ଘଉଡ଼େଇ ଦେଉଥିଲା। ପୂର୍ବପରି ଆଜି ବି ମାଳ ମାଳ ସୁରକ୍ଷାକର୍ମୀ ନବୀନ ନିବ‌ାସ ଆଗରେ ପଇଁତରା ମାରୁଥିଲେ। ହେଲେ ନବୀନ ନିବାସ ପ୍ରତି କାହାର ଧ୍ୟାନ ନଥିଲା। ନବୀନ ନିବାସରୁ ବିମାନ ବନ୍ଦରକୁ ଲମ୍ବିଥିବା ରାସ୍ତାରେ ପ୍ରଧାନମନ୍ତ୍ରୀଙ୍କ ସଭା ହେଉଥିବାରୁ ନବୀନ ନିବାସ ଆଗ ଲୋକାରଣ୍ୟ ହୋଇଥିଲା। ସଭାସ୍ଥଳରୁ ନବୀନ ନିବାସ ପର୍ଯ୍ୟନ୍ତ ପ୍ରାୟ ଅଧକିଲୋମିଟର ଯାଏ ଲୋକଙ୍କ ବସିବା ଯାଏ ଚେୟାର ପଡ଼ିଥିଲା। ୧୦୦ ଫୁଟ୍‌ ଅନ୍ତରରେ ଏଲ୍‌ଇଡି ସ୍କ୍ରିନ୍‌ ବି ଲାଗିଥିଲା। ତଥାପି ନବୀନ ନିବାସକୁ ଆଜି ବିଜେପି କର୍ମୀ ଯେମିତି ଘେରି ରହିଥିଲେ। ଫର ଫର ଉଡ଼ାଇଥିଲେ ବିଜେପି ପତାକା। ମୋଦୀ ମୋଦୀ ଓ ବିଜେପି ଜିନ୍ଦାବାଦ ନାରାରେ କମ୍ପିଥିଲା ନବୀନ ନିବାସ ଅଞ୍ଚଳ। ଏହାକୁ ନେଇ ଅନେକ ଟୁପୁର ଟାପୁରୁ ହେଉଥିବା ଦେଖିବାକୁ ମିଳିଥିଲା।

ଝାଞ୍ଜ, ମୃଦଙ୍ଗରେ କମ୍ପିଲା ପଥ

ଆଜି ଦିନ ତମାମ ରାଜଧାନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପାଇଁ ସମର୍ଥକମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖା ଦେଇଥିଲା। ବିମାନବନ୍ଦରରୁ ଏଜି ଛକ ପର୍ଯ୍ୟନ୍ତ ଲୋକାରଣ୍ୟ ରହିଥିଲା। କିଏ ନାଚି ନାଚି ନିଜ ପ୍ରିୟ ନେତାକୁ ସ୍ବାଗତ କରୁଥିଲା ତ ଆଉ କିଏ ବାଜା ବଜାଇ ସ୍ବାଗତ କରିଥିଲା। ଆଉ କିଏ ଫଟୋ ଧରି ସ୍ବାଗତ କରିଥିଲା। ରାସ୍ତା କଡ଼ରେ ପେଁ କାଳି, ଘଣ୍ଟ ଘଣ୍ଟା, ବାଜା, ମୃଦଙ୍ଗ, ଲୋକନୃତ୍ୟ ଆଦିବାସୀ ନୃତ୍ୟ, ଲୋକକଳା ଓ ସାମରିକ କଳା ପ୍ରଦର୍ଶନ, ଘୋଡ଼ା ନାଚ, ପାଇକ ନାଚ ଆଦିରେ ପଥ କମ୍ପିଥିଲା। ଲୋକଙ୍କ ମଧ୍ୟ ଉତ୍ସାହ ଭରି ରହିଥିଲା।

ଗାଡ଼ି ଭିତରୁ ଅଭିବାଦନ ଜଣାଇଲେ

ପ୍ରବଳ ଗହଳି ପାଇଁ ଏୟାର୍‌ପୋର୍ଟ ନିକଟରେ ହୋଇଥିବା ସମ୍ବର୍ଦ୍ଧନା ସଭାରେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ଯାଇପାରି ନଥିବା ସମର୍ଥକମାନେ ମୋଦୀଙ୍କୁ ଦେଖିବାକୁ ରାସ୍ତାକଡ଼ରେ ପ୍ରବଳ ଭିଡ଼ କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ସମର୍ଥକମାନଙ୍କୁ ନିରାଶ ନ କରି ସେ ଯାଉଥିବା ଗାଡ଼ି ଭିତର ଆଲୁଅ ଜଳାଇ ସେମାନଙ୍କୁ ଅଭିବାଦନ ଜଣାଇଥିଲେ।

ମୋଦୀଙ୍କ ଗ୍ୟାରେଣ୍ଟି ପୂରଣ ହେବାର ଗ୍ୟାରେଣ୍ଟି
ଆଜି ଓଡ଼ିଶାରେ ଆମ ସରକାର ସବୁ ଗ୍ୟାରେଣ୍ଟିକୁ ପୂରା କରିବାକୁ କାମ କରୁଛି। ଓଡ଼ିଶାରେ ଧାନର ସହାୟକ ମୂଲ୍ୟ ୩୧ଶହ ଟଙ୍କା ରଖାଯାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ୫ ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଆମ ସରକାର ଦେଶର ମହିଳାଙ୍କ ବିକାଶକୁ ଗୁରୁତ୍ୱ ଦେଉଛି। ଓଡ଼ିଶାରେ ମାତୃଶକ୍ତିଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବା ପାଇଁ ‘ସୁଭଦ୍ରା’ ଯୋଜନା ଲାଗୁ କରାଯାଇଛି। ମୋଦୀଙ୍କ ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି। ଆମେ ଆମ ସଂକଳ୍ପକୁ ପୂରା କରିବୁ ଆଉ ବିକଶିତ ଓଡିଶା ପାଇଁ କାମ କରିବୁ ବୋଲି କହିଛନ୍ତି ମୋଦୀ।

ଏହି ଭଲ ପାଇବା ପାଇଁ ମୁଁ ଋଣୀ
ଓଡ଼ିଶା ଲୋକଙ୍କ ଅକୁଣ୍ଠ ଭଲପାଇବାର ଫଳ ସ୍ବରୂପ ଓଡ଼ିଶାରେ ବିଜେପି ସରକାର କଲା। ଏହାପରେ ହରିୟାଣା ଓ ମହାରାଷ୍ଟ୍ରରେ ବିଜେପିର ବିଜୟ ହୋଇଛି। ଫଳରେ ସାରା ଦେଶରେ ବିଜେପି ପ୍ରତି ଲୋକଙ୍କ ବିଶ୍ବାସ ବଢ଼ିଛି। ଓଡ଼ିଶାବାସୀ ବିଜେପିର ନୀତି ଏବଂ କାର୍ଯ୍ୟକୁ ବିଶ୍ବାସ କରି ଆମକୁ ଆଶୀର୍ବାଦ ଦେଇଛନ୍ତି। ଓଡ଼ିଶାର ମୋ ପରିବାର ଲୋକ ଓ କାର୍ଯ୍ୟକର୍ତ୍ତା ବନ୍ଧୁଙ୍କ ମୁହଁର ହସ ମୋ’ ଭିତରେ ନୂଆ ଶକ୍ତି ଭରି ଦେଇଛି। ଏହି ଭଲ ପାଇବା ପାଇଁ ମୁଁ ଋଣୀ। ମୁଁ ଖୁସି ଅଛି ଯେ ଓଡ଼ିଶାରେ ବିଜେପିର ପ୍ରୟାସରୁ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଦେଶର ରାଷ୍ଟ୍ରପତି ଅଛନ୍ତି, ଯାହା ଆଦିବାସୀ ସମାଜ ପାଇଁ ଗର୍ବର କଥା।