ରାଉରକେଲା: ଚିକିତ୍ସା ଅବହେଳାରୁ  ରୋଗୀଙ୍କ ମୃତ୍ୟୁକୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାର ଲୋକ ଡାକ୍ତରଖାନା ପରିସରରେ ପାଟିତୁଣ୍ଡ କରିଥିଲେ। ପରେ ସ୍ବାସ୍ଥ୍ୟକର୍ମୀ ତାଙ୍କୁ ମାଡ ମରାଯିବା ଅଭିଯୋଗରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ଫଳରେ ଆରଜିଏଚ୍‌ରେ ଚିକିତ୍ସାସେବା ବାଧାପ୍ରାପ୍ତ ହେବା ସହ ସ୍ଥିତି ଅଣାୟତ ହୋଇଥିଲା। ଉଭୟ ମୃତକଙ୍କ ପରିବାର ଓ ସ୍ବାସ୍ଥ୍ୟକର୍ମୀ ପରସ୍ପର ବିରୋଧରେ ଆର୍‌ଜିଏଚ୍‌ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ।

Advertisment

ସ୍ଥିତି ବିଗିଡିବାରୁ  ଆର୍‌ଜିଏଚ୍‌ କର୍ତ୍ତୃପକ୍ଷ, ରଘୁନାଥପାଲୀ ଥାନା ଅଧିକାରୀ ପହଞ୍ଚି ଉଭୟ ଉତ୍ତେଜିତ ପରିବାର ଓ ଆନ୍ଦୋଳନରତ ସ୍ବାସ୍ଥ୍ୟକର୍ମୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ସ୍ବାସ୍ଥ୍ୟକର୍ମୀମାନେ କାର୍ଯ୍ୟରେ ଯୋଗଦେଇଥିଲେ। ମିଳିଥିବା ସୂଚନା ମୁତାବକ ପାନପୋଷର ରାମ ପ୍ୟାରେ ଜସ୍ବାଲ (୬୨)ଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ଗତକାଲି ରାତି ସାଢ଼େ ୭ଟାରେ ଆର୍‌ଜିଏଚ୍‌ରେ ଭର୍ତ୍ତି କରିଥିଲେ। ଚିକିତ୍ସାର ଦୁଇଘଣ୍ଟା ପରେ ରାତି ପ୍ରାୟ ସାଢ଼େ ୯ଟାରେ ରାମଙ୍କର ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକଙ୍କ କହିବାନୁଯାୟୀ ରାମଙ୍କର ଅକ୍ସିଜେନ୍‌ ଆବଶ୍ୟକତା ଥିଲା।

ୱାର୍ଡରେ ଥିବା ସ୍ବାସ୍ଥ୍ୟକର୍ମୀ ଅକ୍ସିଜେନ୍‌ ଦେବାରେ ବିଳମ୍ବ କରିଥିଲେ। ଫଳରେ ରାମଙ୍କର ମୃତ୍ୟୁ ହୋଇଯାଇଥିଲା।  ପୁଅ ସନ୍ତୋଷ ଜସ୍ବାଲ, ସୁରଜପାଲ ଜସ୍ବାଲ, ନିତେଶ ଜସ୍ବାଲ, ଭାଇ ମୁନ୍ନା ଜସ୍ବାଲ ଚିକିତ୍ସା ଅବହେଳାରୁ  ମୃତ୍ୟୁ ଅଭିଯ‌ୋଗ ଆଣି ପାଟିତୁଣ୍ଡ କରିଥିଲେ। ଫଳରେ ମୃତକଙ୍କ ପରିବାର ଓ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଉତ୍ତେଜିତ ପରିବାର ଲୋକ ସ୍ବାସ୍ଥ୍ୟକର୍ମୀଙ୍କୁ ମାଡ ମାରିଥିଲେ। ଯାହାକୁ କେନ୍ଦ୍ରକରି ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।  ପୁଲିସ ଓ ଡାକ୍ତରଖାନା କର୍ତ୍ତୃପକ୍ଷ ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ଉଭୟଙ୍କ ଲିଖିତ ଅଭିଯୋଗରେ ଆଧାରରେ ପୁଲିସ ଓ ଆର୍‌ଜିଏଚ୍‌ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।